ନୂଆଦିଲ୍ଲୀ,୧୩/୦୧: ଚଳିତ ଡବ୍ଲ୍ୟୁପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଧିପତ୍ୟ ଜାରି ରଖି କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ସୋମବାର ୯ ୱିକେଟ୍‌ରେ ୟୁପି ୱାରିୟର୍ସକୁ ପରାଜିତ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୟୁପି ୱାରିୟର୍ସ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୧୪୩ ରନ ସଂଗ୍ରହ କରିଥିଲା । ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ୧୨.୧ ଓଭରରେ ୧ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ୭୩ ବଲରେ ଦଳ ବାଜି ମାରି ନେଇଥିଲା । ମ୍ୟାଚ୍ ବିଜୟୀ ଅର୍ଦ୍ଧଶତକ ପାଇଁ ଗ୍ରେସ୍ ହ୍ୟାରିସ୍ ପ୍ଲେୟାର ଅଫ୍ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ରୟାଲ୍ ଚ୍ୟାଲେଞ୍ଜର୍ସ ପାଇଁ ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା । ଦଳ ପ୍ରାରମ୍ଭରୁ ଶୃଙ୍ଖଳିତ ବୋଲିଂ କରି ୟୁପି ୱାରିୟର୍ସର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲା । ୱାରିୟର୍ସର ଦୁଇ ଓପନର ମେଗ ଲ୍ୟାନିଂ ଓ ହର୍ଲିନ ଦେଓଲ ୨୧ ରନ ସଂଗ୍ରହ କରିଥିଲେ । ହର୍ଲିନ ୧୧ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଫୋଏବ ଲିଚଫିଲ୍ଡ ଦର୍ଶନୀୟ ସଟ୍ ଖେଳିଥିଲେ ହେଁ ଅନ୍ୟ ପଟରେ ଲ୍ୟାନିଂ ୧୪ ରନ କରି ପାଭିଲିୟନ ଫେରିଥିଲେ । ଲିଚଫିଲ୍ଡ ୧୧ଟି ବଲ୍‌ରୁ ୩ଚୌକା ଓ ୧ ଛକା ବଳରେ ୨୦ ରନ କରି ଆଉଟ୍ ହେବା ପରେ ବିପଦ ଘନେଇଥିଲା । କିରଣ ନଭଗିରେ ୫ ରନ କରିଥିବାବେଳେ ଶ୍ୱେତା ଶେରାୱତ ଖାତା ଖୋଲିପାରି ନଥିଲେ । ମାତ୍ର ୫୦ ରନ୍‌ରେ ଦଳ ୫ଟି ୱିକେଟ୍ ହରାଇ ସଂକଟରେ ପଡ଼ି ଯାଇଥିଲା । ମାତ୍ର ଏହାପରେ ଦୀପ୍ତି ଶର୍ମା ଓ ଡିଆଣ୍ଡ୍ରା ଡଟିନ ଲଢ଼ୁଆ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ଉଭୟ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋରକୁ ୧୪୩ରେ ପହଞ୍ଚାଇଥିଲେ । ଡଟିନ ୩୭ଟି ବଲ୍ରୁ ୪୦ (୩ଚୌକା, ୧ଛକା) ଓ ଦୀପ୍ତି ୩୫ଟି ବଲ୍ରୁ ୪୫ (୫ଚୌକା, ୧ଛକା) ରନ କରିଥିଲେ । ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ଶ୍ରେୟଙ୍କା ପାଟିଲ ଓ ନାଦିନ ଡି କ୍ଲର୍କ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ଲାଉରେନ ବେଲ୍ ଗୋଟିଏ ୱିକେଟ୍ ନେଇଥିଲେ ।

ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସର ଦୁଇ ଓପନର ଗ୍ରେସ ହ୍ୟାରିସ ଓ ସ୍ମୃତି ମନ୍ଧନା ପ୍ରାରମ୍ଭରୁ ଦର୍ଶନୀୟ ସଟ୍‌ମାନ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ହ୍ୟାରିସ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ୟୁପି ୱାରିୟର୍ସର ବୋଲିଂ ବିଭାଗ ଉପାୟଶୂନ୍ୟ ମନେ ହୋଇଥିଲା । ମାତ୍ର ୮ ଓଭର ମଧ୍ୟରେ ଉଭୟ ଦଳୀୟ ସ୍କୋରକୁ ୧୦୦ ଅତିକ୍ରମ କରାଇଥିଲେ । ହ୍ୟାରିସ୍ ମାତ୍ର ୨୨ଟି ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ମନ୍ଧନା ତାଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିଥିଲେ । ୟୁପି ୱାରିୟର୍ସ ୬ ଜଣ ବୋଲରଙ୍କୁ ନିୟୋଜିତ କରିଥିଲା । ହେଲେ କିଛି ଫଳ ମିଳି ନଥିଲା । ହ୍ୟାରିସଙ୍କ ବ୍ୟାଟ୍ କେବଳ ଛକା ଓ ଚୌକାରେ ଜବାବ ଦେଇଥିଲା । ଉଭୟ ୧୩୭ ରନ୍ ସଂଗ୍ରହ କରିଥିଲେ । ୧୨ତମ ଓଭରରେ ଶିଖା ପାଣ୍ଡେ ଯୋଡ଼ି ଭାଙ୍ଗିଥିଲେ । ହ୍ୟାରିସ୍ ୪୦ଟି ବଲ୍‌ରେ ୧୦ ଚୌକା ଓ ୫ଛକା ବଳରେ ୮୫ ରନ କରି ଆଉଟ୍ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ରିଚା ଘୋଷ (୪) ଅପରାଜିତ ମନ୍ଧନାଙ୍କ ସହ ମିଶି ଦଳକୁ ଜିତାଇଥିଲେ । ମନ୍ଧନା ୯ ଚୌକା ବଳରେ ୪୭ ରନ କରିଥିଲେ ।