ଭୁବନେଶ୍ୱର ୨୯/୦୯: ଆଜି ହେଉଛି ବିଶ୍ୱ ହୃଦୟ ଦିବସ। ହୃଦରୋଗ ବିଷୟରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ୱ ହୃଦୟ ଦିବସ ଭାବରେ ପାଳନ କରାଯାଏ। ସାରା ବିଶ୍ୱରେ ହୃଦଘାତ ମୃତ୍ୟୁସଂଖ୍ୟା ବଢୁଥିବାର ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ବିଶ୍ୱ ହୃଦୟ ଫେଡେରେସନ ମିଳିତ ଭାବେ ବିଶ୍ୱ ହୃଦୟ ଦିବସର କଳ୍ପନା କରିଥିଲେ। ଏହି ବିଶେଷ ଦିନ ପାଳନ କରିବାର ଆରମ୍ଭ ପ୍ରଥମେ ୨୦୦୦ ମସିହାରେ ହୋଇଥିଲା। ସେତେବେଳେ ନିଷ୍ପତ୍ତି ନିଆଯାଇଥିଲା ଯେ, ପ୍ରତିବର୍ଷ ସେପ୍ଟେମ୍ବର ମାସ ଶେଷ ରବିବାର ଦିନ ବିଶ୍ୱ ହୃଦୟ ଦିସ ପାଳନ କରାଯିବ। ୨୦୧୪ରେ ଏଥିରେ ପରିବର୍ତ୍ତନ ଆଣାଯାଇ ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ୱ ହୃଦୟ ଦିବସ ଭାବେ ପାଳନ କରିବାକୁ ସ୍ଥିର କରାଗଲା।
ଖାଦ୍ୟପେୟ ଅନିୟମିତତା ହେଉ ବା ଶାରୀରିକ ପରିଶ୍ରମର ଅଭାବ, ବର୍ତ୍ତମାନ ହୃଦରୋଗ ଏକ ବଡ ସମସ୍ୟା ହୋଇ ଛିଡା ହୋଇଛି। ସଚେତନତା ଅଭାବରୁ ଅନେକ ଲୋକ ହୃଦଘାତର ଶିକାର ହେବା ସହ ପ୍ରାଣ ମଧ୍ୟ ହରାଉଛନ୍ତି। ବର୍ତ୍ତମାନ ସମୟରେ ଆଧୁନିକ ଜୀବନଶୈଳୀ ଅନେକ ରୋଗର କାରଣ ପାଲଟିଛି। ତା ମଧ୍ୟରୁ ସବୁଠାରୁ ବଡ ରୋଗ ହେଉଛି ହୃଦରୋଗ।
ଫାଷ୍ଟ ଫୁଡ୍, ଜଙ୍କଫୁଡ୍, ଅତ୍ୟଧିକ ଚର୍ବିଯୁକ୍ତ ଖାଦ୍ୟ ଖାଇବା, ମଦ୍ୟପାନ, ଧୂମପାନ ସହ ବ୍ୟାୟାମରୁ ଦୂରେଇ ରହିବା ଦ୍ୱାରା ହୃଦଯନ୍ତ୍ର ଦୁର୍ବଳ ହୋଇଯାଇଥାଏ। ଅତ୍ୟଧିକ ଚିନ୍ତା ଓ ଉଦବେଗ ମଧ୍ୟ ହୃଦରୋଗକୁ ଡାକିଆଣେ। ୫୦ରୁ ଅଧିକ ବୟସ୍କ ଲୋକଙ୍କଠାରେ ଏହା ସାଧାରଣତଃ ଅଧିକ ଦେଖାଯାଏ। ତେବେ ସ୍ତ୍ରୀ ଲୋକଙ୍କ ତୁଳନାରେ ପୁରୁଷମାନେ କମ୍ ବୟସରେ ହୃଦରୋଗର ଶିକାର ହେବାର ସମ୍ଭାବନା ଅଧିକ ଥାଏ। ହୃଦୟ ମାନସିକ ଆଉ ଶାରୀରିକ ସୁସ୍ଥତାର ଏକ ପ୍ରମୁଖ ଅଂଶ। ତେଣୁ ହୃଦୟ ସୁଥ ରହିବା ନିହାତି ଆବଶ୍ୟକ। ଏହି ଦିବସ ମାଧ୍ୟରେ ହୃଦରୋଗକୁ କିଭଳି ଦୂର କରାଯାଇପାରିବ , ସେ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଏ। ଚଳିତବର୍ଷ ବିଶ୍ୱ ହୃଦୟ ଦିବସର ଥିମ ରହିଛି “Don’t Miss a Beat”।