ପୁରୀ: ବିଶ୍ୱ ପରିବେଶ ଦିବସ ୨୦୨୫ ଉପଲକ୍ଷେ, ପ୍ରତିବର୍ଷ ଜୁନ ୫ ତାରିଖରେ ପାଳନ କରାଯାଉଥିବା ଏହି ଦିବସରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବାଲୁକା ଶିଲ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ପୁରୀ ବେଳାଭୂମିରେ ଏକ ଶକ୍ତିଶାଳୀ ବାର୍ତ୍ତା “ପ୍ଲାଷ୍ଟିକ ପ୍ରଦୂଷଣକୁ ରୋକ” ସହ ୧୦୦୦ ପ୍ଲାଷ୍ଟିକ ବୋତଲ ଓ ଠିପି ବ୍ୟବହାର କରି ୩୦ ଫୁଟ ଲମ୍ବା ମାଛ ଆକୃତିର ବାଲୁକା ଶିଲ୍ପ ନିର୍ମାଣ କରିଛନ୍ତି।
ଏହି ବାଲୁକା ଶିଲ୍ପ ଏକକ ବ୍ୟବହାରୀ ପ୍ଲାଷ୍ଟିକର କ୍ଷତିକାରକ ପ୍ରଭାବକୁ ଉଜାଗର କରୁଛି। ଯାହା ସମୁଦ୍ର, ନଦୀ ଏବଂ ପ୍ରାକୃତିକ ପରିବେଶକୁ ପ୍ରଦୂଷିତ କରି ବନ୍ୟଜନ୍ତୁ ଓ ମାନବ ଜୀବନ ପାଇଁ ବିପଦ ସୃଷ୍ଟି କରୁଛି। ଏହି ଶିଲ୍ପ ନିର୍ମାଣ ପାଇଁ ପ୍ରାୟ ୬ ଟନ ବାଲି ଏବଂ ୧୦୦୦ ପ୍ଲାଷ୍ଟିକ ବୋତଲର ବ୍ୟବହାର କରାଯାଇଛି। ସୁଦର୍ଶନଙ୍କ ବାଲୁକା ଶିଲ୍ପ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନେ ତାଙ୍କ ସହ ମିଳିତ ଭାବେ ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି।
ଏହି ପରିପ୍ରେକ୍ଷିରେ ସୁଦର୍ଶନ କହିଛନ୍ତି ଯେ, “ଛୋଟ ପଦକ୍ଷେପ ବଡ଼ ପରିବର୍ତ୍ତନ ଆଣିପାରେ। ଏକ ଉତ୍ତମ ଆସନ୍ତାକାଲି ପାଇଁ ଆଜିଠାରୁ ଆରମ୍ଭ କରନ୍ତୁ।”
ଏଯାଏ ସୁଦର୍ଶନ ପଟ୍ଟନାୟକ ୬୫ରୁ ଅଧିକ ଆନ୍ତର୍ଜାତୀୟ ବାଲୁକା ଶିଲ୍ପ ଚାମ୍ପିୟନସିପ ଓ ଉତ୍ସବରେ ଭାଗ ନେଇ ଭାରତ ପାଇଁ ଅନେକ ପୁରସ୍କାର ଜିତିଛନ୍ତି। ସେ ନିଜର ବାଲୁକା ଶିଲ୍ପ ମାଧ୍ୟମରେ ଏଚଆଇଭି/ଏଡ଼ସ, କୋଭିଡ-୧୯, ଗ୍ଲୋବାଲ ୱାର୍ମିଂ, ଆତଙ୍କବାଦ ରୋକ, ପ୍ଲାଷ୍ଟିକ ପ୍ରଦୂଷଣ ରୋକ ଏବଂ ପରିବେଶ ସୁରକ୍ଷା ଭଳି ସାମାଜିକ ସଚେତନତା ବାର୍ତ୍ତା ପ୍ରଚାର କରିଆସୁଛନ୍ତି।
ପୁରୀ ବେଳାଭୂମିରେ ନିର୍ମିତ ଏହି ବାଲୁକା ଶିଲ୍ପ ପ୍ଲାଷ୍ଟିକ ପ୍ରଦୂଷଣ ବିରୁଦ୍ଧରେ ଏକ ଶକ୍ତିଶାଳୀ ଆହ୍ୱାନ ସୃଷ୍ଟି କରିଛି ଏବଂ ପରିବେଶ ସୁରକ୍ଷା ପାଇଁ ସମାଜକୁ ଏକଜୁଟ ହେବାକୁ ପ୍ରେରଣା ଦେଇଛି।