ଡବ୍ଲୁଟିସି ଫାଇନାଲ୍ ପାଇଁ ଆଇସିସିର ପୁରସ୍କାର ଘୋଷଣା: ଚାମ୍ପିଅନ୍ ଦଳ ପାଇବେ ୧୬ ଲକ୍ଷ ଡଲାର, ରନର୍ସ ଅପ୍ଙ୍କୁ ୮ଲକ୍ଷ ଡଲାର

ଦୁବାଇ,୨୭/୦୫: ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍(ଡବ୍ଲ୍ୟୁଟିସି) ଫାଇନାଲ ପାଇଁ ଆଇସିସି ପୁରସ୍କାର ରାଶି ଘୋଷଣା କରିଛି । ୨୦୨୧/୨୩ ଟେଷ୍ଟ ଚାମ୍ପିଅନ୍ସିପ୍ ଚକ୍ର ପାଇଁ ମୋଟ୍ ୩୮ଲକ୍ଷ ଡଲାର ପୁରସ୍କାର ରାଶି ଅଟକଳ କରାଯାଇଛି । ଟେଷ୍ଟ ଚାମ୍ପିଅନସିପ୍ ଖେଳୁଥିବା ୯ଟି ଯାକ ଟେଷ୍ଟ ଦଳ ଙ୍କ ପାଇଁ ପୁରସ୍କାର ରହିଛି ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଲଣ୍ଡନ ସ୍ଥିତ ଓଭାଲ୍ ଗ୍ରାଉଣ୍ଡ୍ରେ ଆସନ୍ତା ମାସ ୭ତାରିଖରୁ ଫାଇନାଲ୍ ମୁକାବିଲା ଆରମ୍ଭ ହେବ । ଚାମ୍ପିଅନ ଦଳ ଟେଷ୍ଟ ଗଦା ସହ ମୋଟ୍ ୧୬ଲକ୍ଷ ଡଲାର ପୁରସ୍କାର ପାଇବେ । ସେହିପରି ରନର୍ସ ଅପ୍ ଦଳକୁ ୮ଲକ୍ଷ ଡଲାର ପୁରସ୍କାର ପ୍ରଦାନ କରାଯିବ ।
ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ଆଇସିସି ପୁରସ୍କାର ରାଶିରେ ପରିବର୍ତ୍ତନ କରିନାହିଁ । ୨୦୧୯/୨୧ ଟେଷ୍ଟ ଚାମ୍ପିଅନ୍ସିପ୍ ଚକ୍ରରେ ମଧ୍ୟ ସମାନ ପୁରସ୍କାର ରାଶି ରହିଥିଲା । ଫାଇନାଲ୍ରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ୧୬ଲକ୍ଷ ଡଲାର ପୁରସ୍କାର ରାଶି ଜିତିଥିଲା ।
ଚାମ୍ପିଅନ୍ ଓ ରନର୍ସ ଅପ୍ ଦଳ ବ୍ୟତୀତ ଅନ୍ୟ ଦଳମାନଙ୍କୁ ମଧ୍ୟ ପୁରସ୍କାର ରାଶି ପ୍ରଦାନ କରାଯିବ । ତୃତୀୟ ସ୍ଥାନ ହାସଲ କରିଥିବା ଦକ୍ଷିଣ ଆଫ୍ରିକା ୪,୫୦,୦୦୦ ଡଲାର ପୁରସ୍କାର ପାଇବ । ସେହିପରି ଚତୁର୍ଥ ସ୍ଥାନରେ ରହିଥିବା ଇଂଲଣ୍ଡକୁ ୩,୫୦,୦୦୦ ଡଲାର, ପଞ୍ଚମ ସ୍ଥାନରେ ରହିଥିବା ଶ୍ରୀଲଙ୍କା ୨,୦୦,୦୦୦ ଡଲାର ପୁରସ୍କାର ପ୍ରଦାନ କରାଯିବ । ଷଷ୍ଠ ସ୍ଥାନ ଦଖଲ କରିଥିବା ନ୍ୟୁଜିଲାଣ୍ଡ, ପାକିସ୍ତାନ(ସପ୍ତମ), ୱେଷ୍ଟ ଇଣ୍ଡିଜ(ଅଷ୍ଟମ) ଓ ବାଂଲାଦେଶ(ଦଶମ) ଯଥାକ୍ରମେ ୧,୦୦,୦୦୦ ଡଲାର ଲେଖାଏଁ ପୁରସ୍କାର ପାଇବେ ।