ବାରଙ୍ଗ, ୨୨/୦୯: ଆଜି ବିଶ୍ୱ  ଗଣ୍ଡା ଦିବସ । ଗଣ୍ଡା ବଂଶ ବୃଦ୍ଧି ସହିତ ସେମାନଙ୍କ ସୁରକ୍ଷା ପାଇଁ ପ୍ରତ୍ୟେକ  ବର୍ଷ ସେପ୍ଟେମ୍ବର ୨୨କୁ ଗଣ୍ଡା ଦିବସ  ଭାବେ ପାଳନ କରାଯାଉଛି । ଓଡ଼ିଶାରେ  ଗଣ୍ଡା ଦେଖିବାକୁ ମିଳେ ନାହିଁ । କେବଳ  ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବାକୁ  ଆସୁଥିବା ପର୍ଯ୍ୟଟକ ଗଣ୍ଡା ଦେଖିବାର  ସୁଯୋଗ ପାଉଥିଲେ । କିନ୍ତୁ ପ୍ରାୟ ୯  ବର୍ଷ ହେଲା ପ୍ରାଣୀ ଉଦ୍ୟାନ ଗଣ୍ଡା ଶୂନ୍ୟ  ହୋଇଯାଇଛି । ସେହି ଖୁଆଡ଼ରେ ଏବେ ଗଣ୍ଡା ବଦଳରେ ଜଳହସ୍ତୀଙ୍କୁ ଦେଖିବାକୁ  ମିଳୁଛି । କର୍ତ୍ତୃପକ୍ଷ ଗଣ୍ଡା ଆଣିବା ପାଇଁ  ଉଦ୍ୟମ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗଣ୍ଡା ଆସିବାର ପଥ ପରିଷ୍କାର ହୋଇନାହିଁ । ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବା  ପାଇଁ ପ୍ରାଣୀ ଉଦ୍ୟାନରେସବୁ ପ୍ରକାର  ଉନ୍ନତିମୂଳକ କାର୍ଯ୍ୟ ଜୋରସୋର  ଚାଲିଛି । ଏଥିପାଇଁ ରାଜ୍ୟ ଓ କେନ୍ଦ୍ର  ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ  କରୁଛନ୍ତି । କିନ୍ତୁ ପ୍ରାଣୀ ଉଦ୍ୟାନରେ ଗଣ୍ଡାଟିଏ ନଥିବାରୁ ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି ।

ନନ୍ଦନକାନନକୁ  ୧୯୭୯ ମସିହାରେ ଆସାମର ଗୌହାଟିରୁ  ୩ବର୍ଷ ବୟସର ଅଣ୍ଡିରା ଗଣ୍ଡା ‘ନନ୍ଦ’  ଆସିଥିଲା । ପ୍ରାଣୀ ଉଦ୍ୟାନ ଜଳାଶୟ  ନିକଟ ୬୨ ନଂ.ଖୁଆଡ଼ରେ ନନ୍ଦକୁ  ରଖାଯାଇଥିଲା । ଦୀର୍ଘ ୩୭ ବର୍ଷଧରି  ‘ନନ୍ଦ’ ପର୍ଯ୍ୟଟକଙ୍କ ମନୋରଞ୍ଜନ  କରିଥିଲା । କିନ୍ତୁ ୨୦୧୬ ମସିହାରେ ଗଣ୍ଡା ଦିବସର କିଛି ମାସ ପୂର୍ବରୁ ହଠାତ୍‌  ଅସୁସ୍ଥ ହୋଇପଡ଼ିଥିଲା । ୬ ମାସ ଧରି  ତା’ର ଚିକିତ୍ସା କରାଯାଇଥିଲା । ମାତ୍ର ସେହିବର୍ଷ ସେପ୍ଟେମ୍ବର ୨୮ ତାରିଖରେ  ୪୦ ବର୍ଷ ବୟସରେ ତା’ର ମୃତ୍ୟୁ  ହୋଇଥିଲା । ଜୀବଜନ୍ତୁ କଟକଣା ପରେ ଅଦଳ ବଦଳ ପ୍ରକ୍ରିୟାରେ ଗଣ୍ଡା ଆସିବା ସମ୍ଭବ ହୋଇପାରୁନି । ସରକାର ଯଦି  ଏଥିପ୍ରତି ଗୁରୁତ୍ୱ ଦିଅନ୍ତି, ତେବେ ଗଣ୍ଡା  ଆସିପାରନ୍ତା ବୋଲି ଜଣେ ନନ୍ଦନକାନନ  ଅଧିକାରୀ କହିଛନ୍ତି ।