ନୂଆଦିଲ୍ଲୀ,୦୮/୦୪: ଜମ୍ମୁ-କାଶ୍ମୀରରେ ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ସବୁଠାରୁ ଉଚ୍ଚତମ ରେଳବ୍ରିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୯  ତାରିଖରେ ଲୋକାର୍ପଣ କରିବେ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର  ସିଂହ ସୋମବାର ଏକ୍ସରେ ଏହି ସୂଚନା ଦେଇଛନ୍ତି । 




ସେ  ଲେଖିଛନ୍ତି ଏପ୍ରିଲ ୧୯ ତାରିଖ ବ୍ରିଜ୍‌ ଉଦ୍‌ଘାଟନ ଲାଗି ୧୨ଦିନିଆ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ଇଞ୍ଜିନିୟରିଂ ଚମତ୍କାରିତା ତଥା ନୂଆ ଭାରତର ଏହା ଗର୍ବର ପ୍ରତୀକ । ଏହି ଚେନାବ ବ୍ରିଜ୍‌ର ଲମ୍ବ ୧୩,୧୧୫ ମିଟର ହୋଇଥିଲା ବେଳେ ଉଚ୍ଚତା ୩୫୯ ମିଟର । ଏଫିଲ ଟାୱାରଠାରୁ  ୩୫ ମିଟର ଅଧିକ ଉଚ୍ଚ । ଉଧାମପୁର-ଶ୍ରୀନଗର-ବାରାମୂଲା ରେଳ ପ୍ରକଳ୍ପ ଅଧୀନରେ ଏହି ବ୍ରିଜ୍‌ ନିର୍ମାଣ  କରାଯାଇଛି । ଏହାର ଆୟୁଷ ୧୨୦ ବର୍ଷ ହୋଇଥିଲା ବେଳେ ଘଣ୍ଟାପ୍ରତି ୨୬୦ କି.ମି ବେଗରେ ପବନକୁ ଏହା ସହ୍ୟ କରିପାରିବ । ଶ୍ରୀନଗର ସହ ଜମ୍ମୁକୁ ସଂଯୋଗ କରୁଥିବା ଏହି ପ୍ରକଳ୍ପର କାର୍ଯ୍ୟ ୧୯୯୭ରେ ଉଦ୍‌ଘାଟନ  ହୋଇଥିଲା । କିନ୍ତୁ ପ୍ରତିକୂଳ ପରିସ୍ଥିତି, ସୁଉଚ୍ଚ ପାହାଡ  ଭଳି ଅନେକ ବାଧାବିଘ୍ନ ଯୋଗୁ ତାହା ବିଳମ୍ବ ହୋଇଥିଲା ।