ରେସଲରଙ୍କ ଅଭିଯୋଗ ପରେ ଆକ୍ସନରେ ସରକାର: ମ୍ୟାରି କମ୍ଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ମନିଟରିଂ କମିଟି କୁସ୍ତି ସଙ୍ଗଠନର କରିବ ଯାଞ୍ଚ

ନୂଆଦିଲ୍ଲୀ,୨୩।୧: ଭାରତୀୟ ରେସଲରଙ୍କ ସହିତ ଯୌନ ଶୋଷଣ ମାମଲାରେ ଏକ ନୂଆ ମୋଡ ଆସିଛି। ଏହି ପୁରା ଘଟଣାରେ ଏବେ କ୍ରୀଡା ମନ୍ତ୍ରଣାଳୟ ମଧ୍ୟ ସକ୍ରିୟ ହୋଇଯାଇଛି। ଖେଳମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଗଣମାଧ୍ୟମ ନିକଟରେ କରିଛନ୍ତି ବଡ ଘୋଷଣା। କ୍ରୀଡ଼ା ମନ୍ତ୍ରଣାଳୟ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ଏବଂ ଏହାର ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ତଦନ୍ତ ପାଇଁ ଓଭର ସାଇଟ୍ କମିଟିର ମୁଖ୍ୟ ଭାବରେ ବକ୍ସର ମ୍ୟାରି କମ୍ଙ୍କୁ ନିଯୁକ୍ତ କରିଛି। ରେସଲରଙ୍କ ଅଭିଯୋଗ ପରେ ଏବେ ଭାରତୀୟ ବକ୍ସର ମ୍ୟାରି କମ୍ ଏହି କମିଟିର କାର୍ଯ୍ୟ ପ୍ରଣାଳିର ଦେଖାଶୁଣା କରିବେ। ଏହି କମିଟିର ସୁପାରିଶ ଆଧାରରେ ପୁରା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Oversight Committee has been formed today. Mary Kom will head the Oversight Committee. For the coming month, the committee will investigate the allegations put up by the wrestlers: Union Sports Minister Anurag Thakur pic.twitter.com/C2KkkrXXI2
— ANI (@ANI) January 23, 2023
ଆଥଲେଟ୍ଙ୍କ ଅଭିଯୋଗ ଅନୁସାରେ, ଭାରତୀୟ କୁସ୍ତୀ ମହାସଂଘର ମୁଖ୍ୟ ବ୍ରଜ ଭୂଷଣଙ୍କ ସହିତ ଅନ୍ୟ କୋଚ୍ ତାଙ୍କର ଯୌନ ଶୋଷଣ କରିଥିଲେ। ତାଙ୍କୁ ପଦରୁ ହଟାଇବାର ଦାବିକୁ ନେଇ ଆଥଲେଟ୍ମାନେ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣା ଦେଉଛନ୍ତି। ଦିନକ ପୂର୍ବରୁ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଏହି ରେସଲରଙ୍କୁ ଭେଟିବାକୁ ପହଞ୍ଚିଥିଲେ।
ଅନୁରାଗ ଠାକୁର ଦିନକ ପୂର୍ବରୁ କହିଥିଲେ, ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ବିରୋଧରେ ହୋଇଥିବା ଅଭିଯୋଗ ସମ୍ପର୍କରେ କେନ୍ଦ୍ର ସରକାର ସମସ୍ତ ଖେଳାଳିଙ୍କ କଥା ଶୁଣିଛନ୍ତି। ଏକ ଟୁର୍ନାମେଣ୍ଟ ବନ୍ଦ କରିବା ସହିତ ସହକାରୀ ସଚିବଙ୍କୁ ନିଲମ୍ବିତ କରାଯାଇଥିଲା। କୁହାଯାଇଥିଲା ଯେ ଏକ ମନିଟରିଂ କମିଟି ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ କରିବ। ଏହି ସମ୍ବନ୍ଧୀୟ ସମସ୍ତ ଦିଗକୁ ସାମ୍ନାକୁ ଆଣିବା ପାଇଁ ପ୍ରୟାସ କରାଯିବ। ଠାକୁର କହିଛନ୍ତି, ଭିନେଶ ଫୋଗାଟ୍, ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ୍ ଓ ରବି ଦହିୟାଙ୍କ ସହିତ ଦେଶର କିଛି ଶୀର୍ଷ ରେସଲର ବ୍ରିଜ ଭୂଷଣ ଓ ତାଙ୍କ ସଂସ୍ଥା ବିରୋଧରେ ଅଭିଯୋଗ କରିଥିଲେ। ଏବେ ଏହାର ଯାଞ୍ଚ ପାଇଁ ଏକ କମିଟିର ଘୋଷଣା କରାଯାଇଛି, ଯେଉଁ ଏହି କମିଟିରେ ମ୍ୟାରିକମ୍ଙ୍କୁ ମଧ୍ୟ ସାମିଲ କରି ଦିଆଯାଇଛି।