ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶରେ ପ୍ରବଳ ଗରମ ମଧ୍ୟରେ ହେଉଛି ଘନ ଘନ ବିଦ୍ୟୁତ୍ କାଟ୍। ଏହାକୁ ନେଇ ଆକ୍ସନ ମୁଡରେ ଯୋଗୀ ସରକାର। ଅବହେଳା ପାଇଁ ଉତ୍ତର ପ୍ରଦେଶ ପାୱାର ଟ୍ରାନ୍ସମିସନ୍ କର୍ପୋରେସନର ଅଧିକାରୀଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାର ଦୁଇ ଜଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ କରିଛନ୍ତି ନିଲମ୍ବିତ। ଆଉ କିଛି ଜଣଙ୍କ ବିରୁଦ୍ଧରେ ମଧ୍ୟ ଯେକୌଣସି ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ। ଉଲ୍ଲେଖନୀୟ ଯେ, ଗତ କିଛି ଦିନ ହେବ, ଉତ୍ତର ପ୍ରଦେଶରେ ଭୟଙ୍କର ଅଗ୍ନିଝଡ଼ ହେଉଛି। ତାପମାତ୍ରା ବୃଦ୍ଧି କାରଣରୁ ଲୋକଙ୍କୁ ଘରୁ ବାହାରିବା କଷ୍ଟକର ହୋଇ ପଡ଼ିଛି। ଆଉ ଏମିତି ସ୍ଥିତିରେ ଗରମରୁ ମୁକ୍ତି ପାଇଁ ବିଦ୍ୟୁତ୍ ହିଁ ଏକମାତ୍ର ସାହାରା। ଆଉ ଏହା ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ମିଳି ପାରୁନାହିଁ। ବିଦ୍ୟୁତ୍ ବିଭ୍ରାଟକୁ ନେଇ ଅନେକ ଜିଲ୍ଲାରେ ପ୍ରତିବାଦ ମଧ୍ୟ ହେଉଛି।
ବିଦ୍ୟୁତ୍ କାଟକୁ ନେଇ ଅନେକ ବିଧାୟକମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଚିଠି ଲେଖିଛନ୍ତି। ଏହାକୁ ଦେଖି ସିଏମ୍ ଯୋଗୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗାଜିଆବାଦରେ ମୁତୟନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାହୁଲଙ୍କୁ ତତ୍କାଳ ପ୍ରଭାବରେ ନିଳମ୍ୱିତ କରି ଦେଇଛନ୍ତି। ଏହାସହ ତାଙ୍କୁ ମିରଟ ମୁଖ୍ୟାଳୟ ସହ ଯୋଡ଼ି ଦିଆ ଯାଇଛି। ମିରଟରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଯୋଗେଶ କୁମାରଙ୍କୁ ମଧ୍ୟ ନିଲମ୍ୱିତ କରି ଦିଆ ଯାଇଛି। ଦୁଇ ଜଣ ଅଧିକାରୀଙ୍କ ବିଭାଗୀୟ କାର୍ଯ୍ୟରେ ଅବହେଳାର ଅଭିଯୋଗ ଲାଗିଛି। ଶନିବାର ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନକୁ ପାୱାର କର୍ପୋରେସନରେ ଜବାବଦେହୀ ଓ ଅନୁଶାସନ ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ମନେକରା ଯାଉଛି। ଅନ୍ୟପଟେ ଉକ୍ତ ମାମଲାରେ ଉତ୍ତର ପ୍ରଦେଶ ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ପରିଷଦ ଅଧ୍ୟକ୍ଷ ଅବଧେଶ କୁମାର ବର୍ମା କହିଛନ୍ତି , ବାରମ୍ୱାର ଖରାପ ଓ ତ୍ରୁଟି ସୁଧାରିବାରେ ବିଳମ୍ୱରେ ଉପଭୋକ୍ତାଙ୍କ ସମସ୍ୟା ବଢୁଛି, କେବଳେ ବିଦ୍ୟୁତର ଉପଲବ୍ଧତା ହିଁ ପ୍ରସଙ୍ଗ ନୁହେଁ।
ଭୀଷଣ ଗରମ ମଧ୍ୟରେ ଉତ୍ତର ପ୍ରଦେଶରେ ନିରନ୍ତର ହେଉଥିବା ବିତ୍ୟୁତ କାଟ୍, ଏବେ ବଡ଼ ରାଜନୀତିକ ପ୍ରସଙ୍ଗ ପାଲଟି ଯାଇଛି। ବିରୋଧୀ ଦଳ ସହ ବିଜେପି ବିଧାୟକମାନେ ମଧ୍ୟ ନିଜ ନିଜ କ୍ଷେତ୍ରରେ ଭୁଶୁଡ଼ି ପଡ଼ିଥିବା ବିଦ୍ୟୁତ୍ ବ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଛନ୍ତି।
ଆହୁରି ମଧ୍ୟ ପଢନ୍ତୁ - ବିଦ୍ୟୁତ ଚାହିଦା ବଢ଼ିବାରୁ OPTCLର କଡ଼ା ପଦକ୍ଷେପ, କର୍ମଚାରୀଙ୍କ ସମସ୍ତ ଛୁଟି ବାତିଲ