ଆଇପିଏଲରେ ଇତିହାସ ରଚିଲେ ଚହଲ, ଏଭଳି କରିଥିବା ପ୍ରଥମ ଭାରତୀୟ ସ୍ପିନର

ନୂଆଦିଲ୍ଲୀ,୨୧।୫: ଆଇପିଏଲ ୨୦୨୨ ରେ ୟୁଜବେନ୍ଦ୍ର ଚହଲ ଏପର୍ଯ୍ୟନ୍ତ ସବୁଠାରୁ ସଫଳତ ବୋଲର। ଏହି ସିଜିନ୍ରେ ଚହଲଙ୍କ ଦମଦାର ବୋଲିଂ ଆଗରେ ବଡ ବଡ ବ୍ୟାଟର ମଧ୍ୟ ଫେଲ୍ ହୋଇଯାଇଛନ୍ତି। ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ଭିତରେ ଖେଳାଯାଇଥିବା ମ୍ୟାଚ୍ରେ ମଧ୍ୟ ଚହଲଙ୍କ ବୋଲିଂରେ ଯାଦୁ ଦେଖିବାକୁ ମିଳିଥିଲା। ସେ ଏକ ଖାସ୍ ରେକର୍ଡ ନିଜ ନାମରେ କରିଛନ୍ତି।
ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ଭିତରେ ଖେଳା ଯାଇଥିବା ମ୍ୟାଚ୍ରେ ୟୁଜବେନ୍ଦ୍ର ଚହଲ ଖୁବ୍ ସୁନ୍ଦର ବୋଲିଂ କରିଥିଲେ। ସେ ୪ ଓଭରରେ ୨୬ ରନ୍ ଦେଇ ୨ ଓ୍ବିକେଟ୍ ନେଇଥିଲେ। ଆଇପିଏଲ ୨୦୨୨ ରେ ଏବେ ଚହଲ ୨୬ ଓ୍ବିକେଟ ନେଇସାରିଛନ୍ତି। ଏହା ସହିତ ଚହଲ ଆଇପିଏଲର ଗୋଟିଏ ସିଜିନ୍ରେ ସବୁଠାରୁ ଅଧିକ ଓ୍ବିକେଟ୍ ନେଇଥିବା ଭାରତୀୟ ସ୍ପିନର ପାଲଟି ଯାଇଛନ୍ତି। ସେ ଏହି ମାମଲାରେ ହରଭଜନ ସିଂଙ୍କର ରେକର୍ଡ ଭାଙ୍ଗି ଦେଇଛନ୍ତି।
ହରଭଜନ ସିଂହ ଆଇପିଏଲର ସବୁଠାରୁ ସଫଳ ବୋଲରଙ୍କ ଭିତରୁ ଜଣେ। ସେ ଆଇପିଏଲ ୨୦୧୩ ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି ସିଜିନ୍ରେ ୨୪ ଓ୍ବିକେଟ୍ ହାସଲ କରିଥିଲେ। ହରଭଜନଙ୍କୁ ଏହି ରେକର୍ଡ ଭାଙ୍ଗିବା ପାଇଁ ୯ ବର୍ଷ ଲାଗିଥିଲା। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ଚହଲ ଏପର୍ଯ୍ୟନ୍ତ ୨୬ ଓ୍ବିକେଟ ନେଇଛନ୍ତି। ତାଙ୍କ ପାଖରେ ଏବେ ବି ଓ୍ବିକେଟ ନେବାର ସୁଯୋଗ ରହିଛି। ଟିମ୍ ପ୍ଲେ ଅଫ୍ରେ ପହଁଞ୍ଚି ସାରିଛି, ଏଭଳି ସ୍ଥିତିରେ ସେ ନିଜର ଓ୍ବିକେଟ ନେବାର ଧାରା ଆଗକୁ ବଢାଇ ପାରନ୍ତି।
ଚହଲ ଏହି ମ୍ୟାଚ୍ରେ ଆଉ ଏକ ରେକର୍ଡର ସମକକ୍ଷ ହୋଇଥିଲେ। ଆଇପିଏଲର ଗୋଟିଏ ସିଜିନ୍ରେ ଜଣେ ସ୍ପିନର ଭାବରେ ସବୁଠାରୁ ଅଧିକ ଓ୍ବିକେଟ ନେଇଥିବା ରେକର୍ଡ ଇମ୍ରାନ୍ ତାହିରଙ୍କ ନାଁରେ ରହିଛି। ଇମ୍ରାନ ତାହିର ୨୦୧୯ ରେ ୨୬ ଓ୍ବିକେଟ ନେଇ ଏହି ରେକର୍ଡ ନିଜ କାମରେ କରିଥିଲେ। ଚହଲ ମଧ୍ୟ ଏହି ସିଜିନ୍ରେ ୨୬ ଓ୍ବିକେଟ ନେଇ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି। ଚହଲ ଏହି ରେକର୍ଡକୁ ଭାଙ୍ଗିବା ପାଇଁ କେବଳ ଗୋଟିଏ ଓ୍ବିକେଟ୍ ଦୂରରେ ଅଛନ୍ତି।