ଯୁବତୀଙ୍କୁ ବିଭତ୍ସ ଭାବେ ହତ୍ୟା, ଏକତରଫା ପ୍ରେମ ସନ୍ଦେହ

ବରଗଡ, ୨/୧୨ : ଯୁବତୀଙ୍କୁ ବିଭତ୍ସ ଭାବେ ହତ୍ୟା। ଏକତରଫା ପ୍ରେମ ବ୍ୟାପାର ସନ୍ଦେହ। ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁ ଗ୍ରାମରେ ଶୁକ୍ରବାର ଭୋର୍ ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଁ ମୁଣ୍ଡରେ ଥିବା ଏକ ନଳକୂପ ନିକଟରୁ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ।
ସୂଚନାନୁଯାୟୀ, ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁ ମୁଣ୍ଡରେ ଥିବା ଏକ ନଳକୂପ ନିକଟରୁ ଶୁକ୍ରବାର ଭୋର୍ ସମୟରେ ଜଣେ ଯୁବତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ଖବର ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବତୀ ଜଣଙ୍କ ଗ୍ରାମର ରଘୁମଣି ଭୁଏଙ୍କ ଝିଅ ସସ୍ମିତା ବୋଲି ଜଣାପଡ଼ିଛି। ସସ୍ମିତାଙ୍କୁ କେହି ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ ସସ୍ମିତା ଶୌଚ ପାଇଁ ଭୋର୍ ସମୟରେ ବାହାରକୁ ଯାଇଥିଲେ। ଶୌଚ ସାରି ନିକଟସ୍ଥ ନଳକୂପରେ ଦାନ୍ତ ଘଷୁଥିବା ବେଳେ ତାଙ୍କୁ କେହି ଆକ୍ରମଣ କରିଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ଵାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ଏକ ତରଫା ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।