ବିଜୟରୁ ବିଶ୍ୱକପ୍ ଅଭିଯାନ

ସାଉଥମ୍ପଟନ୍,୫ା୬(ଏଜେନ୍ସି): ରୋମାଞ୍ଚକର ବିଜୟ ସହ ଆଜି ବିଶ୍ୱକପ୍ରେ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଓପନର ରୋହିତ ଶର୍ମାଙ୍କ ଅପରାଜିତ ଶତକ ଏବଂ ୟୁଝବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ସହାୟତାରେ ଭାରତ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍ରେ ପରାଜିତ କରିଛି । ଚଳିତ ବିଶ୍ୱକପ୍ର ଅଷ୍ଟମ ଲିଗ୍ ମୁକାବିଲାରେ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତେ୍ୱ ଦକ୍ଷିଣ ଆଫ୍ରିକା ଲଢୁଆ ବ୍ୟାଟିଂ କରି ୯/୨୨୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ ୪୭.୩ ଓଭରରେ ୪ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା ।
ଟସ୍ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫିଟ୍ ହୋଇ ଫେରିଥିବା ହାସିମ ଆମଲା ଓ କ୍ୱିଣ୍ଟନ ଡି କକ୍ ସତର୍କତାର ସହ ପାଳି ଆରମ୍ଭ କରିନଥିଲେ । ଭାରତୀୟ ପେସ୍ ବୋଲରମାନେ ମଧ୍ୟ ସଟ୍ ପିଚ୍ କିମ୍ବା ବାଉନ୍ସର ପକାଇ ଭୟ ସଞ୍ଚାର କରିବା ବଦଳରେ କେବଳ ସଠିକ୍ ଲାଇନ୍ ଓ ଲେଙ୍ଗ୍ଥକୁ ପ୍ରାଥମିକତା ଦେଇଥିଲେ । ଚର୍ଚ୍ଚାରେ ରହିଥିବା ଜଶପ୍ରୀତ ବୁମରା ୨୪ ରନ୍ ମଧ୍ୟରେ ଉଭୟ ଓପନରଙ୍କୁ ପାଭିଲିୟନ ପଠାଇ ଦେଇଥିଲେ । ଆମଲା ୬ ଓ ଡି କକ୍ ୧୦ ରନ୍ କରିଥିଲେ । ଅଧିନାୟକ ଫାଫ ଡୁ ପ୍ଲେସି ଓ ରାସି ଭାନ ଡର ଡୁସେନ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ତୃତୀୟ ୱିକେଟ୍ରେ ୫୪ରନ୍ ଯୋଗ କରିଥିଲେ । ଦଳୀୟ ସ୍କୋର ୭୮ ବେଳେ ତୃତୀୟ ୱିକେଟ୍ ପତନ ଘଟିଥିଲା । ୨୦ତମ ଓଭରରେ ଡୁସେନ(୨୨) ୟୁଝବେନ୍ଦ୍ର ଚହଲଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ । ସେହି ଓଭରରେ ଡୁ ପ୍ଲେସି(୩୮)ଙ୍କୁ ବୋଲ୍ଡ କରି ଚହଲ ବିପର୍ଯ୍ୟୟ ଘଟାଇଥିଲେ । ପରେ ପରେ ଜେପି ଡ୍ୟୁମିନି(୩) ଆଉଟ୍ ହୋଇଥିଲେ । ୮୯ ରନ୍ରେ ଦକ୍ଷିଣ ଆଫ୍ରିକା ୫ଟି ୱିକେଟ୍ ହରାଇ ସଂକଟରେ ପଡ଼ି ଯାଇଥିଲା । ଡେଭିଡ୍ ଭିଲର ଉପଯୋଗୀ ୩୧ ରନ୍ କରିଥିଲେ ହେଁ ଶେଷରେ ଚହଲଙ୍କ ତୃତୀୟ ଶିକାର ସାଜିଥିଲେ ।
ଅନ୍ତିମ ଭାଗ ବ୍ୟାଟ୍ସମ୍ୟାନମାନେ ଲଢୁଆ ବ୍ୟାଟିଂ କରିଥିଲେ । ଆଣ୍ଡିଲ ଫେଲୁକ୍ୱାୟୋ, କ୍ରିସ୍ ମୋରିସ ଓ କାଗିସୋ ରାବାଡାଙ୍କ ବଳିଷ୍ଠ ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ୨୨୭ ରନ୍ କରିବାକୁ ସମର୍ଥ ହୋଇଥିଲା । ଫେଲୁକ୍ୱାୟୋ ୩୪ ରନ୍ କରିଥିଲେ । ମୋରିସ୍ ଓ ରାବାଡା ଅଷ୍ଟମ ୱିକେଟ୍ରେ ୬୬ରନ୍ର ଭାଗିଦାରୀ କଠନ କରି ସ୍ଥିତି ସୁଧାରିଥିଲେ । ମୋରିସ୍ ୪୨ ରନ୍ କରିଥିଲେ । ରାବାଡା ୩୧ ରନ୍ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ଚହଲ ୪ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ବୁମରା ଓ ଭୁବନେଶ୍ୱର କୁମାର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
୨୨୮ ରନ୍ର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ଦଳୀୟ ସ୍କୋର ୧୩ ବେଳେ ବ୍ୟକ୍ତିଗତ ୮ ରନ୍ କରି ଶିଖର ଧାୱନ ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି ଅପରାଜିତ ଓପନର ରୋହିତ ଶର୍ମାଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ଉଭୟ ଦ୍ୱିତୀୟ ୱିକେଟ୍ରେ ୪୧ରନ ସଂଗୃହୀତ ହୋଇଥିଲା । ଦଳୀୟ ସ୍କୋର ୫୪ ବେଳେ ଦ୍ୱିତୀୟ ୱିକେଟ୍ର ପତନ ଘଟିଥିଲା । କୋହଲି ୧୮ରନ୍ କରି ପାଭିଲିୟନ ଫେରିଥିଲେ । ରୋହିତଙ୍କୁ ଆଉଟ୍ କରିବାରେ ଦକ୍ଷିଣ ଆଫ୍ରିକା ବୋଲର ବିଫଳ ହୋଇଥିଲା । ପ୍ରାରମ୍ଭରୁ ଧୈର୍ଯ୍ୟର ସହ ବ୍ୟାଟିଂ କରୁଥିବା ରୋହିତଙ୍କ ଆଗରେ ସବୁ ରଣନୀତି ଫେଲ ମାରିଥିଲା । ଲୋକେଶ ରାହୁଲ କ୍ରିଜ୍କୁ ଓହ୍ଲାଇବା ପରେ ଆଉ ଏକ ସଫଳ ଭାଗିଦାରୀ ଗଠନ ହୋଇଥିଲା । ତୃତୀୟ ୱିକେଟ୍ରେ ଉଭୟ ୮୫ ରନ୍ ଯୋଗ କରି ବିଜୟ ପଥ ପରିସ୍କାର କରିଦେଇଥିଲେ । ଦଳୀୟ ସ୍କୋର ୧୩୯ବେଳେ ରାହୁଲ ବ୍ୟକ୍ତିଗତ ୨୬ ରନ୍ କରି ଆଉଟ୍ ହୋଇଥିଲେ । ରୋହିତ ଗୋଟିଏ ପଟେ ଆକର୍ଷଣୀୟ ସଟ୍ ମାନ ଖେଳି ୨୩ତମ ଦିନିକିଆ ଶତକ ଅର୍ଜନ କରି ସୌରଭ ଗାଙ୍ଗୁଲିଙ୍କ ଦିନିକଆ ଶତକ ରେକର୍ଡ ଅତିକ୍ରମ କରିଥିଲେ । ମହେନ୍ଦ୍ର ସିଂ ଧୋନିଙ୍କ ସହ ଚତୁର୍ଥ ୱିକେଟ୍ରେ ରୋହିତ ଯୋଗ କରିଥିଲେ ୭୪ ରନ୍ । ଦଳୀୟ ସ୍କୋର ୨୧୩ ବେଳେ ଧୋନି(୩୪) ଏକ ତ୍ରୁଟି ପୂର୍ଣ୍ଣ ସଟ୍ ଖେଳି ଆଉଟ୍ ହୋଇଥିଲେ । ରୋହିତ ଗୋଟିଏ ପଟେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ସେ ୧୪୪ଟି ବଲ୍ରୁ ୧୩ଟି ଚୌକା ଓ ୨ଟି ଛକା ବଳରେ ୧୨୨ ରନ୍ କରିଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୭ଟି ବଲ୍ରୁ ଅପରାଜିତ ୧୫ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା ୨ଟି ୱିକେଟ୍ ଅକ୍ତିଆର କରିଥିଲେ ।