​​​​​​​ରାୟଗଡା, ୧୦।୫ : ରାୟଗଡା ସହରର ଇନ୍ଦିରାନଗର ଅଞ୍ଚଳରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଗୁଳି କରି ଜଣେ ଯୁବକକୁ ହତ୍ୟା କରାଯାଇଛି । ଯୁବକ ଜଣକ ହେଲେ ରାୟଗଡା ସହର ଆମ୍ବେଦକର ସାହିର ହାଡପା ନିଖିଲ୍ । ମୃତ ନିଖିଲ ନାମରେ ଏକାଧିକ ଅପରାଧିକ ମାମଲା ରହିଥିବା ବେଳେ ଅନ୍ୟ ଏକ ଗ୍ୟାଙ୍ଗ୍ ର ଅପରାଧିମାନେ ତାକୁ ହତ୍ୟା କରିଛନ୍ତି ବୋଲି ନିଖିଲର ମା’ ଅଭିଯୋଗ କରିଛନ୍ତି । ଶନିବାର ରାତିରେ ଫାଇରିଂ ଓ ଅପହରଣ ପରେ ରବିବାର ନାଗାବଳୀ ନଦୀ ପଠାରୁ ନିଖିଲଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍ । ଘଟଣାକୁ ପୁଲିସ ଗୁରୁତର ଭାବେ ନେବା ସହ ଅପରାଧିଙ୍କୁ କାବୁ କରିବା ପାଇଁ ଏକ ୪ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ଏସପି ସୂଚନା ଦେଇଛନ୍ତି । ଅନ୍ଯପଟେ ଅଭିଯୁକ୍ତମାନଙ୍କୁ ଗିରଫ୍ ପ୍ରତିବାଦରେ ଥାନା ଆଗରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକେ।

ନିଖିଲ ଶନିବାର ରାତି ପ୍ରାୟ ୧୦ଟା ସମୟରେ ସହରର ଇନ୍ଦିରାନଗର ଅଞ୍ଚଳରେ ରହିଥିବା ବେଳେ ୪ଜଣ ଦୁର୍ବୃତ୍ତ ତାକୁ ପିଛା କରି ଦୁଇ ରାଉଣ୍ଡ୍ ଗୁଳି ମାରିଥିଲେ । ଭୟରେ ନିଖିଲ ଗୋଟିଏ ଘର ଭିତରେ ପଶିଯିବା ପରେ ତାକୁ ଘୋଷାଡି ଘୋଷାଡି ଏକ କାରରେ ଅପହରଣ କରିଥିଲେ । ତେବେ ରବିବାର କୋଣ୍ଡାତୁମ୍ବିଗୁଡା ନାଗାବଳୀ ନଦୀ ପଠାରୁ ନିଖିଲର ମୃତଦେହ ଉଦ୍ଧାର କରିଛି ଟାଉନ୍ ଥାନା ପୁଲିସ । ନିଖିଲର ଜଂଘ ଓ ପିଠିରେ ଗୁଳି ଲାଗିଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଖିଲ୍ କୁ ହତ୍ୟା କରାଯାଇଥିବା ଜଣାପଡିଥିବା ବେଳେ ନିଖିଲ୍ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି । ହତ୍ୟାକାଣ୍ଡ ପରେ ଟାଉନ୍ ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଇନ୍ଦିରାନଗର ଅଞ୍ଚଳର ସମସ୍ତ ସିସିଟିଭିକୁ ଯାଞ୍ଚ୍ କରୁଛି ପୁଲିସ । ଅଭିଯୁକ୍ତମାନଙ୍କୁ ଗିରଫ୍ କରିବା ଦାବି ନେଇ ଥାନା ଆଗରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ସ୍ଥାନୀୟ ଲୋକେ।

ନିଖିଲର  ମୃତଦେହ ମିଳିବା ପରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଟାଉନ୍ ଥାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଲିସ୍ ଛାଉଣୀ କରାଯାଇଛି । ସେପଟେ ଅଭିଯୁକ୍ତ ମାନଙ୍କୁ କାବୁ କରିବା ପାଇଁ ଏକ୪ ଜଣିଆ ଟିମ୍ ଗଠନ କରାଯାଇଛି । ଅପରାଧି ମାନେ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ୍ କରାଯିବ ବୋଲି ରାୟଗଡା ଏସପି ସ୍ବାତୀ.ଏସ୍ କୁମାର ସୂଚନା ଦେଇଛନ୍ତି ।