ନରସିଂହପୁର,୧୫/୦୧: ସଚେତନ କରିବା ପାଇଁ ପ୍ରଚାର ଗାଡ଼ିରେ ଆସିଥିଲେ । ହେଲେ ଗାଁକୁ ଫେରିଲା ମୃତଦେହ । ବୁଧବାର ପ୍ରଚାର ଗାଡ଼ିରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ଏପରି ଦୁଖଃଦ ଘଟଣା ନରସିଂହପୁର ବ୍ଲକରେ ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ହେଲେ ଗଜେନ୍ଦ୍ର ମହନ୍ତ(୩୪) । ସେ ଟାଟା ପାୱାରର ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଭୁବନେଶ୍ୱରରୁ ଏକ ପ୍ରଚାର ଗାଡ଼ରେ ବନ୍ୟଜନ୍ତୁ ଶିକାର, ହାତୀ ସୁରକ୍ଷା, ବିଦ୍ୟୁତ୍ ସୁରକ୍ଷା ସମେତ ଅନ୍ୟ ସଚେତନତା କାର୍ଯ୍ୟକ୍ରମ ପାଇଁ ନରସିଂହପୁର ଆସିଥିଲେ ଗଜେନ୍ଦ୍ର ମହନ୍ତ । ସେ ନରସିଂହପୁର ବ୍ଲକ ଅନ୍ତର୍ଗତ କାନପୁର ସେକ୍ସନ କନ୍ଧବେରେଣୀ ବିଦ୍ୟୁତ୍ କାର୍ଯ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଗ୍ରାମରେ ବୁଲି ହାତୀ ସୁରକ୍ଷା, ବନ୍ୟଜନ୍ତୁ ଶିକାର ନକରିବା ଓ ବିଦ୍ୟୁତ୍ ସୁରକ୍ଷା ଆଦି ସମ୍ପର୍କରେ ଲୋକଙ୍କୁ ସଚେତନ କରାଉଥିଲେ । ବୁଧବାର ବହୁ ବିଳମ୍ବ ପର୍ଯ୍ୟନ୍ତ ଗଜେନ୍ଦ୍ର ପ୍ରଚାର ଗାଡ଼ିରୁ ବାହାରି ନଥିଲେ । ତାଙ୍କୁ ଉକ୍ତ ପ୍ରଚାର ଗାଡ଼ିର ଅନ୍ୟ ସହକର୍ମୀ ଡାକିଥିଲେ । ହେଲେ ସେ କୌଣସି ଜବାବ ଦେଇ ନଥିଲେ । ସନ୍ଦେହରେ ସହକର୍ମୀମାନେ କାନପୁର ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଗାଡ଼ିରୁ ଗଜେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲା । ତାଙ୍କୁ ସ୍ଥାନୀୟ ଡାକ୍ତରଖାନକୁ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଶୋଇଥିବା ସମୟରେ ଗଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ଏ ସମ୍ପର୍କରେ ପୁଲିସ ମୃତ ଗଜେନ୍ଦ୍ରଙ୍କ ପରିବାରକୁ ଖବର ଦେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।