ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ବିଶ୍ୱ ଛେନାପୋଡ଼ ଦିବସ, ଦୁର୍ବଳ ହେଲାଣି ଜିଆଇ ଟ୍ୟାଗ୍‌ ମାନ୍ୟତା ଦାବି

Published By : Prameya | April 11, 2025 10:56 AM

ନୟାଗଡ଼,୧୧/୦୪: ନୟାଗଡ଼ରେ ଛେନାପୋଡ଼  ତିଆରି କରି ଜିଲ୍ଲା, ରାଜ୍ୟ ତଥା ଦେଶବ୍ୟାପୀ  ନୟାଗଡ଼ ଜିଲ୍ଲାର ସ୍ୱାଦିଷ୍ଟ ମିଷ୍ଟାନ୍ନ ଭାବେ ପରିଚୟ  ସୃଷ୍ଟି କରାଇଥିବା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ  ଦିବସ ଏପ୍ରିଲ ୧୧ ତାରିଖକୁ ବିଶ୍ୱ ଛେନାପୋଡ଼  ଦିବସ ଭାବେ ପାଳନ କରାଯାଉଛି । ତେବେ  ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନଙ୍କ ପିତା ବିଦ୍ୟାଧର  ସାହୁ ବୋଲି ଦାବି ଉଠୁଥିବା ବେଳେ ଏହି ବିବାଦ  ମଧ୍ୟରେ ଛେନାପୋଡ଼ର ଜିଆଇ ଟ୍ୟାଗ୍‌ ମାନ୍ୟତା  ପ୍ରଦାନ ପାଇଁ ହୋଇଆସୁଥବା ଦାବି ଦୁର୍ବଳ  ହୋଇଯାଇଛି । ଆଉ କୌଣସି ସଂଗଠନ ବା ବ୍ୟକ୍ତିବିଶେଷ ଏହି ସ୍ୱାଦିଷ୍ଟ ମିଷ୍ଟାନ୍ନକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ କରାଯାଉ ବୋଲି ଦାବି ଉଠାଉ ନଥିବା ଲକ୍ଷ୍ୟ କରାଯାଇଛି ।  

ଗତ ୨୦୨୩ରେ ନୟାଗଡ଼ରେ ସ୍ୱର୍ଗତ ସାହୁଙ୍କ ଜନ୍ମଦିନକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ  ନୟାଗଡ଼ ପୁରୁଣା ବସଷ୍ଟାଣ୍ଡ୍‌ଠାରେ ପ୍ରଥମ କରି ପାଳନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଗଲା । ଛେନାପୋଡ଼ ନୟାଗଡ଼ର ବୋଲି ମାନ୍ୟତା ଦାବି  କରି ୨୦୧୯ ଜୁନ୍‌ ୨୪ ତାରିଖରେ ସମାଜସେବୀ  ପ୍ରମୋଦ ପଟ୍ଟନାୟକ ଓ ଅରୁଣ କୁମାର ମହାନ୍ତିଙ୍କ ଶାନ୍ତି ଚାରିଟେବୁଲ ଟ୍ରଷ୍ଟ୍‌ ନୟାଗଡ଼ରେ ଏକ ଦାବି ଉପସ୍ଥାପନ କରିଥିଲା । ସେହିଦିନଠାରୁ  ଛେନାପୋଡ଼କୁ ନୟାଗଡ଼ରୁ ସୃଷ୍ଟି ମିଷ୍ଟାନ୍ନ ବୋଲି ସରକାର ମାନିନେବାକୁ ବିଭିନ୍ନ ମହଲରୁ ଦାବି  ହୋଇ ଆସୁଛି । 


୨୦୨୨ରେ ପ୍ରଥମେ ହେଲପିଙ୍ଗ୍‌  ହ୍ୟାଣ୍ଡସ୍‌ ପରିବାର ପକ୍ଷରୁ ବିଶ୍ୱ ଛେନାପୋଡ଼ ଦିବସ ପାଳନ କରାଯାଇ ସମଗ୍ର ଦେଶକୁ ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା ବୋଲି ଦର୍ଶା ଯାଇଥିଲା । ପରେ ବିଭିନ୍ନ ମହଲରୁ ବିଭିନ୍ନ ସମୟରେ ଛେନାପୋଡ଼କୁ  ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ କରାଯାଉ ବୋଲି  ଦାବି କରାଯାଇଛି । ଯଦିଓ ଛେନାପୋଡ଼ ନୟାଗଡ଼  ଜିଲ୍ଲାରୁ ସୃଷ୍ଟି ମିଷ୍ଟାନ୍ନ ବୋଲି ସମଗ୍ର ରାଜ୍ୟବାସୀଙ୍କ  ଦ୍ୱାରା ମାନ୍ୟତା ପାଇଛି, ଆଜି ପର୍ଯ୍ୟନ୍ତ ଭାରତ  ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନସ୍ଥ  ଶିଳ୍ପନୀତି ଓ ପ୍ରୋତ୍ସାହନ ବିଭାଗ ଦ୍ୱାରା ଛେନାପୋଡ଼  ‘ଆଞ୍ଚଳିକ ଏବଂ ଭୌଗୋଳିକ ଉତ୍ପାଦନ’ ଭାବେ  ସ୍ୱୀକୃତି ପାଇ ପାରି ନାହିଁ ।  

ଏପଟେ ସ୍ୱର୍ଗତ ସୁଦର୍ଶନ ସାହୁଙ୍କୁ ଛେନାପୋଡ଼ର  ସ୍ରଷ୍ଟା କୁହାଯାଉଥିବା ବେଳେ ତାଙ୍କ ଜନ୍ମମାଟି ଦଶପଲ୍ଲା  ଅଞ୍ଚଳରେ ସୁଦର୍ଶନଙ୍କ ପିତା ସ୍ୱର୍ଗତ ବିଦ୍ୟାଧର  ଛେନାପୋଡ଼ର ସ୍ରଷ୍ଟା ବୋଲି ଦଶପଲ୍ଲାବାସୀ ଦାବି କରି  ଆସୁଛନ୍ତି । ଏଭଳି କନ୍ଦଳ ଭିତରେ ଛେନାପୋଡ଼ର  ଜିଆଇ ଟ୍ୟାଗ୍‌ ମାନ୍ୟତା ଦାବି ଦୁର୍ବଳ ହୋଇଗଲାଣି ।  ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ ଜିଆଇ ଟ୍ୟାଗ୍‌  ପାଇସାରିଥିବା ବେଳେ ଆଜି ପର୍ଯ୍ୟନ୍ତ ଛେନାପୋଡ଼  ଏହି ମାନ୍ୟତା ହାସଲ କରିପାରିନାହିଁ ।  

ତଥାପି ଶୁକ୍ରବାର ନୟାଗଡ଼ ସହରରେ ବିଭିନ୍ନ  ଅନୁଷ୍ଠାନ ପକ୍ଷରୁ ଛେନାପୋଡ଼ ଦିବସ ପାଳନ  କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ. ଅରୁଣ କୁମାର  ସାହୁ ଏକ ପ୍ରସ୍ତୁତି ବୈଠକ କରି ଏହାର  ପ୍ରଚାର ପ୍ରସାର କରିବା ସହ ଜିଲ୍ଲାର ପରିଚୟ ସୃଷ୍ଟି  କରିଥିବା ଛେନାପୋଡ଼ ଦିବସକୁ ସବୁ ମହଲରେ  ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.