ନୂଆଦିଲ୍ଲୀ ୧୨/୦୧: ଆମେରିକା ଉଟା ରାଜ୍ୟର ବାସିନ୍ଦା ୩୩ ବର୍ଷୀୟ ଯୁବକ ଷ୍ଟିଫେନ୍ ଚେଜ୍ଙ୍କର ନିକଟରେ ନାକରେ ଏକ ଛୋଟ ଅପରେସନ୍ ହୋଇଥିଲା । ଚେତା ଫେରିବାମାତ୍ରେ ସେଠାରେ ଉପସ୍ଥିତ ନର୍ସ ଏବଂ ମେଡିକାଲ୍ କର୍ମଚାରୀ ତାଙ୍କୁ ସ୍ୱାସ୍ଥ୍ୟାବସ୍ଥା କିଭଳି ଅଛି ବୋଲି ପଚାରିଥିଲେ । ଷ୍ଟିଫେନ୍ କିନ୍ତୁ ଇଂରାଜୀ ନୁହେଁ, ସ୍ପାନିଶ୍ ଭାଷାରେ ସେମାନଙ୍କ ପ୍ରଶ୍ନର ଜବାବ ଦେଇଥିଲେ । ସ୍ପାନିଶ୍ ଭାଷାରେ ତାଙ୍କର ଦଖଲ ନଥିବାବେଳେ ସେ କିପରି ଅନର୍ଗଳ ସେହି ଭାଷା କହିପାରିଲେ ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କର ଏହି ସ୍ଥିତି ଘଣ୍ଟାଏରୁ କମ୍ ସମୟ ଯାଏ ରହିଲା ।
ଏହାପରେ ତାଙ୍କୁ ଏଥିନେଇ ପ୍ରଶ୍ନ କରାଯିବାରୁ ଷ୍ଟିଫେନ୍ କହିଥିଲେ ଯେ, ପୂର୍ବରୁ ବି ତାଙ୍କ ସହିତ ଏଭଳି ଘଟିସାରିଛି । ୧୯ ବର୍ଷର ହୋଇଥିବାବେଳେ ଫୁଟବଲ ଖେଳିବା ସମୟରେ ଆଘାତ ଲାଗିବାରୁ ତାଙ୍କର ଡାହାଣ ଆଣ୍ଠୁରେ ଏକ ଅସ୍ତ୍ରୋପଚାର କରାଯାଇଥିଲା । ଅପରେସନ୍ ପରେ ରିକଭରି ରୁମ୍ରେ ଥିବା ନର୍ସମାନେ ତାଙ୍କୁ ସାଧାରଣ ପ୍ରଶ୍ନ ପଚାରିଥିଲେ । ସେ ସ୍ପାନିଶ୍ ଭାଷାରେ ତାର ଜବାବ ଦେଇଥିଲେ । ତାଙ୍କର ସେହି ସ୍ଥିତି ୨୦ ମିନିଟ୍ ଯାଏ ରହିଥିଲା । ସେହି ସମୟ ମଧ୍ୟରେ ତାଙ୍କୁ ଇଂରାଜୀରେ କହିବାକୁ କୁହାଗଲେ ସେ ଚିନ୍ତାରେ ପଡିଯାଉଥିଲେ । ସଂପୂର୍ଣ୍ଣ ହୋସ୍ ଆସିବାବେଳକୁ ଘଟଣା ସଂପର୍କରେ ତାଙ୍କୁ ବେଶୀ କିଛି ମନେ ନଥିଲା । ପରବର୍ତ୍ତୀ ସମୟରେ ଯେତେଥର ତାଙ୍କର ସର୍ଜରୀ ହେଲା ସେତେଥର ଏହାର ପୁନରାବୃତ୍ତି ଘଟିଲା । ହୋସ୍କୁ ଆସିବା ମାତ୍ରେ ସେ ସ୍ପାନିଶ୍ କହିଲେ । ଯେତେବେଳେକି ସେ ବିଧିବଦ୍ଧ ଭାବେ କେବେ ବି ସ୍ପାନିଶ୍ ଶିଖିନାହାନ୍ତି । ଅବଶ୍ୟ ପିଲାଦିନେ ସେ ସ୍ପାନିଶ୍ ଭାଷା କହୁଥିବା ତାଙ୍କର ସବୁଠୁ ଭଲ ବନ୍ଧୁଙ୍କ ପରିବାର ସଦସ୍ୟଙ୍କ ଗହଣରେ ଅନେକ ସମୟ ବିତାଇଥିଲେ । ସେତେବେଳେ କିନ୍ତୁ ତାଙ୍କ ବନ୍ଧୁଙ୍କ ପରିବାର ଲୋକେ କ’ଣ କଥା ହେଉଛନ୍ତି ତାହା ତାଙ୍କୁ ମାଲୁମ ନଥିଲା ।
ଡାକ୍ତରମାନେ ଏହାକୁ ‘ଫରେନ୍ ଲାଙ୍ଗୁଏଜ୍ ସିଣ୍ଡ୍ରୋମ୍’ ସହ ଯୋଡିଛନ୍ତି । ସେହି ସିଣ୍ଡ୍ରୋମ ଏକ ଦୁର୍ଲଭ ନ୍ୟୁରୋଲୋଜିକାଲ୍ ସ୍ଥିତି ଯେଉଁଥିରେ ମଣିଷ ମସ୍ତିଷ୍କର ଭାଷା ସହ ଜଡିତ ଅଂଶ ଅସ୍ଥାୟୀ ଭାବେ ଭିନ୍ନ ରୂପରେ ସକ୍ରିୟ ହୋଇଯାଏ । ଡାକ୍ତରଙ୍କ ଅନୁସାରେ, ପିଲାଦିନେ କୌଣସି ଭାଷାକୁ ଲଗାତର ଶୁଣିବା ମଧ୍ୟ ମଣିଷର ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଇପାରେ । ଆନାସ୍ଥେସିଆ ପ୍ରଭାବ ଯୋଗୁ ମସ୍ତିଷ୍କର କିଛି ସୁପ୍ତ ଅଂଶ ଅଚାନକ ସକ୍ରିୟ ହୋଇଯାଇଥାଏ ଏବଂ ସେହି ଭାଷା ବାହାରକୁ ଆସିଥାଏ ।