ଇଂଲଣ୍ଡ ଠାରୁ ହାରିବା ପରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ପଏଣ୍ଟ ଟେବୁଲ ତଳକୁ ଖସିଲା ଭାରତ, ଫାଇନାଲରେ ପହଞ୍ଚିବା ହେବ ମୁସ୍କିଲ

ନୂଆଦିଲ୍ଲୀ ୦୫/ ୦୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବର୍ମିହାମ୍ରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟରେ ୭ ଓ୍ବିକେଟରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହିତ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ରେ ବରାବର୍ ହୋଇଛି । ଏଥି ସହିତ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ଟେବୁଲରେ ମଧ୍ୟ ଭାରତକୁ ଶକ୍ତ ଝଟ୍କା ଲାଗିଛି । ଏହି ମ୍ୟାଚ ପୂର୍ବରୁ ଭାରତ ନିକଟରେ ୫୮.୩୩ ପ୍ରତିଶତ ପଏଣ୍ଟ ଥିଲା । କିନ୍ତୁ ଏଜବେଷ୍ଟନ୍ ମ୍ୟାଚ୍ ପରାଜିତ ହେବା ପରେ ଭାରତ ୫୩.୪୭ ପ୍ରତିଶତକୁ ଖସିଆସିଛି ।
ସେହିଭଳି ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ରେସ୍ରୁ ବାଦ୍ ପଡିଥିବା ଇଂଲଣ୍ଡ ଏହି ବିଜୟ ପରେ ୩୩.୩୩ ପଏଣ୍ଟ ସହ ୭ମ ସ୍ଥାନରେ ରହିଛି । ଅନ୍ୟପଟେ ପରାଜିତ ହେବା ସତ୍ତ୍ବେ ଭାରତ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । କିନ୍ତୁ ପଏଣ୍ଟ ଟେବୁଲର ଏକ ନମ୍ବର ଏବଂ ଦୁଇ ନମ୍ବର ଟିମ ମଧ୍ୟରେ ହିଁ ଫାଇନାଲ ଖେଳାଯିବ । ତେଣୁ ଭାରତକୁ ଫାଇନାଲ ଖେଳିବାକୁ ହେଲେ ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ଟେଷ୍ଟ ମ୍ୟାଚ୍ ଜିତିବାକୁ ହେବ । କେବଳ ସେତିକି ନୁହେଁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଟିମର ପରାଜିତ ଭରସାରେ ବସିବାକୁ ହେବ ଯିଏକି ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।
ଆଗାମୀ ଦିନରେ ବାଂଲାଦେଶ ବିପକ୍ଷରେ ଦୁଇଟି ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ମାଟିରେ ୪ଟି ଟେଷ୍ଟ ମ୍ୟାଚ୍ ଖେଳିବ ଭାରତ । ଘରୋଇ ମାଟିରେ ହେବାକୁ ଥିବା ଟେଷ୍ଟ ଭାରତ ପାଇଁ ଫାଇଦା ସାବ୍ୟସ୍ତ ହୋଇପାରେ । ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ଟେବୁଲ କଥା କହିବାକୁ ଗଲେ, ୭୭.୭୮ ପ୍ରତିଶତ ସହ ଅଷ୍ଟ୍ରେଲିଆ ଏବେ ପ୍ରଥମ ସ୍ଥାନରେ ରହିଛି । ସେହିଭଳି ଦ୍ବିତୀୟରେ ଥିବା ଦକ୍ଷିଣ ଆଫ୍ରିକା ନିକଟରେ ୭୧.୪୩ ପ୍ରତିଶତ, ଭାରତ ୫୩.୪୭ ପଏଣ୍ଟ ସହ ତୃତୀୟରେ ରହିଛି । ଅନ୍ୟମାନଙ୍କ ମଧ୍ୟରେ ପାକିସ୍ତାନ ୪ର୍ଥ, ଓ୍ବେଷ୍ଟଇଣ୍ଡିଜ୍ ୫ମ, ଶ୍ରୀଲଙ୍କା ୬ଷ୍ଠ, ଇଂଲଣ୍ଡ ସପ୍ତମ, ନ୍ୟୁଜିଲାଣ୍ଡ ଅଷ୍ଟମ ଏବଂ ବାଂଲାଦେଶ ୯ମ ସ୍ଥାନରେ ରହିଛି ।