ନୂଆଦିଲ୍ଲୀ,୦୫/୦୭; ଘରର ଭେଣ୍ଡିଆ ପୁଅକୁ ହରାଇଥିଲା ପରିବାର । ଯେଉଁଠି ବାହାଘର ପାଇଁ ପ୍ରସ୍ତୁତି ଚାଲିଥାନ୍ତା ସେଠି ପୁଲିସ୍ କେସ୍ ଚାଲିଛି । ଯାହାକୁ ବୋହୂ କରି ଘରକୁ ଆଣିବାକୁ ସ୍ୱପ୍ନ ଦେଖିଥିଲେ ସେ ତାଙ୍କ କୋଳ ଖାଲି କରିଦେଲା । ପୁନେର ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ହତ୍ୟାକାଣ୍ଡର ତଦନ୍ତ ଚାଲିଛି । ଭାବିପତ୍ନୀ ସିୟା ଓ ତାଙ୍କ ପ୍ରେମିକ ଚେତନ ଜେଲରେ ଅଛନ୍ତି । ପୁଲିସ ତଦନ୍ତ କରୁଛି । ଏହାରି ଭିତରେ କେତନଙ୍କ ପରିବାର ଉପରେ ଆଉ ଏକ ଦୁଃଖର ପାହାଡ଼ ଖସି ପଡିଛି । ନାତିର ମୃତ୍ୟୁକୁ ସହି ନପାରି ଆରପାରିକୁ ଚାଲି ଯାଇଛନ୍ତି କେତନଙ୍କ ଜେଜେବାପା । ହୃଦଘାତରେ କେତନଙ୍କ ଜେଜେଙ୍କର ମୃତ୍ୟୁ ହୋଇଛି । ଜୁନ୍ ୧୮ ତାରିଖରେ ତାଙ୍କ ନାତିର ଦୁଃଖଦ ମୃତ୍ୟୁ ପରଠାରୁ ସେ ଚିନ୍ତାରେ ଥିଲେ ।

କେତନ ଅଗ୍ରୱାଲଙ୍କ ଅକାଳ ମୃତ୍ୟୁ ସମଗ୍ର ପରିବାରକୁ ଭାଙ୍ଗି ଦେଇଛି । କେତନଙ୍କ ମୃତ୍ୟୁର ବଡ଼ ଆଘାତ ତାଙ୍କ ବୃଦ୍ଧ ଜେଜେବାପା ଦେବୀଚାନ୍ଦ ଅଗ୍ରୱାଲ (୭୧)ଙ୍କ ଉପରେ ପଡ଼ିଥିଲା । ଯିଏକି ତାଙ୍କ ନାତିର ମୃତ୍ୟୁ ପରେ ମାନସିକ ଆଘାତରେ ଥିଲେ । ପରିବାର ଅନୁଯାୟୀ, ଦେବୀଚାନ୍ଦ ଅଗ୍ରୱାଲ ଶନିବାର ରାତି ୯ଟା ୪୫ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଡାକ୍ତରମାନେ କହିଛନ୍ତି ଯେ, ଅତ୍ୟଧିକ ମାନସିକ ଚାପ ଏବଂ ଆଘାତ ତାଙ୍କୁ ହୃଦଘାତର ଶିକାର କରିଥିଲା, ଯାହା ତାଙ୍କ ପାଇଁ ଘାତକ ହେଲା । ପରିବାରର ଦୁଇ ଦୁଇ ଜଣଙ୍କୁ ହରାଇ ଅଗ୍ରୱାଲ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି ।

ଏହା ବି ପଢନ୍ତୁ...ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ପିଏମ ମୋଦୀଙ୍କୁ ହତ୍ୟା ଧମକ, ମେଲବୋର୍ଣ୍ଣ ପୋଲିସର ତଦନ୍ତ ଆରମ୍ଭ…

କେତନ ହତ୍ୟା ମାମଲା- ପୁନେର ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ହତ୍ୟାକାଣ୍ଡ ମାମଲାରେ ତାଙ୍କର ଭାବିପତ୍ନୀ ସିୟା ଗୋୟଲଙ୍କ ଏକ ସ୍ନାପଚାଟ୍ ଏବେ ସାମ୍ନାକୁ ଆସିଛି । ସେଥିରେ ସେ ଜଣେ ବନ୍ଧୁଙ୍କୁ କେତନଙ୍କ ସହ ତାଙ୍କର ବିବାହ ହେବାର ନାହିଁ ବୋଲି ଲେଖିଥିଲେ । ଚାଟ୍‌ଟି ମେ ୨୫ ତାରିଖର । ସେଥିରେ ସିୟା ତାଙ୍କର ଜଣେ ବନ୍ଧୁଙ୍କୁ ବିବାହ ଉତ୍ସବ ଲାଗି ବିମାନ ବୁକିଂ ପାଇଁ ଆଧାର କାର୍ଡ ମାଗିଥିଲେ । ଏହି ସମୟରେ ସେ ଲେଖିଥିଲେ ଯେ, ‘ବିବାହ ଟିକଟ ପାଇଁ ଆଧାର କାର୍ଡର ଫ୍ରଣ୍ଟ-ବ୍ୟାକ୍ ପେଜ୍ ପଠା । ଏହି ବିବାହ କେବେ ହେବାର ନାହିଁ । ତଥାପି ଆଧାର କାର୍ଡ ପଠାଇଦେ ।’ ଏହି ଚାଟ୍ ଏବେ କେତନଙ୍କ ହତ୍ୟାକାଣ୍ଡର ଯାଞ୍ଚରେ ନୂଆ ମୋଡ଼ ଆଣିଛି । କେତନଙ୍କୁ ହତ୍ୟା ଲାଗି ଚାଲିଥିବା ଷଡ଼ଯନ୍ତ୍ର ବିଷୟରେ କେହି ଯେପରି ଜାଣି ନ ପାରିବେ ଏବଂ ବିବାହ ପ୍ରସ୍ତୁତି ଜାରି ରହିଛି ବୋଲି ସମସ୍ତଙ୍କ ମନରେ ଏକ ଧାରଣା ସୃଷ୍ଟି ଲାଗି ସେହି ବିମାନ ବୁକିଂ କରାଯାଇଥିଲା କି ନାହିଁ ତାହା ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି ।

ସେହିପରି ସିୟା ଏବଂ ଚେତନ ହତ୍ୟା ଷଡ଼ଯନ୍ତ୍ର ରଚନା ସମୟରେ କୋଡ୍ ୱାର୍ଡରେ ଚାଟିଂ କରୁଥିବା ପୁଲିସ ଯାଞ୍ଚରୁ ଜଣାପଡି଼ଛି । ଅନ୍ୟପଟେ ପୁଲିସ ଶୁକ୍ରବାର ସିୟାଙ୍କ ଘରୁ ଆଉ ଏକ ମୋବାଇଲ୍ ଜବତ କରିଛି । ସିୟା ତାକୁ ଘରେ ଲୁଚାଇ ରଖିଥିଲେ । ତାକୁ ଯାଞ୍ଚ ଲାଗି ଫରେନ୍ସିକ୍ ସାଇନ୍ସ ଲାବରେଟୋରୀ ପଠାଯାଇଛି । ସୂଚନାଥାଉକି, ସିୟା ଏବଂ କେତନଙ୍କର ଫେବ୍ରୁଆରୀରେ ନିର୍ବନ୍ଧ ହୋଇଥିଲା । ତେବେ ଜୁନ୍ ୧୮ରେ ପ୍ରେମିକ ଚେତନଙ୍କ ସହ ମିଶି ସିୟା କେତନଙ୍କୁ ଲୋହାଗଡ଼ ଦୁର୍ଗରୁ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁନେର ବଡଗାଓଁ କୋର୍ଟ ଏହି ମାମଲାରେ ଗତକାଲି ଉଭୟଙ୍କୁ ୧୪ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ସେମାନଙ୍କୁ ଏବେ ୟେରୱାଡା ଜେଲ୍‌ରେ ରଖାଯାଇଛି ।

ଏହା ବି ପଢନ୍ତୁ...Asia's Cleanest Village: ଏସିଆର ସବୁଠୁ ସ୍ୱଚ୍ଛ ଗାଁ, ରବିବାର ପର୍ଯ୍ୟଟକଙ୍କ ପ୍ରବେଶ ମନା