କଟକ,୨୨।୩ : କଟକ ଶିଶୁଭବନରେ ପୁଅକୁ ଚିକିତ୍ସା କରାଇବାକୁ ଆଣି ହଟହଟା ହେଲେ ଯୁଵକ। ଚିକିତ୍ସାଧୀନ ପୁଅର ସହାୟତା ପାଇଁ ଶିଶୁ ଭବନର ନୂଆ ଵିଲଡିଂର ଲିଫ୍ଟରେ ଫସିଗଲେ ଯୁଵକ। ରାଜ୍ୟର ଅନ୍ୟତମ ବଡ ଶିଶୁ ରୋଗ ପ୍ରତିଷ୍ଠାନ, କଟକ ଶିଶୁ ଭଵନର ନବ ନିର୍ମିତ କୋଠାରେ ଏଭଳି ଘଟିଛି।
ଲିଫ୍ଟ ଅଧାରେ ଅଟକି ଯିବାରୁ ଅଧଘଣ୍ଟା କାଳ ଲିଫ୍ଟ ଭିତରେ ଅତି ଅସହାୟ ଭାବେ ଫଶି ରହିଲେ ଯୁଵକ। ନାଁ ତାଙ୍କ ମୋବାଇଲରେ ନେଟୱର୍କ କାମ କଲା ନା ଲିଫ୍ଟରେ ଲଗାଯାଇଥିବା ଏମର୍ଜେନ୍ସି ଆଲାର୍ମ। ଅନେକ ସମୟ ପରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହିତ ଫୋନରେ ଯୋଗାଯୋଗ ସମ୍ଭବ ହୋଇଥିଲା। ଏହା ପରେ ସମ୍ପୃକ୍ତ ସମ୍ପର୍କୀୟ ଏଭଳି ଅଘଟଣ ସମ୍ପର୍କରେ ଯୁବକଙ୍କ ପତ୍ନୀଙ୍କୁ ଜଣାଇଥିଲେ । ପତ୍ନୀ ହସ୍ପିଟାଲ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଚାଳିଶ ମିନିଟ ପରେ ଆସି ପହଞ୍ଚିଥିଲେ ଲିଫ୍ଟ ମେକାନିକ। ଏହା ପରେ ଯୁବକ ଜଣକ ଲିଫ୍ଟ ଭିତରୁ ବାହାରି ଥିଲେ । ଲିଫ୍ଟ ଭିତରେ କୌଣସି ଅପରେଟରଙ୍କୁ ନିଯୁକ୍ତି ଦିଆଯାଇ ନଥିବା ଯୁବକ ଜଣକ କହିଛନ୍ତି । କୋଟି କୋଟି ଟଙ୍କା ବ୍ୟୟରେ ଏହି ନୂଆ କୋଠା ଓ ଲିଫ୍ଟ ସେଵା ମାତ୍ର ମାସେ ତଳେ ଆରମ୍ଭ ହୋଇଛି।