ପୁରୀ,୦୬/୦୪: ଆଜିଠୁ ବହୁ ପ୍ରତୀକ୍ଷିତ ଶ୍ରୀକ୍ଷେତ୍ରର ସାହି ଯାତ  ଆରମ୍ଭ ହେବ । ଶ୍ରୀମନ୍ଦିରର ରୀତିନୀତିକୁ ନେଇ ରାମ ନବମୀରେ ରାମଜନ୍ମଠାରୁ ରାମଙ୍କ ଅଭିଷେକ ପର୍ଯ୍ୟନ୍ତ ପୁରୀର ଆଠ ସାହି ୪୨  କନ୍ଦି ବୀରବାଦ୍ୟରେ କମ୍ପିବ । 

ପ୍ରଥମ ଦିନରେ ଶ୍ରୀମନ୍ଦିରରେ  ରାମ ଜନ୍ମନୀତି କଳିକା ଦେବୀ  ସାହି ପକ୍ଷରୁ ଅନୁଷ୍ଠିତ ହେବ ।  ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ,  ମହର୍ଷି ଆଦି ବେଶ ହୋଇ  କଳିକାଦେବୀ ସାହିରୁ ଭୁଆସିକଙ୍କ ସହିତ ପଡ଼ୋଶୀ  ସାହି ମାଟିମଣ୍ଡପ ସାହିକୁ ଯିବେ । ମିତ୍ର ସାହି ଭାବେ  ସଂସ୍କୃତି ଓ ସମର କଳା ଦେଖାଇବେ । ଶ୍ରୀମନ୍ଦିରରେ  ଦ୍ୱିପ୍ରହର ଧୂପ ସରିଲେ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ  ହେବ । ଶ୍ରୀମନ୍ଦିରରୁ ଚରୁଅନ୍ନ ଆଣି ମା ଦକ୍ଷିଣକାଳୀଙ୍କୁ ଅର୍ପଣ କରାଯିବା ପରେ ରାମ ଲକ୍ଷ୍ମଣ ଚରିତ୍ରମାନେ ସାହି ପରିକ୍ରମା କରିବେ । 

କାର୍ଯ୍ୟସୂଚୀ ଅନୁସାରେ  କାଳିକାଦେବୀ ସାହି ପକ୍ଷରୁ ରାମଜନ୍ମ ନୀତି ଶେଷ  ହେବା ପରେ ୭ ତାରିଖରେ  ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞ  ରକ୍ଷା ନୀତି ହେବ । ସେହି ଦିନ  ମାଟିମଣ୍ଡପ ସାହିର ନିଶାଣ ଯାତ୍ରା  ମଧ୍ୟ କରାଯିବ । ୮ ତାରିଖରେ  ହରଚଣ୍ଡୀ ସାହିର ସୀତାବିବାହ  ନୀତି ଅନୁଷ୍ଠିତ ହେବ । ପରେ ୯ ତାରିଖରେ ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ଶ୍ରୀରାମ ବନବାସ ଏବଂ  ୧୧ ତାରିଖରେ କୁଣ୍ଢେଇବେଣ୍ଟ ସାହିର ମାୟା ମୃଗ ନୀତି  ପାଳନ ହେବ । ୨୨ ତାରିଖ ପର୍ଯ୍ୟନ୍ତ ସାହିଯାତ ଚାଲିବ ।