ବାରଙ୍ଗ,୧୪/୦୭: ସୋମବାର ବିଶ୍ୱ ସିମ୍ପାଞ୍ଜି ଦିବସ । ସିମ୍ପାଞ୍ଜିମାନଙ୍କ ସୁରକ୍ଷା, ବଂଶ ବୃଦ୍ଧି ପାଇଁ ଏହି ଦିବସ ପାଳନ  କରାଯାଉଛି । କିନ୍ତୁ ନନ୍ଦନକାନନରେ ଏହି  ସିମ୍ପାଞ୍ଜିଙ୍କ ବଂଶ ବୃଦ୍ଧିରେ ଏବେ ରୋକ  ଲାଗିଛି । 

୧୯୯୪ ମେ ୧୬ରେ ପ୍ରଥମ କରି ଏଠାକୁ ସିଙ୍ଗାପୁର ଚିଡିଆଖାନାରୁ  ୪ବର୍ଷର ଅଣ୍ଡିରା ସିମ୍ପାଞ୍ଜି "ଜୁଲୁ' ଓ  ୩ବର୍ଷର ମାଈ ସିମ୍ପାଜି "ପମ୍ପେଟା'କୁ  ଅଣାଯାଇଥିଲା । ୧୯୯୮ରେ ସେମାନଙ୍କ  ମିଳନ କରାଯାଇଥିଲା । ପ୍ରଥମ ଥର ସେହି  ବର୍ଷ ମେ ୧୨ ତାରିଖରେ ‘ପମ୍ପେଟା’ ଏକ  ମାଈ ଛୁଆ ଜନ୍ମ ଦେଇଥିଲା । ସିମ୍ପାଞ୍ଜି  ବଂଶ ବୃଦ୍ଧିରେ ନନ୍ଦନକାନନ ଏକ  ନୂତନ ଅଧ୍ୟାୟ ସୃଷ୍ଟି କଲା । ଏହି ପରି  ସିମ୍ପାଞ୍ଜି ସଂଖ୍ୟା ୧୫ରେ ପହଞ୍ଚିଥିଲା ।  ମାତ୍ର ୨୦୨୪ ଡିସେମ୍ବର ୩୦ ରେ ୩୬  ବର୍ଷୀୟ ଅଣ୍ଡିରା ସିମ୍ପାଞ୍ଜି ‘ଜୁଲୁ’ର ମୃତ୍ୟୁ  ହୋଇଥିଲା । ଜୁଲୁର ମୃତ୍ୟୁ ପରେ ପ୍ରାଣୀ  ଉଦ୍ୟାନରେ ୩ଟି ଅଣ୍ଡିରା ସିମ୍ପାଞ୍ଜି ଅଛନ୍ତି,  କିନ୍ତୁ ସେମାନେ ଏବେ ଛୋଟ । ସବୁଠୁ  ବଡ଼ ଅଣ୍ଡିରା ସିମ୍ପାଞ୍ଜି ‘ରାଜା’ର ବୟସ ସାଢ଼େ ୪ ବର୍ଷ । ଅନ୍ୟ ଦୁଇଟି ହେଲେ  ପୁଷ୍ପ ଓ ସୁରଜ । ସେମାନଙ୍କ ବୟସ  ଯଥାକ୍ରମେ ସାଢ଼େ ୬ ମାସ ଓ ସାଢ଼େ  ୫ ମାସ । ରାଜା ପ୍ରାପ୍ତ ବୟସ୍କ ହେବାକୁ  ଆହୁରି ୫ ବର୍ଷ ଲାଗିବ ।

ସେହିପରି ରକ୍ତ  ସମ୍ପର୍କ ମିଳନ ପାଇଁ ଜନ୍ମିତ ଶାବକମାନେ  ରୋଗିଣା ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ତେଣୁ କର୍ତ୍ତୃପକ୍ଷ ଯଦି ଅନ୍ୟ ଚିଡ଼ିଆଖାନାରୁ ଅଣ୍ଡିରା ସିମ୍ପାଞ୍ଜି ନ ଆଣନ୍ତି,  ତେବେ ଆସନ୍ତା ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ  ଏମାନଙ୍କ ବଂଶ ବୃଦ୍ଧି ହୋଇପାରିବ ନାହିଁ । ନନ୍ଦନକାନନରେ ଏବେ ୮ଟି (ପମ୍ପେଟା,  ପୂର୍ଣ୍ଣିମା, ଦୁର୍ଗା, ଲକ୍ଷ୍ମୀ, ରାଜା, ରାକ୍ଷୀ,  ପୁଷ୍ପା ଓ ସୁରଜ) ସିମ୍ପାଞ୍ଜି ଅଛନ୍ତି।  ପ୍ରାଣୀ ଉଦ୍ୟାନର ୬୦(କ) ଖୁଆଡ଼ରେ  ରହୁଛନ୍ତି ସିମ୍ପାଞ୍ଜି । ଏମାନେ ସବୁ  ଜୀବଜନ୍ତୁଙ୍କଠାରୁ ନିଆରା । ମଣିଷ ଭଳି  ଖାଦ୍ୟପେୟ ଓ ଚାଲିଚଳନ । ଏମାନେ ପର୍ଯ୍ୟଟକମାନଙ୍କର ଅଧିକ ମନୋରଞ୍ଜନ  କରିଥାନ୍ତି । ତେଣୁ ଏହି ସିମ୍ପାଞ୍ଜି ଦିବସରେ  କର୍ତ୍ତୃପକ୍ଷ ଏମାନଙ୍କ ବଂଶ ବୃଦ୍ଧି ପାଇଁ  ଆବଶ୍ୟକ ପଦକ୍ଷେପ ନେବାକୁ ପଶୁ  ପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି ।