ଭୁବନେଶ୍ୱର, ୦୫/୦୭: ରାଜଧାନୀ ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ ପୁଣି ମୁଣ୍ଡ ନେଇଛି । ଶନିବାର ଅପରାହ୍ଣରେ ବାଣୀବିହାର ଲେକ୍ ଜୋନ୍(ଡ୍ରେନ୍-୪)ରେ ଜଣେ ଯୁବକ ଭାସିଯାଇଛନ୍ତି । ଖବରପାଇ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ନିଖୋଜ ଯୁବକ ସ୍ଥାନୀୟ ପଥରବନ୍ଧ ବସ୍ତରେ ରହୁଥିବା କେନ୍ଦୁଝରର ଅନୀଲ ସିଂ(୩୫) ବୋଲି ଜଣାପଡ଼ିଛି । ଅଗ୍ନିଶମ ବିଭାଗ ପକ୍ଷରୁ ୮ ଘଣ୍ଟା ଖୋଜାଖୋଜି ପରେ ଅନୀଲଙ୍କ ପତ୍ତା ମିଳିନଥିଲା । ରାତି ପ୍ରାୟ ୯ଟା ବେଳେ ଖୋଜ୍ଖବର ନ ମିଳିବାରୁ ସର୍ଚ୍ଚ ଅପରେସନକୁ ବନ୍ଦ କରାଯାଇଛି । ଆଜି ପୁଣି ଖୋଜାଖୋଜି ଆରମ୍ଭ ହେବ। ଅଗ୍ନିଶମ ଓ ଓଡ୍ରାଫ୍ର ଟିମ୍ ସର୍ଚ୍ଚ ଅପରେସନ୍ ଜାରି ରଖିଛି।
ରାଜଧାନୀରେ ଦିନ ସାରା ପ୍ରବଳ ବର୍ଷା ଲାଗି ରହିଥିଲା । ବର୍ଷା ଫଳରେ ଜଳବନ୍ଦୀ ସ୍ଥିତି ଉପୁଜୁଥିଲା । ଅପରାହ୍ଣ ପ୍ରାୟ ୩ଟା ବେଳେ ବାଣୀବିହାର ଡ୍ରେନ୍ ନିକଟ ପଥରବନ୍ଧର ଅନୀଲ ତାଙ୍କର ଜଣେ ବନ୍ଧୁଙ୍କ ସହ ସେଠାରେ ପ୍ଲାଷ୍ଟିକ ବୋତଲ ଗୋଟାଉଥିଲେ । ବର୍ଷା ଯୋଗୁ ଡ୍ରେନ୍ରେ ପାଣି ସୁଅ ଥିଲା । ବିଭିନ୍ନ ଆଡୁ ପାଣି ବୋତଲ ଭାସି ଆସୁଥିଲା । ଏହି ବୋତଲ ଡ୍ରେନ୍ରୁ ଗୋଟାଉଥିବା ବେଳେ ତାଙ୍କର ଗୋଡ଼ ଖସିଯିବାରୁ ସେ ଡ୍ରେନ୍କୁ ଖସି ପଡ଼ିଥିଲେ । ପାଣିର ସ୍ରୋତରେ ସେ ଭାସି ଯାଇଥିଲେ । ସେଠାରେ ଅଳିଆ ଭର୍ତ୍ତି ହୋଇଥିବାରୁ ତା ତଳେ ଅନୀଲ ଭାସି କେଉଁଆଡେ ଚାଲିଯାଇଥିଲେ । ତାଙ୍କ ବନ୍ଧୁ ଜାଣିପାରି ନଥିଲେ । ଖବରପାଇ ମଞ୍ଚେଶ୍ୱର ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା । ଟିମ୍ ପକ୍ଷରୁ ଉପରମୁଣ୍ଡରେ ଖୋଜାଯାଇଥିଲା । ହେଲେ କିଛି ସୁଫଳ ମିଳିନଥିଲା। ଏହା ପରେ ଓଡ୍ରାଫ୍ର ଷ୍ଟ୍ରାଇକିଂ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ । ଏହା ପରେ ସେଠାରେ ଜେସିବି ମେସିନ୍ ସାହାଯ୍ୟରେ ପାଚେରି ଭଙ୍ଗାଯାଇ ପାଣି ଭିତରୁ ଖୋଜା ଯାଇଥିଲା । ହେଲେ ନିଖୋଜ ବ୍ୟକ୍ତିଙ୍କ କୌଣସି ପତ୍ତା ମିଳିନି । ରାତିରେ ସର୍ଚ୍ଚ ଅପରେସନ୍ ବନ୍ଦ ରଖାଯାଇଥିଲା। ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ :- Extramarital Love Turns Deadly: ପରକୀୟା ପ୍ରୀତି ପାଇଁ ଜୀବନ ହାରିଛନ୍ତି ୪୯ ଜଣ
ବିଡିଏ ପକ୍ଷରୁ ସେଠାରେ ଲେକ୍ ଜୋନ୍ ନିର୍ମାଣ ଚାଲୁଥିଲା । ନିର୍ମାଣଧୀନ ଡ୍ରେନ୍ରେ ଲୋକଙ୍କୁ ପ୍ରବେଶ କରିବାକୁ ବାରଣ ରହିଥିଲା । ହେଲେ ଏହା ଭିତରକୁ ସେ କେମିତି ପ୍ରବେଶ କଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ମୁଖ୍ୟଡ୍ରେନ୍ ଭିତରେ ତାରଜାଲି କରାଯାଇନଥିଲା । ଏହା ସହ ମୁକୁଳା ଥିବାରୁ ଏପରି ବଡ଼ଧରଣ ଅଘଟଣ ଘଟିଲା । ଘଟଣା ପରେ ବିଏମ୍ସି ଓ ବିଡିଏ ଦୋଷ ଠେଲାଠେଲି ହୋଇଛନ୍ତି । ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି, ବିଡିଏ ଏହି ଡ୍ରେନ୍ ଲେକ୍ ଜୋନ୍ ନିର୍ମାଣ କରିବାକୁ ହସ୍ତାନ୍ତର କରାଯାଇଛି । ଏହି ଡ୍ରେନ୍ ବିଡିଏ ଅଧୀନରେ ରହିଛି । ଖବରପାଇ ଘଟଣାସ୍ଥଳରେ ମେୟର ସୁଲୋଚନା ଦାସ, ବିଏମ୍ସି କମିଶନର ଚଞ୍ଚଳ ରାଣା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚିଥିଲେ । ମେୟର ସୁଲୋଚନା ଦାସ କହିଛନ୍ତି, ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଚାଲିଛି । କମିଶନର ଶ୍ରୀ ରାଣା କହିଛନ୍ତି, ବିଡିଏ ପକ୍ଷରୁ କାମ ଚାଲିଛି । ଏହି ଡ୍ରେନ୍ ନିଷିଦ୍ଧାଞ୍ଚଳ । ଏଠାକୁ ସାଧାରଣ ଲୋକେ ପ୍ରବେଶ ଉପରେ କଟକଣା ରହିଛି । ତେବେ କେଉଁ ପରିସ୍ଥିତିରେ ଲୋକେ ଭିତରକୁ ଆସିଲେ ତାକୁ ନେଇ ତଦନ୍ତ କରାଯିବ ।