ଭୁବନେଶ୍ୱର ୧୨/୦୪: ହଜିଯାଉଛି ପଥପ୍ରାନ୍ତ ନାଟକ । ଆଉ ପଥ ପ୍ରାନ୍ତରେ ଦେଖିବାକୁ ମିଳୁନି କଳାକାରଙ୍କ ଅଭିନୟ, ଶୁଣିବାକୁ ମିଳୁନି ସଂଳାପ । ସଚେତନତାଧର୍ମୀ ହେଉ ଅବା ମନୋରଞ୍ଜନଧର୍ମୀ ବିଷୟବସ୍ତୁ, ସହଜ ଓ କମ୍ ସମୟରେ ଲୋକଙ୍କ ନିକଟତର ହେବାରେ ପଥପ୍ରାନ୍ତ ନାଟକ ଏକ ବିଶାଳ ମାଧ୍ୟମ । ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ବଡ଼ବଡ଼ ସହରରେ ‘ନୁକ୍କଡ’(ପଥପ୍ରାନ୍ତ ନାଟକ)ର କ୍ରେଜ୍ ରହିଛି, ହେଲେ ଓଡ଼ିଶାରେ ଏହାର ଲୋକପ୍ରିୟତା ନଗଣ୍ୟ । କେବଳ ସରକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ପଥପ୍ରାନ୍ତ ନାଟକ ହାତଗଣତି ସହରମାନଙ୍କରେ କରାଯାଉଛି ।

କଳାକାର ଅଛନ୍ତି ହେଲେ ମାତ୍ର ପଥପ୍ରାନ୍ତ ନାଟକ ହେଉନି । ନାଟ୍ୟଧାରାର ଏହି ପ୍ରାଚୀନ ପରମ୍ପରାକୁ ବଞ୍ଚାଇ ରଖିବାକୁ ଉଭୟ ସରକାର ଓ ନାଟ୍ୟ ସଙ୍ଗଠନ ଅଣ୍ଟା ଭିଡ଼ନ୍ତୁ ବୋଲି ନାଟ୍ୟପ୍ରେମୀମାନଙ୍କ ମତ । ଯୁବ ନାଟ୍ୟ ନିର୍ଦ୍ଦେଶକ ଦିନେଶ ଦାସଙ୍କ ମତରେ, ପଥପ୍ରାନ୍ତ ନାଟକ ଦ୍ୱାରା ଲୋକମାନେ ସହଜରେ ସାମାଜିକ ସମସ୍ୟା ବୁଝନ୍ତି, ବିଦ୍ୟାଳୟ ଓ କଲେଜରେ ଏହା ଶିକ୍ଷାକୁ ଆକର୍ଷଣୀୟ କରେ, ଦୁର୍ନୀତି ବିରୋଧ, ସ୍ୱଚ୍ଛତା, ନାରୀ ଅଧିକାର ଭଳି ବିଷୟରେ ଲୋକମାନଙ୍କ ମନୋଭାବ ବଦଳାଇବାରେ ସାହାଯ୍ୟ କରେ । ହେଲେ ସାମ୍ପ୍ରତିକ ସମୟରେ ଯୁବଗୋଷ୍ଠୀ ଏହାଠାରୁ ଧୀରେ ଧୀରେ ଦୁରେଇ ଯାଉଥିବାରୁ ପଥପ୍ରାନ୍ତ ନାଟକର ପ୍ରସ୍ତୁତି, ଅଭ୍ୟାସ ଏବଂ ପ୍ରଦର୍ଶନ ଦିନକୁ ଦିନ କମି କମି ଚାଲିଛି । ପୂର୍ବରୁ ବିଭିନ୍ନ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନାଟକ ଶିକ୍ଷା ଦିଆଯାଉଥିଲା । ଛାତ୍ରଛାତ୍ରୀମାନେ ଜନବସତିକୁ ଯାଇ ପଥପ୍ରାନ୍ତ ନାଟକ କରୁଥିଲେ । ଏପରିକି କଲେଜ, ବିଶ୍ୱବିଦ୍ୟାଳୟରେ ଡ୍ରାମାଟିକ୍ ଆସୋସିଏସନ୍ ଥିଲା । ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ରେ ଭାଗ ନେଉଥିବା ଛାତ୍ରଛାତ୍ରୀମାନେ ବସ୍ତିଅଞ୍ଚଳକୁ ଯାଇ ନାଟକ ପରିବେଷଣ କରୁଥିଲେ ।

ଏନେଇ ବରିଷ୍ଠ ନାଟ୍ୟକାର ମନ୍ମଥ ଶତପଥୀ କହିଛନ୍ତି ପଥପ୍ରାନ୍ତ ନାଟକ ଏତେ ସହଜ ନୁହେଁ । ଏହାର ସ୍କ୍ରିପ୍ଟ ଓ ସଂଳାପ ମଞ୍ଚ ଓ ଥିଏଟରଠାରୁ ଭିନ୍ନ । ଏବେବି ଗାଁଗହଳିରେ ଲୋକନାଟକ ମାଧ୍ୟମରେ ପଥପ୍ରାନ୍ତ ନାଟକ ହେଉଛି । ହେଲେ ସହରରେ ହେଉନି । ଏହାର କାରଣ କଳାକାରଙ୍କ ଇଚ୍ଛାଶକ୍ତି ଅଭାବ । ସେମାନେ ଆଉ ତଳସ୍ତରକୁ ଆସୁନାହାନ୍ତି । ମଞ୍ଚରେ ରହୁଛନ୍ତି ନ ହେଲେ ୟୁଟ୍ୟୁବରେ । ତେଣୁ କଳାକାରଙ୍କ ଇଚ୍ଛାଶକ୍ତି ଉପରେ ନିର୍ଭର ।

ସେହିପରି ଜଣେ ପଥପ୍ରାନ୍ତ କଳାକାର କହିଛନ୍ତି, ଆମେ ୩୦ବର୍ଷ ହେଲାଣି ଭୁବନେଶ୍ୱର ସମେତ, ଦେଶର ସମସ୍ତ ରାଜ୍ୟର ରାଜଧାନୀରେ ପଥପ୍ରାନ୍ତ ନାଟକ କରୁଛୁ । ବିଶେଷକରି ଦେଶାତ୍ମବୋଧ, ଏଚଆଇଭି ଏଡ୍‌ସ, ପଶୁପକ୍ଷୀଙ୍କ ଅତ୍ୟାଚାର, ଯୌତୁକ ହଟାଅ, ବଧୁ ହତ୍ୟା, ଶିଶୁ ଚାଲାଣ, ଗ୍ୟାସ ସମସ୍ୟା ଓ ମୋବାଇଲର ନକରାତ୍ମକ ଦିଗ ଉପରେ ନାଟକ କରିଛୁ । ଯୁବପିଢ଼ି ଆମକୁ ଦେଖି ବିଭିନ୍ନ ଦୃଶ୍ୟକୁ ରେକର୍ଡିଂ କରୁଛନ୍ତି । ତେଣୁ ଆଜିର ଯୁବ କଳାକାର ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କ ସହ ଯୋଡ଼ିରୁହନ୍ତୁ ।

ଆହୁରି ପଢ଼ନ୍ତୁ ...ଆଜି ଶ୍ରୀମନ୍ଦିରରେ ରାମାଭିଷେକ ନୀତି :ବଡ଼ଦାଣ୍ଡରେ ହେବ ନନ୍ଦୀ ଗ୍ରାମ, ସାହିଯାତର ଅନ୍ତିମ ପର୍ବ