World Kidney Day: କିଡ୍ନୀ ରୋଗୀ ଭୁଲରେ ବି ଖାଆନ୍ତୁନି ଏହି ଜିନିଷ, ହୋଇପାରେ ଏପରି କ୍ଷତି

healthshots
ନୂଆଦିଲ୍ଲୀ ୦୯/୦୩ : କିଡ୍ନୀକୁ ସୁସ୍ଥ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି କିଡ୍ନୀ ଶରୀରରେ ସଠିକ୍ ଭାବରେ କାମ ନକରେ, ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଫଳ, ଜୁସ୍, ଡ୍ରାଏ ଫ୍ରୁଟ୍ସ ଏବଂ ଫସଫରସ୍ ଥିବା ଖାଦ୍ୟ ନ ଖାଇବାକୁ ପରାମର୍ଶ ଦିଅନ୍ତି । ଆମ କିଡ୍ନୀ ଲକ୍ଷ ଲକ୍ଷ ସୁକ୍ଷ୍ମ ଟିସୁରେ ଗଠିତ, ଯାହାକୁ ନେଫ୍ରନ୍ କୁହାଯାଏ। ନେଫ୍ରନ୍ ଖରାପ ହେତୁ କିଡ୍ନୀ ରୋଗ ହୁଏ। ଯଦି କୌଣସି କାରଣରୁ କିଡ୍ନୀର ନେଫ୍ରନ୍ ଡ୍ୟାମେଜ୍ ହୋଇଯାଏ, ତେବେ ରକ୍ତ ସଠିକ୍ ଭାବରେ ସଫା ହୋଇନଥାଏ। ଯେଉଁ କାରଣରୁ ଶରୀରକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ତେବେ ବିଶ୍ୱ କିଡ୍ନୀ ଦିବସରେ ଚାଲନ୍ତୁ ଜାଣିବା କିଡ୍ନୀକୁ ସୁସ୍ଥ ରଖିବା ପାଇଁ କେଉଁ ଖାଦ୍ୟ ଖାଇବା ଉଚିତ୍ ନୁହେଁ।

ଲୁଣ, ଚିନି ଏବଂ କାର୍ବସ୍ :
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କିଡ୍ନୀକୁ ସୁସ୍ଥ ରଖିବା ପାଇଁ ଲୁଣ, ଚିନି ଏବଂ କାର୍ବସ୍ ଅଧିକ ଖାଇବା ଉଚିତ୍ ନୁହେଁ। ଏହା ସହିତ ପ୍ରଚୁର ପାଣି ପିଇବା ଉଚିତ୍। ଡାକ୍ତରଙ୍କ ଅନୁଯାୟୀ, କୃତ୍ରିମ ଚିନି ବଦଳରେ ମହୁ କିମ୍ବା ଫଳ ପରି ନାଚୁରାଲ୍ ସୁଗାର ଖାଦ୍ୟରେ ଅନ୍ତର୍ଭୂକ୍ତ କରାଯିବା ଉଚିତ। ଆର୍ଟିଫିସିଆଲ୍ ଜୁସ୍ ମଧ୍ୟ ଆମ କିଡ୍ନୀ ପାଇଁ ଭଲ ନୁହେଁ ।

ପୋଟାସିୟମ୍ ଓ ଫସଫରସ୍ :
ପୋଟାସିୟମ୍ ଓ ଫସଫରସ୍ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । କିନ୍ତୁ ଯଦି କିଡ୍ନୀ ସଂକ୍ରମିତ ହୋଇଥାଏ କିମ୍ବା ସଠିକ୍ ଭାବରେ କାମ କରୁନଥାଏ, ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅଧିକ ପୋଟାସିୟମ୍ ଏବଂ ଫସଫରସ୍ ଭରପୂର ଖାଦ୍ୟ ଖାଇବାକୁ ବାରଣ କରନ୍ତି। ଆପଣଙ୍କର ବ୍ଲଡ୍ ପ୍ରେସର୍, ବ୍ଲଡ୍ ସୁଗାର୍, ପୋଟାସିୟମ୍ ଏବଂ ୱାଟର୍ ରେଟେନସନ୍କୁ ନିୟନ୍ତ୍ରଣରେ ରଖିବା ଉଚିତ୍, ଯାହାଫଳରେ କିଡ୍ନୀ ସଠିକ୍ ଭାବରେ କାର୍ଯ୍ୟ କରିପାରିବ। କିଡ୍ନୀ ରୋଗରେ ସୀମିତ ପରିମାଣରେ ପ୍ରୋଟିନ୍ ମଧ୍ୟ ଗ୍ରହଣ କରିବା ଉଚିତ୍।

ଡେରୀ ପ୍ରଡକ୍ଟ୍ସ :
ଦୁଗ୍ଧଜାତ ଦ୍ରବ୍ୟରେ ଅନେକ ଭିଟାମିନ୍ ଏବଂ ପୋଷକ ତତ୍ତ୍ୱ ଭରପୂର ରହିଥାଏ। ଏହା ଫସଫରସ୍, ପୋଟାସିୟମ୍ ଏବଂ ପ୍ରୋଟିନର ଏକ ପ୍ରାକୃତିକ ଉତ୍ସ । ଅଧିକ ପରିମାଣରେ ଏହାକୁ ସେବନ କରିବା ଦ୍ୱାରା କିଡନୀ ରୋଗୀଙ୍କ ହାଡ କ୍ଷତି ହୋଇଥାଏ। ଯେତେବେଳେ କିଡ୍ନୀ ଖରାପ ହୋଇଯାଏ, ରକ୍ତରେ ଫସଫରସ୍ ପରିମାଣରେ ବୃଦ୍ଧି ଘଟିଥାଏ, ଯାହା ହାଡରୁ କ୍ୟାଲସିୟମ୍ ଟାଣିବା ଆରମ୍ଭ କରିଥାଏ। ଯେଉଁ କାରଣରୁ ହାଡଗୁଡ଼ିକ ଅଧିକ ପତଳା ହୋଇଯାଏ।