ଘଷିପୁରା,୧୮/୦୬: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ରଘୁନାଥପୁର ଛକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଏଥିରେ ରଘୁନାଥପୁର ଗାଁର ତ୍ରିନାଥ ସୁଆ ସିଂଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟଲୋକେ । କ୍ଷତିପୂରଣ ନମିଳିବା ଯାଏ ରାସ୍ତା ରୋକ୍ ହଟିବ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।
ସୂଚନା ମୁତାବକ, ମଙ୍ଗଳବାର ତ୍ରିନାଥ ସୁଆ ସିଂ ଡୁବୁରୀ ପ୍ଲାଣ୍ଟରୁ ରଘୁନାଥପୁର ଫେରୁଥିବା ସମୟରେ ହାଇୱା ସହ ତାଙ୍କ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବାଇକ୍ ଆରୋହୀଙ୍କୁ ଦୁର୍ଘଟଣା ପରେ ହରିଚନ୍ଦନପୁର ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲକୁ ନିଆଯାଇଥିଲା । ଅଜଣା ହାଇୱାକୁ ଧରିବା ସହ ମୃତ୍ୟୁ ଘଟିଥିବା ତ୍ରିନାଥଙ୍କ ପରିବାରକୁ କ୍ଷତିପୂରଣ ଦାବି ଓ ଦୁର୍ଘଟଣା ଘଟିଥିବା ରାସ୍ତାରେ ବାଲି ଗାଡ଼ି ବନ୍ଦ କରିବା ଦାବିରେ ରାସ୍ତାରୋକ କରିଛନ୍ତି ଲୋକେ । ରଘୁନାଥପୁର ଗାଁର ଶତାଧିକ ଗ୍ରାମବାସୀ ରଘୁନାଥପୁର ଛକଠାରେ ୨ ଘଣ୍ଟା ହେବ ରାସ୍ତା ରୋକ କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତା ରୋକ୍ ହଟିବ ନାହିଁ ବୋଲି କହିଛନ୍ତି ଗାଁ ଲୋକ ।