ନୂଆଦିଲ୍ଲୀ,୨୧/୦୬: ରୋଗିଣା ମନର ଔଷଧ । ଏକୁଟିଆପଣର ସାଥୀ । ଜୀବନ ରାସ୍ତା ସହଜ ହୋଇଯାଏ ସାଥିରେ ସେ ଥିଲେ । ଦୁନିଆ ସଂଗୀତର ଭାଷା ବୁଝେ । ସଂଗୀତ ଆତ୍ମାର କବିତା । ଜୀବନର ଅଂଶ ସେ । ତା ବିନା ଜୀବନ ଗୋଟେ ପ୍ରଶ୍ନ । ଜୀବନରେ କେହି ଜଣେ ମନର ମିତ ହେବା ଦରକାର । ମନର ମିତ ନଥଲେ ସାଥିରେ ଗୀତ ରହିବା ଦରକାର । ସୁଖ, ଦୁଃଖ, ଚିନ୍ତା, ସେଲିବ୍ରେସନ୍, ଯାତ୍ରା ସବୁ ପରିସ୍ଥିତିର ସାଥୀ ସେ । ସଂଗୀତରୁ ଶାନ୍ତି ମିଳେ । ଏହା କେବଳ ମନୋରଞ୍ଜନ ମାଧ୍ୟମ ନୁହେଁ ଜୀବନରେ ଥେରାପି ଭଳି କାମ କରେ ସଂଗୀତ । ଦୁନିଆର ସବୁଠୁ ସହଜ ଭାଷା ହେଉଛି ସଙ୍ଗୀତ । ସଂଗୀତର ଏହି ଉପଯୋଗିତା ଓ ମହତ୍ୱକୁ ନେଇ ସଚେତନ କରିବାକୁ ପ୍ରତିବର୍ଷ ଜୁନ ୨୧କୁ ବିଶ୍ୱ ସଂଗୀତ ଦିବସ ଭାବେ ପାଳନ କରାଯାଏ ।
ସଂଗୀତ ସମସ୍ତଙ୍କୁ ସେମାନଙ୍କ ପସନ୍ଦ ଓ ଆବଶ୍ୟକତା ହିସାବରେ ଆନନ୍ଦ ଦିଏ । ସଂଗୀତ ସହ ଫ୍ରାନ୍ସ ଲୋକଙ୍କ ଖାସ୍ ସମ୍ପର୍କ ରହିଛି । ୧୯୮୨ରେ ସଂଗୀତ ଦିବସ ପାଳନ କରିବାକୁ ଘୋଷଣା ହୋଇଥିଲା । ସେହି ସମୟରେ ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ଥିବା ଜ୍ୟାକ୍ ଲେଗ ସଂଗୀତ ଦିବସ ପାଳନ ନେଇ ପ୍ରସ୍ତାବ ଦେଇଥିଲେ । ଏହାକୁ ୩୨ ଦେଶ ସମର୍ଥନ କରିଥିଲେ । ଏହା ପରେ ଅନେକ ଦେଶ ଏହି ଦିନକୁ ସେଲିବ୍ରେଟ କରୁଛନ୍ତି । ସଂଗୀତ ଆମକୁ ମାନସିକ ଶାନ୍ତି ଦିଏ । ତାକୁ ପଦେ ଶୁଣିଲେ ମନକୁ ଖୁସି ମିଳେ । ଦୁଃଖରୁ ରିଲାକ୍ସ ଫିଲ୍ କରାଏ । ଏକୁଟିଆ ପଣର ସାଥୀ ସଂଗୀତ । ଖାଲି ଭାରତ ନୁହେଁ ଆମେରିକା, କାନାଡ଼ା, ବ୍ରିଟେନ୍, ଗ୍ରୀସ, ଅଷ୍ଟ୍ରେଲିଆ , ବ୍ରାଜିଲ ସମେତ ଦେଶ ଏହି ଦିନକୁ ସେଲିବ୍ରେଟ୍ କରିଥାନ୍ତି ।
ଗୀତ ଯେତେ ପୁରୁଣା ହେଲେ ବି ଅଭୁଲା, ଅପାସୋରା । ଚିରସବୁଜ... । ଯେତେ ଶୁଣିଲେ ବି ତାକୁ ଆହୁରି ଶୁଣିବାକୁ ଇଚ୍ଛା ହୁଏ । ତା’ର ମାଧୁର୍ଯ୍ୟ, ମୁର୍ଚ୍ଛନା ଆତ୍ମାକୁ ଶାନ୍ତି ଦିଏ । ଆଜିକାଲି ଗୀତ ବାଜୁଛି ହେଲେ ମନକୁ ଛୁଉଁନି । ଟ୍ରେଣ୍ଡିଂ, ଭ୍ୟୁଜ୍ରେ ଖୁସି ନୂଆପିଢି । ଆଜିକାଲିର ଗୀତରେ ଭାଷା, ଶଦ୍ଦ ତାର ମହତ୍ତ୍ୱ ହରାଉଛି । ଓଡିଆ ଗୀତରେ ହିନ୍ଦୀ, ଇଂରାଜୀ ଶବ୍ଦ ବ୍ୟବହାର ହେଉଛି । ସମୟ ଅନୁସାରେ ଧାରା ବଦଳିବା ସ୍ୱାଭାବିକ, କିନ୍ତୁ ଭାବ ଅକ୍ଷୁଣ୍ଣ ରହିବା ଜରୁରି । ସଂଗୀତ ଉଡ଼ିବାକୁ ଡେଣା ଦିଏ । କଳ୍ପନା ଓ ଜୀବନରେ ଜିତିବାକୁ ସାହସ ଦିଏ । ସେଥିପାଇଁ ତ କୁହା ଯାଏ ସାତ ସୁରେ ବନ୍ଧା ଏ ଜୀବନ ।