ମୋବାଇଲ ଝାମ୍ପି ନେବାକୁ ଚେଷ୍ଟା କରୁଥିଲେ, ବିରୋଧ କରିବାରୁ ଯୁବକଙ୍କୁ ଛୁରାମାଡ଼

ବାଲିପାଟଣା, ୨୪/୦୬ : ମୋବାଇଲ ଝାମ୍ପି ନେବାକୁ ଚେଷ୍ଟା କରୁଥିଲେ, ବିରୋଧ କରିବାରୁ ଯୁବକଙ୍କ ପେଟକୁ ଛୁରୀ ଭୁଷିଦେଲେ ଦୃର୍ବୃତ୍ତ। ବାଲିଅନ୍ତା ଥାନା କାକରୁଦ୍ରପୁରରେ ଏଭଳି ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଦୁର୍ବୃତ୍ତମାନଙ୍କୁ କାବୁ କରିବାରେ ସଫଳ ହୋଇଛି।
ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ରାତିର ବାଲିଅନ୍ତା ଥାନା କାକରୁଦ୍ରପୁରର ସିକୁନ୍ ପଣ୍ଡା ଗାଁ ପାଖ ଶଙ୍ଖରେ ବସି ମୋବାଇଲ୍ ଦେଖୁଥିବା ବେଳେ ଦୁଇ ଜଣ ଲୁଟେରା ବାଇକ୍ରେ ଆସି ତାଙ୍କ ଠାରୁ ମୋବାଇଲ୍ ଛଡ଼ାଇଥିଲେ। ସିକୁନ୍ ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛୁରୀ ଭୁଷି ଦେଇଥିଲେ। ଏହି ସମୟରେ ପାଖରେ ଥିବା ଅନ୍ୟ ୨ ଜଣ ଯୁବକ ସେଠାରେ ପହଞ୍ଚିଯିବାରୁ ଲୁଟେରା ଦୁଇ ଜଣ ଫେରାର୍ ହେବାକୁ ବସିଥିଲେ। ତେବେ ଶତାଧିକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତମାନଙ୍କୁ ଖୋଜାଖୋଜି କରିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଏକ କାର୍ରେ ଖସିଯିବାକୁ ଉଦ୍ୟମ କରିବା ବେଳେ ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି।
ଅପର ପକ୍ଷରେ ଲୁଟେରାଙ୍କ ଛୁରା ମାଡ଼ରେ ସିକୁନ୍ ଗୁରୁତର ହୋଇଛନ୍ତି। ତାଙ୍କ ପେଟରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।