ନୂଆଦିଲ୍ଲୀ,୧୪/୦୧: ଚଳିତ ଡବ୍ଲ୍ୟୁପିଏଲ୍‌ରେ ଗୁଜରାଟ ଜାଏଣ୍ଟସର ବିଜୟ ଧାରାରେ ବ୍ରେକ ଲଗାଇଛି ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ । ମଙ୍ଗଳବାର ଅନୁଷ୍ଠିତ ଷଷ୍ଠ ଲିଗ୍ ମୁକାବିଲାରେ ଦଳ ୭ ୱିକେଟ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଜାଏଣ୍ଟ୍ସ ୫ ୱିକେଟ୍ ବିନିମୟରେ ୧୯୨ ରନ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୯.୨ ଓଭରରେ ୩ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ହର୍ମନପ୍ରୀତ କୌରଙ୍କ ଦମଦାର ପାଳି ଦଳକୁ ବିଜୟୀ କରାଇଛି ।

ଟସ୍ ସାଥ୍ ଦେଇଥିଲେ ହେଁ ମୁମ୍ବାଇ ଇଣ୍ଡିଆନ୍ସ ଏହାର ସଦୁପଯୋଗ କରିପାରି ନଥିଲା । ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ବିଫଳ ହୋଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗୁଜରାଟ ଜାଏଣ୍ଟ୍‌ସ ବିସ୍ଫୋରକ ଓପନର ଶୋଫି ଡିଭାଇନ (୮) ବିଫଳ ହୋଇଥିଲେ । ମାତ୍ର ଅନ୍ୟ ଓପନର ବେଥ୍ ମୁନିଙ୍କ ସହ କନିକା ଆହୁଜା ମିଶି ସ୍ଥିତି ସୁଧାରି ନେଇଥିଲେ । ଉଭୟ ଦର୍ଶନୀୟ ସଟ୍ମାନ ଖେଳି ଦଳୀୟ ସ୍କୋରକୁ ୬୪ରେ ପହଞ୍ଚାଇଥିଲେ । ମୁନି ୩୩ (୩ଚୌକା, ୧ଛକା) ରନ କରି ଆଉଟ୍ ହେବା ପରେ ଗୁଜରାଟ ଜାଏଣ୍ଟ୍‌ସ ପରବର୍ତ୍ତୀ ୩୫ ରନ୍‌ରେ ଆଉ ୨ଟି ୱିକେଟ୍ ହରାଇଥିଲା । ଆସଲି ଗାର୍ଡନର ୨୦ ଓ କନିକା ୧୮ଟି ବଲ୍‌ରୁ ୩୫ (୪ଚୌକା, ୨ଛକା) ରନ କରି ପାଭିଲିୟନ ଫେରିଥିଲେ । ଅନ୍ତିମ ଭାଗରେ ଜର୍ଜିୟା ୱାରେହାମ ଓ ଭାରତୀ ଫୁଲମାଲି ଆକ୍ରମଣାତ୍ମକ ବ୍ୟାଟିଂ କରି ୫୬ ରନ ଯୋଗ କରିବା ଫଳରେ ଦଳୀୟ ସ୍କୋର ୧୯୨ରେ ପହଞ୍ଚିଥିଲା । ଭାରତୀ ୧୫ଟି ବଲ୍‌ରୁ ୩ଚୌକା ଓ ୩ଛକା ବଳରେ ୩୬ ଓ ୱାରେହାମ ୩୩ଟି ବଲ୍‌ରୁ ୪ ଚୌକା ଓ ୧ଛକା ବଳରେ ୪୩ ରନ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସବନିମ ଇସମାଇଲ, ହେଲି ମାଥ୍ୟୁସ, ନିକୋଲା କ୍ୟାରୀ ଓ ଆମେଲିଆ କେର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ୧୯୩ ରନର ବିଜୟ ଲକ୍ଷ୍ୟ ସହଜ ନଥିଲା ।

ମୁମ୍ବାଇ ଇଣ୍ଡିଆନ୍ସ ୩୭ ରନ୍‌ରେ ଉଭୟ ଓପନରଙ୍କୁ ହରାଇଥିଲା । ଜି କାମାଳିନୀ ୧୩ ଓ ହେଲି ମାଥ୍ୟୁସ ୨୨ ରନ କରି ଆଉଟ୍ ହୋଇଥିଲେ । ଏହାପରେ ଅମନଜୋତ ଓ ହର୍ମନପ୍ରୀତ ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ତୃତୀୟ ୱିକେଟ୍‌ରେ ୭୨ ରନ ସଂଗୃହୀତ ହୋଇଥିଲା । ଦଳୀୟ ସ୍କୋର ୧୦୯ରେ ପହଞ୍ଚିଥିଲା । ୧୩ତମ ଓଭରରେ ଯୋଡ଼ି ଭାଙ୍ଗିଥିଲେ ଶୋଫି । ଅମନଜୋତ ୨୬ଟି ବଲ୍‌ରେ ୪୦ ରନ କରି ଆଉଟ୍ ହୋଇଥିଲେ । ହର୍ମନପ୍ରୀତ ଆକ୍ରମଣ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଅନ୍ୟ ପଟରେ ନିକୋଲା କ୍ୟାରୀ ବିସ୍ଫୋରକ ବ୍ୟାଟିଂ କରିବା ଫଳରେ ଦଳ ବିଜୟ ନିକଟତର ହୋଇଥିଲା । ୧୮ ଓଭର ଖେଳ ଶେଷ ସୁଦ୍ଧା ଉଭୟ ଦଳୀୟ ସ୍କୋରକୁ ୧୭୯ରେ ପହଞ୍ଚାଇ ଦେଇଥିଲେ । ଶେଷ ୨ ଓଭରରେ ବିଜୟ ପାଇଁ ୧୪ ରନ ଆବଶ୍ୟକ ହେଉଥିଲା । ୧୯ତମ ଓଭରରେ ଉଭୟ ୯ ରନ ସଂଗୃହୀତ ହୋଇଥିଲା । ୨୦ତମ ଓଭରର ଦ୍ୱିତୀୟ ବଲ୍ରେ ହର୍ମନପ୍ରୀତ ଚୌକା ମାରିଥିଲେ ଓ ୪ଟି ବଲ୍ ବାକି ଥାଇ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ହାସଲ କରିଥିଲା । ହର୍ମନପ୍ରୀତ ୪୩ଟି ବଲ୍‌ରେ ୭ଚୌକା ଓ ୨ଛକା ବଳରେ ୭୧ ରନ କରିଥିଲେ । କ୍ୟାରୀ ୩୮ ରନ କରି ଅପରାଜିତ ରହିଥିଲେ ।