PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ବିଶ୍ୱ ଶୌଚାଳୟ ଦିବସ: ସ୍ମାର୍ଟସିଟିରେ ଶୌଚାଳୟ ଅଭାବ, ପ୍ରକୃତିର ଡାକ ଆସିଲେ ପାଚେରି କଡ଼େ, ଗଛ ମୂଳେ କରୁଛନ୍ତି ପରିସ୍ରା…

ଭୁବନେଶ୍ୱର ୧୯/୧୧: ରାଜଧାନୀ ଭୁବନେଶ୍ୱର ହେଉଛି ରାଜ୍ୟର ମୁଖଶାଳା । ପୂରା ରାଜ୍ୟର ସ୍ଥିତି ଏହି ସହରରୁ ପ୍ରତୀୟମାନ ହୁଏ । କିନ୍ତୁ ଯାବତୀୟ ସ୍ଲୋଗାନ୍‌, ସଭା ଓ ସଚେତନତା ସତ୍ତେ୍ୱ ଆମେ ଏବେ ବି ବାହ୍ୟମଳମୁକ୍ତ ହେବାକୁ ସଂଘର୍ଷ କରୁଛୁ । ପ୍ରକୃତିର ଡାକ ଆସିଲେ ସ୍ମାର୍ଟସିଟିର କିଛି ଅଞ୍ଚଳ ସହ ଉପକଣ୍ଠରେ ଲୋକମାନେ ଢାଳ କିମ୍ବା ପାଣି ବୋତଲ ଧରି ବୁଦା ଉହାଡ଼କୁ ଦୌଡ଼ୁଛନ୍ତି । ଶୌଚାଳୟ ଅଭାବରୁ ବହିରାଗତ ଯାତ୍ରୀଙ୍କ ବିକଳ ଅବସ୍ଥା । ପରିସ୍ରା ଲାଗିଲେ ଜୀବନ ବିକଳରେ ରାସ୍ତା କଡ଼, ପାଚେରୀ, ଦୋକାନ ପଛ କିମ୍ବା ଗଛ ଆଢ଼ୁଆଳକୁ ଯାଉଛନ୍ତି । ମହିଳାଙ୍କ ଅବସ୍ଥା ନ କହିଲେ ଭଲ । ଆଜି ବିଶ୍ୱ ଶୌଚାଳୟ ଦିବସ । ଏହି ଅବସରରେ ରାଜଧାନୀର ଶୌଚାଳୟ ସ୍ଥିତି ସମ୍ପର୍କରେ ବିଶେଷ ଉପସ୍ଥାପନା ।

ଫାୟାର ଷ୍ଟେସନ୍‌ ଛକରେ ଜଣେ ବ୍ୟକ୍ତିଙ୍କୁ ପରିସ୍ରା ଲାଗିଲା । ଆଖପାଖରେ ଶୌଚାଳୟ ଖୋଜି ପାଇଲେନି । ଗାଡି ଧରି ନୂଆପଲ୍ଲୀ ଅଭିମୁଖେ ଗଲେ । ସେଠି ବି ନିରାଶ ହେଲ । ଜୟଦେବ ବିହାର ଡେଇଁ ଆଚାର୍ଯ୍ୟ ବିହାର ଛକରେ ପହଞ୍ଚିଲେ । ଶୌଚାଳୟ ଟେ ପାଇଲେ ସତ, କିନ୍ତୁ ଶୌଚାଳୟରେ ତାଲା ଝୁଲୁଥିଲା । ଶେଷରେ ବାଧ୍ୟ ହୋଇ କଣ ପଟ କାନ୍ଥବାଡ଼ରେ ପରିସ୍ରା କଲେ ।

ସହରର ସ୍ଥିତି ପରବାକୁ ଆମେ ଏଥର ନିଜେ ବାହାରିଲୁ । ଆଚାର୍ଯ୍ୟବିହାରରୁ ନିକୋପାର୍କ ରାସ୍ତା ଦେଇ ରବୀନ୍ଦ୍ରମଣ୍ଡପରେ ପହଞ୍ଚିଲୁ ।ବାଟ ସାରା ଶୌଚାଳୟ ଖୋଜିଲୁ । ହେଲେ ଗୋଟିଏ ବି ଶୌଚାଳୟ ଆଖିରେ ପଡ଼ିଲା ନାହିଁ ।ଏହେଉଛି ରାଜ୍ୟର ଏକ ନଂ ସ୍ମାର୍ଟସିଟି ଭୁବନେଶ୍ୱର ଅବସ୍ଥା । ଦୂର ଦୂରାନ୍ତ ପର୍ଯ୍ୟନ୍ତ ଶୌଚାଳୟଟେ ନାହିଁ । ଯେଉଁଠି ଅଛି ସେଠି ତାଲା ଝୁଲୁଛି । ତ ପୁଣି କେଉଁଠି ପାଣି ଆସୁନି, ଭାଙ୍ଗିରୁଜି ଚୂରମାର ହୋଇଗଲାଣି ।

ରାଜଧାନୀ ସାରା ଏମିତି ଅବସ୍ଥା । ରସୁଲଗଡରୁ ଖଣ୍ଡଗିରି, ପଟିଆରୁ ଜୟଦେବ ବିହାର ସବୁଠି ଶୌଚାଳୟ ଅଭାବ । ଯାହା ଯେଉଁଠି ଅଛି ରକ୍ଷଣବେକ୍ଷଣ ଅଭାବ ଯୋଗୁଁ ନଷ୍ଟ ହୋଇଗଲାଣି । ହେଲେ ଏଥି ପ୍ରତି ବିଏମ୍‌ସିର ନିଘା ନାହିଁ ।

ରାଜଧାନୀକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଲୋକେ ଆସୁଛନ୍ତି । ରାଜ୍ୟ ମୁଖ୍ୟାଳୟଠୁ ଅନ୍ୟ ଦପ୍ତର ରହିିଛି । ସେଥିରେ ପୁଣି ଏକାଧିକ ପର୍ଯ୍ୟଟନସ୍ଥଳୀ ରହିଛି । ସେପଟେ ଆଗକୁ ହକି ବିଶ୍ୱ କପ୍‌ ଥିବା ବେଳେ ଭିଡ ଜମିବ । ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଖେଳ ପ୍ରେମୀ ଆସିବେ । ଏଥିପାଇଁ ପୂରା ରାଜଧାନୀ ଚକାଚକ ହେଉଛି । ହେଲେ ବର୍ତ୍ତମାନ ସୁଦ୍ଧା ଗୋଟିଏ ଶୌଚାଳୟ ନିର୍ମାଣ ହୋଇପାରିଲା ନାହିଁ । ସବୁଠି ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମହିଳା । ପୁରୁଷଙ୍କ କଥା ଭିନ୍ନ । କିନ୍ତୁ ଜଣେ ମହିଳାଙ୍କୁ ପରିସ୍ରା ଲାଗଲେ ସେ କ’ଣ କରିବେ । ଘଣ୍ଟା ଘଣ୍ଟା ଧରି ବୁଲୁଛନ୍ତି ।

ରାଜଧାନୀରେ ଏବେବି ଲୋକେ ଖୋଲାରେ ମଳତ୍ୟାଗ କରୁଥିବା ଦେଖିବାକୁ ମିଳିଛି । ଢାଳଧରି ମେଲାକୁ ମଳତ୍ୟାଗ କରିବାକୁ ଯାଉଛନ୍ତି । ଘରେ ଶୌଚାଳୟଟିଏ ନାହିଁ । ମଳତ୍ୟାଗ କରିବାକୁ ପଡ଼ିଆକୁ ଯାଉଛନ୍ତି । ଜାଗମରା ଗ୍ରାମର ତଳ ସାହିରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । କିଛି ଲୋକ ହାତରୁ ଖର୍ଚ୍ଚ କରି ଘରେ ପାଇଖାନା ଓ ଟାଙ୍କି କରିଛନ୍ତି । ସେ ପୁଣି ମେଲା ପଡି଼ଛି । ପାଲ ଟାଣି ମଳତ୍ୟାଗ କରୁଛନ୍ତି । ସ୍ଥାନୀୟ ବାସିନ୍ଦା ପ୍ରଶାନ୍ତ ବାରିକ କହିଛନ୍ତି ଯେ ଦୁଇବର୍ଷ ଆଗରୁ ଶୌଚାଳୟ ପାଇଁ ସର୍ଭେ ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ତିଆରି ହୋଇନାହିଁ । ନିଜେ ହାତରୁ ମଧ୍ୟ ଖର୍ଚ୍ଚ କରି ଶୌଚାଳୟଟିଏ କରିବାକୁ ସକ୍ଷମ ନୁହେଁ । ପାଖ ପଡ଼ିଆକୁ ଯିବାକୁ ପଡ଼ୁଛି । ଏନେଇ ବାରମ୍ବାର ପରିବାର ଲୋକ ଅସୁସ୍ଥ ହେଉଛନ୍ତି ।

ବିଏମ୍‌ସି ପକ୍ଷରୁ ୩ ପ୍ରକାର ଶୌଚାଳୟ ରହିଛି । ପବ୍ଲିକ, କମୁନିଟି ଓ ଇ- ଟଏଲେଟ । କିନ୍ତୁ ଏକାଧିକ ଶୌଚାଳୟ କାମ କରୁନି । ସେପଟେ ବିଏମ୍‌ସି ପକ୍ଷରୁ ୩ଟି ଭ୍ରାମ୍ୟମାଣ ଶୌଚାଳୟ ରହିଛି । କିନ୍ତୁ ଏହାର ବ୍ୟବହାର କରାଯାଉନି । ଖତ ଖାଇବାକୁ ବସିଲାଣି । ରାଜଧାନୀରେ ୧୨ ଲକ୍ଷ ଲୋକେ ରହୁଛନ୍ତି । ପ୍ରତିଦିନ ୨ ଲକ୍ଷ ଲୋକ ସହରକୁ ଆସୁଛନ୍ତି । କିନ୍ତୁ ମାତ୍ର ୨୦୦ ଶହ ଶୌଚାଳୟ ରହିଛି । ଯାହାକି ସମୁଦ୍ରକୁ ଶଙ୍ଖେ ।