ଆରବିକା ପରେ ବ୍ରାଜିଲିଆନ୍ ୟେଲୋ ବର୍ବନ, ନୂତନ ସ୍ୱାଦର କଫି ଦେବ କୋରାପୁଟ

କୋରାପୁଟ, ୨୩/୦୧(ରବି ନାରାୟଣ ଚଲାନ): ବିଶ୍ୱ ଦରବାରରେ କୋରାପୁଟ କଫିର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ କଫି ବଗିଚାରୁ ଉତ୍ପାଦନ ହେଉଥିବା ହଳଦିଆ ରଙ୍ଗର କଫି ଫଳ ଏକ ନୂତନ ସମ୍ଭାବନା ଆଣିଦେଇଛି । ସାଧାରଣତଃ କଫି ଫଳ ପାଚିଗଲେ ଲାଲ ଦେଖାଯାଏ । କିନ୍ତୁ ଏବେ ଗଛରେ ହଳଦିଆ ଫଳ ଦେଖିବାକୁ ମିଳୁଛି । ହଳଦିଆ ରଙ୍ଗ ଦେଖି ଫଳ ଖରାପ ହୋଇଥିବ ବୋଲି ଚାଷୀ ପ୍ରଥମେ ଭାବୁଥିଲେ । ହେଲେ ଏହା ବ୍ରାଜିଲିଆନ୍ ୟେଲୋ ବର୍ବନ କିସମର କଫି ବୋଲି ଏବେ ଚିହ୍ନଟ ହେବା ପରେ ଏଭଳି ବିହନ କିପରି ଆସିଲା ସେ ନେଇ ଚାଷୀଙ୍କ ମଧ୍ୟରେ କୌତୁହଳ ପ୍ରକାଶ ପାଇଛି । ଅନ୍ୟପକ୍ଷେ ପ୍ରଥମେ ଆରବିକା ଓ ଏବେ ବ୍ରାଜିଲିଆନ୍ ୟୋଲୋ ବର୍ବନ ପ୍ରଜାତି କଫି ପାଇଁ କୋରାପୁଟର ସୁନାମ ବଢିଯାଇଛି । ଏବେ କଫିପ୍ରେମୀଙ୍କୁ କୋରାପୁଟ ମାଟି ନୂତନ ସ୍ୱାଦର କଫି ଯୋଗାଇବ ବୋଲି ଚାଷୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
ସପ୍ତଗିରି କଫି ଉଦ୍ୟାନ ଉଦ୍ୟୋଗୀ ସୁଶାନ୍ତ ପଣ୍ଡା କହିଛନ୍ତି, ହଳଦିଆ କଫି ଫଳକୁ ଏକାଠି କରି ସେ ତାଙ୍କ ବଗିଚାରେ ୧୦୦ଟି ମଞ୍ଜି ଲଗାଇଥିଲେ । ଗଛ ଉଠି ଏବେ ହଳଦିଆ ରଙ୍ଗର ପାଚିଲା ଫଳରେ ତାଙ୍କ ବଗିଚା ପୂରି ଉଠିଛି । ଏହାର ସ୍ୱାଦ ଭିନ୍ନ ପ୍ରକାରର ବୋଲି ସେ କହିଛନ୍ତି । ସେହିପରି ଛୋଟାଗୁଡ଼ା ବ୍ରାଉନ ଭ୍ୟାଲି କଫି ବଗିଚାର ଉଦ୍ୟୋଗୀ ସୁଜୟ ପ୍ରଧାନ କହିଛନ୍ତି, ତାଙ୍କ ବଗିଚାରେ ହଳଦିଆ ପାଚିଲା ଫଳର ବିହନରୁ ଗଛ ହୋଇ ଫଳ ଦେଇଛି । ସେଗୁଡ଼ିକ ମଧ୍ୟରୁ ୮୦ ଭାଗ ଫଳ ପାଚି ହଳଦିଆ ଦେଖାଯାଉଛି । ବାକି ୨୦ ଭାଗ ଫଳ ପାଚିଲେ ଲାଲ ରଂଗ ହୋଇଯାଉଛି । ଚଳିତବର୍ଷ ହଳଦିଆ ରଙ୍ଗ ହୋଇ ପାକଳ ହେଉଥିବା କଫି ଗଛକୁ ସୁରକ୍ଷା ପ୍ରଦାନ କରାଯାଇଛି । ସେହି କିସମର ଫୁଲ ମଧ୍ୟରେ ନିୟନ୍ତ୍ରିତ ପରାଗ ସଙ୍ଗମ କରାଯାଇ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି । ୟେଲୋ ବର୍ବନ କିସମ କଫି ମୂଳତଃ ବ୍ରାଜିଲରେ ଦେଖାଯାଉଥିବା ବେଳେ ଏହାର ସ୍ୱାଦ ହାଲୁକା । କଫି ପ୍ରେମୀଙ୍କୁ ଏହା ଏକ ନୂତନ ସ୍ୱାଦ ଆଣିଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଟିଡିସିସି ମ୍ୟାନେଜର ଆଶୁତୋଷ ନନ୍ଦ କହିଛନ୍ତି, କୋରାପୁଟର ପରିବର୍ତ୍ତିତ ଜଳବାୟୁ ସୁହାଉ ଥିବାରୁ ଏହି ପ୍ରଜାତିର କଫି ହେଉଛି । ଆଗକୁ ଏଭଳି ଜଳବାୟୁ ରହିଲେ ଏହି ପ୍ରଜାତିର ଚାଷରେ ବୃଦ୍ଧି ଘଟିବ । ପ୍ରତିଯୋଗିତାମୂଳକ ବଜାରରେ ଚାଷୀ ତିଷ୍ଠି ପାରିବେ । ତେବେ ଏହାର ଅମଳକୁ ଏବେ ଅପେକ୍ଷା କରାଯାଇଛି ବୋଲି ଶ୍ରୀ ନନ୍ଦ କହିଛନ୍ତି ।
ଅନ୍ୟପକ୍ଷେ କଫିବୋର୍ଡ ଏସଏଲଓ ଉପେନ୍ଦ୍ର ସାହା କହିଛନ୍ତି, ପୂର୍ବରୁ ବୋର୍ଡ ତରଫରୁ ଏହି ପ୍ରଜାତିର କଫି ଚାଷ ପରୀକ୍ଷା ମୂଳକ ଭାବେ କରଯାଇଥିଲା । ସେତେବେଳେ ଏହାର ଉତ୍ପାଦନ, ବଜାର ମୂଲ୍ୟ ଓ ଚାଷ ଧାରଣ କ୍ଷମତା ଉପରେ ଦୃଷ୍ଟି ଦିଆଯାଇଥିଲା । ତେବେ ଏହାର ଚାଷ ଓ ଅମଳ ପରେ ଲାଭ ଅଳ୍ପ ହେଉଥିବା ପରିଲକ୍ଷିତ ହୋଇଥିଲା । କଫି ଉଦ୍ୟୋଗୀମାନେ କେବଳ ବ୍ୟବସାୟୀକରଣ ଉଦ୍ଦେଶ୍ୟରେ ଏହା ଏବେ କରିପାରୁଛନ୍ତି ବୋଲି ବୋର୍ଡ ତରଫରୁ କୁହାଯାଇଛି । ଓଡ଼ିଶା କଫି ଗ୍ରୋୟର୍ସ ଆସୋସିଏସନ୍ ସଭାପତି ପ୍ରଦୀପ କୁମାର ମହାନ୍ତି କହିଛନ୍ତି, ଏହି ପ୍ରଜାତିର କଫି କୋରାପୁଟ ଜଳବାୟୁ ଓ ମାଟିରେ ହେଉଥିବା ବହୁତ ଖୁସିର ବିଷୟ । ଏହାର ଅମଳ ଓ ପରୀକ୍ଷଣ ପରେ ବାସ୍ତବ ସ୍ଥିତି ଜଣାପଡ଼ିବ । ଅନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ରହିଛି । ଆଗରୁ କୋରାପୁଟରୁ ଉତ୍ପାଦିତ ଆରବିକ କଫି ବିଶ୍ୱ ଦରବାରରେ ପ୍ରସିଦ୍ଧି ଲାଭ କରି ସାରିଛି । ଏବେ ନୂତନ କଫି ମଧ୍ୟ ସୁନାମ ଅର୍ଜନ କରିବ ବୋଲି ଆଶା କରାଯାଉଛି । ଏହାର ବଜାର ଦର ସଂପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ତଥ୍ୟ ତାଙ୍କ ପାଖରେ ନାହିଁ ବୋଲି ସେ କହିଛନ୍ତି ।
ପ୍ରକାଶଥାଉକି, ୧୯୩୦ରୁ କୋରାପୁଟ ଜିଲ୍ଲାରେ କଫି ଉତ୍ପାଦନ ହେଉଛି । ଜୟପୁର ରାଜା ରାଜବାହାଦୂର ରାମଚନ୍ଦ୍ର ଦେଓ ତାଙ୍କ ବଗିଚାରେ ପ୍ରଥମେ କଫି ଚାଷ ଆରମ୍ଭ କରିଥିଲେ । ୧୯୬୦ ବେଳକୁ କୋରାପୁଟ ଜିଲ୍ଲା ସମେତ କନ୍ଧମାଳ, ରାୟଗଡା, କେଉଁଝର, ଗଜପତି ଓ କଳାହାଣ୍ଡି ଜିଲ୍ଲାକୁ ଏହି ଚାଷ ବ୍ୟାପିଥିଲା । ଆରବିକ ଫ୍ଲେଭର ଥିବା କଫି ହେଉଛି ବିଶ୍ୱର ସର୍ବପୁରାତନ କଫି । ପ୍ରଥମେ ଏହା ଆରବରେ ଚାଷ ହୋଇଥିଲା । ସମୟକ୍ରମେ ଏହା ସାରା ବିଶ୍ୱକୁ ବ୍ୟାପିଥିଲା । ଏହି କଫି ଚାଷରୁ ବିଭିନ୍ନ ଫ୍ଲେଭର ଉତ୍ପନ୍ନ କରାଯାଉଥିଲା । କୋରାପୁଟରୁ ମିଳିଥିବା କଫି ମଧ୍ୟ ଏହି ପ୍ରଜାତିର ଏକ ଅଂଶ ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି ।
ବର୍ତ୍ତମାନ ଜିଲ୍ଲାର ୩ହଜାର ୮୬ ହେକ୍ଟର ଜମିରେ କଫି ଚାଷ କରାଯାଉଛି । ୩ହଜାର ୪୬ରୁ ଅଧିକ ଆଦିବାସୀ ଚାଷୀ ଏହି ଚାଷ କରୁଛନ୍ତି । ଗତବର୍ଷ ୨ହଜାର ୮୯ ହେକ୍ଟର ଜମିରୁ ୨୨୦ଟନ୍ କଫି ଉତ୍ପାଦନ ହୋଇଥିଲା । ଜିଲ୍ଲାର ସେମିଳିଗୁଡାରେ ୧୧୪ ହେକ୍ଟର, ଦଶମନ୍ତପୁର ବ୍ଲକରେ ୫୪୦, ଲକ୍ଷ୍ମୀପୁରରେ ୩୦୩, ନନ୍ଦପୁରରେ ୩୫୨, କୋରାପୁଟରେ ୨୭୧, ବୋରିଗୁମ୍ମାରେ ୩୧ ଓ ପଟ୍ଟାଙ୍ଗିରେ ୪୦ ହେକ୍ଟର ଜମିରେ କଫି ଚାଷ କରାଯାଉଛି । ଜିଲ୍ଲାରେ ଆଦିବାସୀ ଓ ଅଣଆଦିବାସୀ ୩ହଜାର ୧୭୨ ଚାଷୀ ଅଛନ୍ତି । ୨୦୨୨-୨୩ରେ ୫୦୦ ହେକ୍ଟର ଓ ୨୦୨୩-୨୪ରେ ୬୦୦ ହେକ୍ଟର ଜମିରେ କଫି ଚାଷ କରାଯିବାକୁ ବୋର୍ଡ ପକ୍ଷରୁ ଯୋଜନା ରହିଛି । ବର୍ତ୍ତମାନ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା(ଟିଡିସିସି)ଚାଷୀଙ୍କଠାରୁ କେଜି ପ୍ରତି ୪୫ଟଙ୍କାରେ ଚୋପା ଥିବା କଫି କିଣୁଛି । ଏହାକୁ ତିନୋଟି ସ୍ତରରେ ପ୍ରକ୍ରିୟାକରଣ କରିବା ପରେ ବଜାରରେ ୧୨୦୦ ଟଙ୍କାରେ ବିକ୍ରି କରୁଛି ।