ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ: ମାସକରେ ଦିନେ ଛୁଟି ଦାବି କରି ଶ୍ରମ ମନ୍ତ୍ରାଳୟରେ ପିଟିସନ୍ ଦାଖଲ କଲେ ସମ୍ବଲପୁର ଝିଅ

ସମ୍ବଲପୁର, ୨୮/୦୫: ‘ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା । ମହିଳାଙ୍କ ଶାରୀରିକ ପରିବର୍ତ୍ତନର ଏକ ଅଂଶ । ପ୍ରତ୍ୟେକ ମହିଳା ଏହି ବାଇଲୋଜିକାଲ୍ ପ୍ରକ୍ରିୟା ଦେଇ ଗତି କରନ୍ତି । ଯେଉଁ ସମୟରେ କି ଉଭୟ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଥାଏ। ତେଣୁ ଶରୀରକୁ ଆରାମ ଦରକାର ହୋଇଥାଏ । କିନ୍ତୁ ଏଥିପାଇଁ କର୍ମଜୀବୀ ମହିଳାଙ୍କୁ ଭାରତରେ ଛୁଟି ମିଳେ ନାହିଁ । ତେଣୁ ଋତୁସ୍ରାବ ସମୟରେ ମହିଳାଙ୍କୁ ଗୋଟିଏ ଦିନ ଛୁଟି ଦେବାକୁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟରେ ଏକ ପିଟିସନ୍ ଦାଖଲ କରିଛନ୍ତି ସମ୍ବଲପୁର ଝିଅ ରଞ୍ଜିତା ପ୍ରିୟଦର୍ଶନୀ ।
ଛତିଶଗଡ଼ କଳିଙ୍ଗା ବିଶ୍ୱବିଦ୍ୟାଳୟ ଆଇନ ଛାତ୍ରୀ ରଞ୍ଜିତା କହିଛନ୍ତି, ଦେଶରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରେ ଏକ ତୃତୀୟାଂଶ ହେଉଛନ୍ତି ମହିଳା । କିନ୍ତୁ ଋତୁସ୍ରାବ ସମୟରେ ସେମାନେ କାମ କରିବାକୁ ଶାରୀରିକ ଓ ମାନସିକସ୍ତରରେ ପ୍ରସ୍ତୁତ ନଥାନ୍ତି । ଅଣ୍ଟା ବ୍ୟଥା, ମୁଣ୍ଡ ବିନ୍ଧା, ହାତଗୋଡ଼ ଦରଜ ଏବଂ ମାଂସପେଶୀ ଯନ୍ତ୍ରଣା ଦାୟକ ହୋଇଥାଏ । ଏମିତି କି, ମହିଳାମାନେ କାମ କରୁଥିବା ସବୁ କାର୍ଯ୍ୟାଳୟରେ ଉପଯୁକ୍ତ ପାଇଖାନା କିମ୍ବା ବିଶ୍ରାମାଗାରର ବ୍ୟବସ୍ଥା ନଥାଏ । ଫଳରେ ସାନିଟାରି ପ୍ୟାଡ୍ ପରିବର୍ତ୍ତନ କରିବା ହେଉକି ଆବଶ୍ୟକ ସ୍ଥଳେ ବିଶ୍ରାମ କରିପାରି ନଥାନ୍ତି । ଯାହାକି ସେମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଏନେଇ କୌଣସି ପ୍ରଶ୍ନ ନକରି ମାସକ ଗୋଟିଏ ଦିନ ପାରିଶ୍ରମିକ ଛୁଟି(ପେଡ୍ ଲିଭ୍) ଘୋଷଣା କରିବାକୁ ସେ ଦାବି କରିଛନ୍ତି ।
ଏହାସହ ରଞ୍ଜିତା କହିଛନ୍ତି, ଭାରତୀୟ ସମ୍ବିଧାନ ଅନୁଚ୍ଛେଦ ୧୫(୩) ଓ ଅନୁଚ୍ଛେଦ ୪୨ ଅନୁସାରେ ଶାରୀରିକ କାର୍ଯ୍ୟକ୍ଷମ ଅନୁସାରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାର ନିୟମ ରହିଛି । ଋତୁସ୍ରାବକୁ ନେଇ ଆମ ସମାଜରେ ସଚେତନତା ଅଭାବ, ଅଜ୍ଞତା ଓ ଅନ୍ଧବିଶ୍ୱାସ ଭରି ରହିଛି । କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ଏହା ଆଉ ଏକ ଚ୍ୟାଲେଞ୍ଜ । ଋତୁସ୍ରାବକୁ ନେଇ ସମସ୍ତଙ୍କ ସାମ୍ନାରେ ମୁହଁ ଖୋଲିବା ସମ୍ଭବ ହେଉ ନାହିଁ । ଏହି ସମୟରେ କର୍ମଜୀବୀ ମହିଳା ଅନେକ ସମସ୍ୟାକୁ ସମ୍ନା କରୁଥିବାରୁ ସେମାନଙ୍କ ପାଇଁ ବିଶ୍ରାମର ଆବଶ୍ୟକତା ରହିଛି । ଏହାକୁ ଗୁରୁତ୍ୱ ଦେବା ସହ ସାରା ଦେଶରେ ମହିଳାଙ୍କ ପାଇଁ ଗୋଟିଏ ଦିନ ପାରିଶ୍ରମିକ ଛୁଟି(ପେଡ୍ ଲିଭ୍) ଘୋଷଣା କରିବାକୁ ସେ ଦାବି କରିଛନ୍ତି ।