ଭୁବନେଶ୍ବର, ୧୮।୧୧  : ଇଣ୍ଡିଆ ଏଆଇ ମିଶନ ଅଧୀନରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (ଏମଇଆଇଟିୱାଇ) 'ସମସ୍ତଙ୍କ ପାଇଁ ଯୁବା ଏଆଇ' ଆରମ୍ଭ କରିଛି। ଏହା ଏକ ପ୍ରକାରର ପ୍ରଥମ ମାଗଣା ପାଠ୍ୟକ୍ରମ ଯାହା ସମସ୍ତ ଭାରତୀୟଙ୍କୁ, ବିଶେଷକରି ଯୁବପିଢ଼ିଙ୍କୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ସହିତ ପରିଚିତ କରାଏ।ଏହି ପାଠ୍ୟକ୍ରମ ଛାତ୍ର, ବୃତ୍ତିଗତ ଏବଂ ଅନ୍ୟ ଜିଜ୍ଞାସୁ ଶିକ୍ଷାର୍ଥୀଙ୍କୁ ଏଆଇ ବିଷୟରେ ଅବଗତ କରିବା ଏବଂ ଏହା କିପରି ବିଶ୍ୱକୁ ପରିବର୍ତ୍ତନ କରୁଛି ତାହା ଦେଖାଇବା ପାଇଁ ଡିଜାଇନ୍ କରାଯାଇଛି। ଏହା ସରଳ, ବ୍ୟବହାରିକ ଏବଂ ବାସ୍ତବ ଜୀବନର ଭାରତୀୟ ପରିପ୍ରେକ୍ଷୀରେ ପରିପୂର୍ଣ୍ଣ ଯାହା ଶିକ୍ଷାକୁ ମଜାଦାର କରିଥାଏ।

ଏହି ପାଠ୍ୟକ୍ରମ ପ୍ରମୁଖ ଶିକ୍ଷା ପ୍ଲାଟଫର୍ମ – ଫ୍ୟୁଚରସ୍କିଲସ ପ୍ରାଇମ୍, ଆଇଜିଓଟି କର୍ମଯୋଗୀ, ଏବଂ ଅନ୍ୟାନ୍ୟ ଲୋକପ୍ରିୟ ଶିକ୍ଷାର୍ଥୀ ପୋର୍ଟାଲରେ ମାଗଣାରେ ଉପଲବ୍ଧ। ପାଠ୍ୟକ୍ରମ ସମାପ୍ତ କରୁଥିବା ପ୍ରତ୍ୟେକ ଶିକ୍ଷାର୍ଥୀ ଭାରତ ସରକାରଙ୍କ ଠାରୁ ଏକ ସରକାରୀ ପ୍ରମାଣପତ୍ର ପାଇବେ।ଛଅଟି ଛୋଟ, ଆକର୍ଷଣୀୟ ମଡ୍ୟୁଲ୍ ମାଧ୍ୟମରେ, ଶିକ୍ଷାର୍ଥୀମାନେ ଏଆଇ ପ୍ରକୃତରେ କ'ଣ ଏବଂ ଏହା କିପରି କାମ କରେ ତାହା  ଜାଣିବେ। ଏଆଇ ଶିକ୍ଷା, ସୃଜନଶୀଳତା ଏବଂ କାର‌୍ୟ୍ୟକୁ କିପରି ପରିବର୍ତ୍ତନ କରୁଛି ତାହା ପାଠ୍ୟକ୍ରମ ମାଧ୍ୟମରେ ଜାଣିବେ । ଏଆଇ ଉପକରଣଗୁଡ଼ିକୁ ସୁରକ୍ଷିତ ଏବଂ ଦାୟିତ୍ୱପୂର୍ଣ୍ଣ ଭାବରେ କିପରି ବ୍ୟବହାର କରିବେ ତାହା ବୁଝିବେ।

'ସମସ୍ତଙ୍କ ପାଇଁ ଯୁବା ଏଆଇ ' କାହିଁକି?

●          ଏହା ୧୦୦ ପ୍ରତିଶତ ମାଗଣା ଏବଂ ସମସ୍ତଙ୍କ ପାଇଁ ଉନ୍ମୁକ୍ତ

●          ଏହା ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ନିଜ ଗତିରେ ଶିଖିବାକୁ ସୁଯୋଗ ଦିଏ

●          ଶିକ୍ଷାର୍ଥୀମାନେ ଭାରତ ସରକାରଙ୍କ ପ୍ରମାଣପତ୍ର ପାଇପାରିବେ

●          ଏପରି ଦକ୍ଷତା ହାସଲ କରିପାରିବେ ଯାହା ଦ୍ବାରା ଜଣେ ଭବିଷ୍ୟତ ପାଇଁ ପ୍ରସ୍ତୁତ ହୋଇପାରିବେ

●          ଏହା ଏକ ଏଆଇ-ଚାଳିତ ରାଷ୍ଟ୍ର ହେବା ଦିଗରେ ଭାରତର ଯାତ୍ରାର ଏକ ଅଂଶ