ଓଡ଼ାପଡ଼ା,୧୫/୭ : କୂଅରୁ ପାଣି କାଢୁଥିବା ବେଳେ ଖସିପଡ଼ିଲେ ଯୁବକ। ଚାଲିଗଲା ଜୀବନ। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା କାଉଁରିଆପାଳ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ଗ୍ରାମର ବିମଳ ଖଟୁଆ (୩୦ ବର୍ଷ) ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ବିମଳ ତାଙ୍କ ଘର ପାଖରେ ଥିବା କୂଅରୁ ପାଣି କାଢୁଥିବା ବେଳେ ଅସାବଧାନତା ଯୋଗୁଁ ତାଙ୍କ ଗୋଡ ଖସିଯାଇଥିଲା। ସେ କୂଅକୁ ଖସି ପଡ଼ିଥିଲେ। ଖବରପାଇ ହିନ୍ଦୋଳ ରୋଡ ଅଗ୍ନଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବିମଳଙ୍କୁ କୂଅରୁ ଉଦ୍ଧାର କରି ଓଡ଼ାପଡ଼ା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଢେଙ୍କାନାଳ ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିମଳଙ୍କ ମୃତ୍ୟୁ ଘଟିଛି। ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।