ମାଲକାନଗିରି,୧୩/୨ : ରାସ୍ତା ମଝିରେ ଯାଉଥିବା ଜଣେ ବୃଦ୍ଧଙ୍କୁ ବଞ୍ଚାଇବାକୁ ଯାଇ ବାଇକ୍ ଦୁର୍ଘଟଣା । ବାଇକ୍ ଆରୋହୀ ଯୁବକର ମୃତ୍ୟୁ ଘଟିଛି । ଏହି ଘଟଣା ମାଲକାନଗିରି ସହରରେ ଶୋକର ଛାୟା ଖେଳାଇ ଦେଇଛି ।

ପ୍ରକାଶ ଯେ, ମାଲକାନଗିରି ଟେକ୍ ବାଡ଼ି ସାହିର କୃଷ୍ଣ କଚିମ୍(୨୬) ଏକ ବାଇକ୍ ଯୋଗେ ଗତ କାଲି ରାତିରେ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ୩୨୬ନମ୍ବର ଜାତୀୟ ରାଜପଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ହଠାତ୍ ଜଣେ ବୃଦ୍ଧ ରାସ୍ତା ମଝିକୁ ପଳାଇ ଆସିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ବାଇକଟିକୁ ରାସ୍ତାକଡ଼କୁ ନେଲାବେଳେ ରାସ୍ତାକଡ଼ରେ ଥିବା ଏକ ଲୁହା ଟ୍ରଲିରେ ବାଇକଟି ବାଡ଼େଇ ହୋଇଯାଇଥିଲା । ରସ୍ତାରେ ଛିଟିକି ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ କୃଷ୍ଣ ।

ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ଲୋକେ ଓ ମା‘ଭୈରବୀ ଇଲେକ୍ଟ୍ରିକାଲ ୱର୍କର ସଂଘର ସଦସ୍ୟମାନେ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ଲାଗି ନେଇଯାଇଥିଲେ । ହସ୍ପିଟାଲରେ ଚିକାତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନିଜ ଜୀବନ ହରାଇଥିବା କୃଷ୍ଣ କଚିମ ମା’ଭୈରବୀ ଇଲେକ୍ଟ୍ରିକାଲ ୱର୍କର ସଂଘର ସଦସ୍ୟଥିଲେ । ସେ ଘରୋଇ ଲାଇନ ମ୍ୟାନ ଭାବେ କାମ କରୁଥିଲେ । ଏହି ଦୁଃଖଦ ସମୟରେ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ସଂଘ ପକ୍ଷରୁ ତାଙ୍କ ପରିବାରକୁ ୫,୧୦୦ ଟଙ୍କା ପ୍ରଦାନ କରାଯାଇଛି । ଆଗାମୀ ଦିନରେ ସଂଘ ଦ୍ୱାରା ୧ ଲକ୍ଷ ଟଙ୍କାର ବିମା ରାଶି ପ୍ରଦାନ କରାଯିବ ବୋଲି ସଂଘର କୋଷାଧ୍ୟକ୍ଷ ଓ ସଭାପତି ଡମୁ ଜାନି କହିଛନ୍ତି ।