ଅଭିଯୁକ୍ତଙ୍କୁ ଥାନାରେ ପିଟି ପିଟି ମାରିଦେଲେ ପୁଲିସ୍

???????????????????????????????????????????????????????????????????????????????????????????????????????????????????????????????
ନବରଙ୍ଗପୁର/ପାପଡାହାଣ୍ଡି, ୧୬ା୬(ଆପ୍ର): କୁକୁଡ଼ାଗାଲିରୁ ଥାନାକୁ ଉଠାଇ ନେଇ ୨ ଅଭିଯୁକ୍ତଙ୍କୁ ନିସ୍ତୁକ ମାଡ଼ ମାରିଛି ପୁଲିସ୍ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ପୁଲିସ୍ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣି ଆଜି ପୂର୍ବାହ୍ନରେ ଥାନା ଭିତରେ ପଶିଥିଲେ ଉତ୍ତ୍ୟକ୍ତ ମହିଳା ଓ ପୁରୁଷ । ଢେଲା ପଥର ମାଡ଼ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଲୋକଙ୍କୁ ଘଉଡ଼ାଇବାକୁ ଯାଇ ଲାଠିଚାର୍ଜ କରିଥିଲା ପୁଲିସ୍ । ପରେ ଟିୟର ଗ୍ୟାସ୍ (ଲୁହବୁହା ବାଷ୍ପ) ପ୍ରୟୋଗ କରିଥିଲା । ପୁଲିସ୍ ଲାଠିମାଡ଼ରେ ଖଣ୍ଡିଆ ଖାବରା ହୋଇଛନ୍ତି ୧୦ରୁ ଅଧିକ ମହିଳା ଓ ପୁରୁଷ । ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇବା ପରେ କୋଡିଙ୍ଗା ଗାଁରେ ମୁତୟନ କରାଯାଇଥିଲା ୩ ପ୍ଲାଟୁନ ଫୋର୍ସ । ଗାଁରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା । ପୁଲିସ୍ର ଲାଠିଚାଳନା ପରେ ବନ୍ଦ ହୋଇଯାଇଥିଲା କୋଡିଙ୍ଗା ଅଞ୍ଚଳର ଦୋକାନ ବଜାର । ଶବ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଗ୍ରାମବାସୀ । ଥାନାଠାରୁ ମାତ୍ର କିଛି ମିଟର ଦୂରରେ ବସି ରହିଥିଲେ । ପୁଲିସ୍ର ଏଭଳି ବର୍ବରକାଣ୍ଡକୁ ଦୃଢ଼ ବିରୋଧ କରିବା ସହିତ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ । ଉତ୍ତେଜନା ବଢିବା ପରେ ପହଞ୍ଚିଥିଲେ ନବରଙ୍ଗପୁର ଏସ୍ପି ନୀତିନ କୁସଲକର, ଏଏସ୍ପି ଶାନ୍ତନୁ ମହାନ୍ତି, ଉପଜିଲ୍ଲାପାଳ କରୁଣାକର ରାଇକା ପ୍ରମୁଖ । ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ପରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍ ସେଠାରେ ପହଞ୍ଚିଥିଲେ । କୋଡିଙ୍ଗା ଥାନାରେ ପୁଲିସ୍ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ପୁଲିସ୍ ମାଡ଼ରେ ପ୍ରାଣ ହରାଇଥିବା ଯୁବକ ଜଣଙ୍କ ହେଲେ କୋଷାଗୁମୁଡ଼ା ବ୍ଲକ ବଡ଼ପାଞ୍ଜିଆଗୁଡ଼ା ଗାଁର ଗୋବର୍ଦ୍ଧନ ବିନ୍ଧାଣୀ ।
ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଖୁଟିଗୁଡାରେ ଚାଲିଥିବା କୁକୁଡ଼ାଗାଲି ଓ ଖୁଡ୍ଖୁଡି ଖେଳ ଉପରେ ଚଢ଼ଉ କରିଥିଲା କୋଡିଙ୍ଗା ପୁଲିସ୍ । ଲାଠି ମାଡ଼ କରି ଲୋକଙ୍କୁ ଘଉଡ଼ାଇଥିଲା । ଏଥିସହ କୁକୁଡ଼ାଗାଲିରୁ ୧୮ଟି କୁକୁଡ଼ା, ୭ଟି ବାଇକ୍କୁ ଜବତ କରିଥିଲା । ଏହି ସମୟରେ କୁକୁଡ଼ାଗାଲି ନିକଟ ବଜାରକୁ ସାମଗ୍ରୀ କିଣିବାକୁ ଯାଇଥିବା ପଙ୍ଗାଲଗୁଡାର କମଳୁ ହରିଜନ ଓ ବଡପାଞ୍ଜିଆଗୁଡ଼ା ଗାଁର ଗୋବର୍ଦ୍ଧନଙ୍କୁ ଉଠାଇ ନେଇଥିଲା ପୁଲିସ୍ । ଥାନା ହାଜତରେ ରଖି ନିସ୍ତୁକ ପିଟିଥିଲା । ପୁଲିସ୍ ମାଡ଼ରେ ଗୋବର୍ଦ୍ଧନ ଓ କମଳୁ ଗୁରୁତର ଆହତ ହୋଇଥିଲେ ।
ଆହତ କମଳୁ କହିଛନ୍ତି, ରାତି ୮ଟା ବେଳେ ଗୋବର୍ଦ୍ଧନଙ୍କୁ ଡାକ୍ତରଖାନା ନିଆଯାଇଥିଲା । ପୁଲିସ୍ ମାଡ଼ରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ । ପରେ ତାଙ୍କୁ ମଧ୍ୟ ନବରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅନ୍ୟପକ୍ଷରେ ଗୋବର୍ଦ୍ଧନଙ୍କୁ ଚେତାଶୂନ୍ୟ ଅବସ୍ଥାରେ ବିଶାଖାପାଟଣା ନେବା ଲାଗି ଉଦ୍ୟମ କରିଥିଲା ଡାବୁଗାଁ ପୁଲିସ୍ । ରାତି ପ୍ରାୟ ଗୋଟାଏ ବେଳେ ବଡ଼ପାଞ୍ଜିଆଗୁଡ଼ା ଗାଁରେ ପହଞ୍ଚି ଗୋବର୍ଦ୍ଧନଙ୍କ ସ୍ତ୍ରୀ ନୀଳା, ଝିଅ ଡମଣୀ ଏବଂ ଅନ୍ୟ ଜଣେ ସଂପର୍କୀୟ ମଙ୍ଗଳୁ ବିନ୍ଧାଣୀଙ୍କୁ ସାଙ୍ଗରେ ନେଇଯାଇଥିଲା ।
ରାତି ପ୍ରାୟ ୨ଟା ବେଳେ ଗାଁରେ ଥିବା ଗୋବର୍ଦ୍ଧନଙ୍କ ଜ୍ୱାଇଁ ତିଲକ ରାମଙ୍କୁ ଫୋନ୍ କରିଥିଲେ କମଳୁ । ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇସାରିଥିବା ସୂଚନା ଦେଇଥିଲେ । ତା ପରେ ଆଉ ମୋବାଇଲ୍ରେ ଯୋଗାଯୋଗ ହୋଇପାରିନଥିଲା । କମଳୁଙ୍କଠାରୁ କେହି ଜଣେ ଫୋନ୍ ଛଡ଼ାଇ ନେଇଥିଲେ ବୋଲି କହିଛନ୍ତି ତିଲକ । ରାତି ୨ଟାରୁ ଆଜି ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଗୋବର୍ଦ୍ଧନଙ୍କ ମୃତ୍ୟୁ ସଂପର୍କରେ କିଛି ସ୍ପଷ୍ଟ କରିନଥିଲା ପୁଲିସ୍ । ଏମିତିକି ଗୋବର୍ଦ୍ଧନଙ୍କ ପରିବାରର ୩ଜଣ ସଦସ୍ୟ କେଉଁଠି ଅଛନ୍ତି, ସେ ସମ୍ପର୍କରେ ବି କୌଣସି ସୂଚନା ଦେଇନଥିଲା ଗ୍ରାମବାସୀଙ୍କୁ । ଦୀର୍ଘ ୮ରୁ ୯ ଘଣ୍ଟା ଧରି ପୁଲିସ୍ ଗ୍ରାମବାସୀଙ୍କୁ ଅନ୍ଧାରରେ ରଖିଥିଲା । ସମୟ ଯେତିକି ଗଡି ଗଡି ଯାଉଥିଲା, ପୁଲିସ ଉପରେ ଗ୍ରାମବାସୀଙ୍କ ସନ୍ଦେହ ସେତିକି ବଢି ବଢି ଚାଲିଥିଲା । କାରଣ ରାତି ୨ଟାରେ ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇସାରିଥିବା ଖବର ପାଇସାରିଥିଲେ ଗ୍ରାମବାସୀ । କିନ୍ତୁ ମୃତ୍ୟୁ ପରେ ଶବକୁ ପୁଲିସ୍ ବିଶାଖାପାଟଣା କାହିଁକି ପଠାଇଲା, ତାକୁ ନେଇ ସନ୍ଦେହ ଘନୀଭୂତ ହୋଇଥିଲା । ତାତି ଉଠିଥିଲେ ଗ୍ରାମବାସୀ । ଥାନା ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ପରେ ଗୋବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲା ପୁଲିସ୍ । ବିଶାଖାପାଟଣାରୁ ତାଙ୍କ ଶବ ଫେରୁଥିବା ଗ୍ରାମବାସୀଙ୍କୁ ସୂଚନା ଦେଇଥିଲା ।
ଏ ସମ୍ପର୍କରେ ପୁଲିସ୍ ସଫେଇ ଦେଇ କହିଛି, ଶନିବାର ସନ୍ଧ୍ୟାରେ ଖୁଣ୍ଟିଗୁଡା ଗାଁରେ ଚାଲିଥିବା କୁକୁଡ଼ାଗାଲିରେ ଚଢଉ କରାଯାଇ କମଳୁ ଓ ଗୋବର୍ଦ୍ଧନଙ୍କୁ ଥାନାକୁ ଅଣାଯାଇଥିଲା । ଦୁଇଜଣଙ୍କୁ ନୋଟିସ୍ ଇସ୍ୟୁ କରାଯାଇ ଛାଡି଼ବା ସମୟରେ ଗୋବର୍ଦ୍ଧନ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ପ୍ରଥମେ କୋଷାଗୁମୁଡା, ପରେ ନବରଙ୍ଗପୁର ଏବଂ ଶେଷରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।