ପୁରୀ,୨୯/୦୯: ବେଳାମାର୍ଗରେ ଥିବା ପୌରପାଳିକାର ଯାତ୍ରିକା ପାର୍କିଂକୁ ଦାଣ୍ଡିଆ ଉତ୍ସବ ପାଇଁ ଭଡ଼ାରେ ଲଗାଯାଇଛି । ବେଳାମାର୍ଗରେ ଗାଡ଼ି ପାର୍କିଂ କରିବାକୁ ଲୋକେ ସମସ୍ୟା ଭୋଗୁଥିବା ବେଳେ ସୋମବାର, ମଙ୍ଗଳବାର, ବୁଧବାର ୩ ଦିନ ଧରି ଏହି ପାର୍କିଂରେ ଦାଣ୍ଡିଆ ଉତ୍ସବ ଅନୁଷ୍ଠିତ ହେବ । ପାର୍ବଣ ସମୟରେ ହଜାର ହଜାର ଗାଡ଼ି ପୁରୀ ବେଳାମାର୍ଗରେ ଯାତାୟାତ କରୁଛି । ଏଭଳି ସ୍ଥିତିରେ ପୁରୀ ମୁଖ୍ୟ ବେଳାମାର୍ଗରେ ଥିବା ଏକମାତ୍ର ଗାଡ଼ି ପାର୍କିଂକୁ ଦାଣ୍ଡିଆ ଉତ୍ସବ ପାଇଁ ଭଡ଼ାରେ ଦେବାକୁ ସର୍ବସାଧାରଣରେ ବିରୋଧ କରାଯାଇଛି ।
ଅନ୍ୟପକ୍ଷରେ ବେଳାମାର୍ଗରେ ଗାଡ଼ି ପାର୍କିଂକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଦୁଇଚକିଆ କିମ୍ବା ଚାରିଚକିଆ ଯାନ ରାସ୍ତା ଉପରେ ନ ରଖି ପାର୍କିଂ ରଖିବାକୁ ନିର୍ଦ୍ଦେଶ ରହିଛି । ରାସ୍ତା ଉପରେ ଗାଡ଼ି ରଖିଥିବା ବ୍ୟକ୍ତିଙ୍କଠାରୁ ମୋଟା ଅଙ୍କରେ ଜରିମାନା ଆଦାୟ କରାଯାଉଛି । ରାସ୍ତା ଉପରେ ଗାଡ଼ି ନ ରଖିବାକୁ ପୌରସଂସ୍ଥା ଓ ପୁଲିସ ପକ୍ଷରୁ ମିଳିତ ଭାବେ ଅଭିଯାନ ଜାରି ରହିଛି । ପୁଲିସ ଗାଡ଼ିର ଫଟୋ ଉଠାଇ ଫାଇନ୍ କାଟୁଥିବା ବେଳେ ପୌରପାଳିକାର ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଗାଡ଼ିକୁ କ୍ରେନରେ ଉଠାଇ ନେଇଯାଉଛି । ଦୈନିକ ଏଭଳି ଶତାଧିକ ଗାଡ଼ି ଜବତ ହେଉଛି । ଏଭଳି ସ୍ଥିତିରେ ବେଳାମାର୍ଗରେ ଥିବା ଯାତ୍ରିକା ପାର୍କିଂରେ ଦାଣ୍ଡିଆ ଉତ୍ସବ କଲେ ବାହାରୁ ଆସୁଥିବା ପର୍ଯ୍ୟଟକ ଗାଡ଼ି ପାର୍କିଂ କରିବାରେ ସମସ୍ୟା ଭୋଗିବେ ।
ସୂଚନାଥାଉ କି, ଲାଇଟ୍ ହାଉସ ନିକଟରେ ଥିବା ଯାତ୍ରିକା ପାର୍କିଂରେ ୧୦୦ଟି ଚାରିଚକିଆ ଓ ୫୦୦ ଦୁଇଚକିଆ ରଖିବାର କ୍ଷମତା ଅଛି । ଦିଗବାରେଣୀ ପାର୍କିଂ ନିର୍ମାଣ ଶେଷ ହୋଇନଥିବାରୁ ଏହି ପାର୍କିଂ ସବୁ ସମୟରେ ଗାଡ଼ଡି ଦ୍ୱାରା ଭରି ରହୁଛି । ବୀରହରେକୃଷ୍ଣପୁରଷ୍ଟର୍ଲିଂ ରାସ୍ତାରେ ଦେଇ ପୁରୀକୁ ଆସୁଥିବା ସମସ୍ତ ଗାଡି ଏଠାରେ ରହିଥାଏ । ପୂଜା ଛୁଟିରେ ପୁରୀକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଥିବା ବେଳେ ଏହି ବ୍ୟବସ୍ଥାକୁ ନାପସନ୍ଦ କରାଯାଇଛି । ଅନ୍ୟପକ୍ଷରେ ଦିଗବାରେଣୀ ପାର୍କିଂ ନିର୍ମାଣ ମନ୍ଥର ଗତିରେ ଚାଲୁଥିବାରୁ ସମୁଦ୍ର ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଗାଡ଼ି ରଖିବା ପାଇଁ ଅସୁବିଧା ଭୋଗୁଛନ୍ତି । ୩୫ କୋଟି ବ୍ୟୟରେ ନିର୍ମାଣ ହେଉଥିବା ଏହି ପାର୍କିଂରେ ପାଖାପାଖି ୩୦୦ରୁ ଊଦ୍ଧ୍ୱର୍ କାର୍ ଓ ୫୦୦ ବାଇକ୍ ରହିବାର ବ୍ୟବସ୍ଥା ଅଛି ।
ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା କହିଛନ୍ତି, ଯାତ୍ରିକା ପାର୍କିଂର ଗୋଟିଏ ପାଶ୍ୱର୍ରେ ଦାଣ୍ଡିଆ ମହୋତ୍ସବ ହେବ । ଅନ୍ୟ ପାଶ୍ୱର୍ରେ ଗାଡ଼ି ପାର୍କିଂ କରାଯାଇପାରିବ । ଦାଣ୍ଡିଆ ମହୋତ୍ସବର ଆୟୋଜକ ଭଡ଼ା ସୂତ୍ରରେ ଏହି ପାର୍କିଂ ପୌରପାଳିକାଠାରୁ ନେଇଛନ୍ତି ।