ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନ୍ ଯୁଦ୍ଧର ତୀବ୍ରତା ବଢ଼ୁଛି ଏବଂ ଆଉ ଏକ ବିଶ୍ବଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି । ଏବେ ଏହି ଯୁଦ୍ଧ ଭିନ୍ନ ମୋଡ ନେବାରେ ଲାଗିଛି । ତୁର୍କୀରେ ଦୁଇ ଦେଶର ପ୍ରତିନିଧି ଯୁଦ୍ଧ ବିରାମ ନେଇ ବାରମ୍ବାର ଆଲୋଚନା କରୁଥିଲେ ବି କିଛି ସୁଫଳ ମିଳିପାରୁନି । ଏହାରି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନାଟୋ ପକ୍ଷରୁ ଆୟୋଜିତ ଏକ ବୈଠକରେ ଯୋଗ ଦେବାକୁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କରାଯାଇଛି । ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ନାଟୋର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଠକ, ଲିଡର୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଏକ ଆନୁଷ୍ଠାନିକ ନିମନ୍ତ୍ରଣ ମିଳିଛି। ଏହି ଶିଖର ସମ୍ମିଳନୀ ଜୁନ୍ ୨୪-୨୫ରେ ନେଦରଲ୍ୟାଣ୍ଡସରେ ଅନୁଷ୍ଠିତ ହେବାକୁ ଯାଉଛି।
ଲିଥୁୟାନିଆର ରାଜଧାନୀ ଭିଲନିୟସରେ ଏକ ନାଟୋ କାର୍ଯ୍ୟକ୍ରମ ସମୟରେ ଜେଲେନସ୍କି ଏହି ନିମନ୍ତ୍ରଣ ସଂପର୍କରେ କହିଥିଲେ । ସେ କହିଥିଲେ ଯେ, ନାଟୋର ସେକ୍ରେଟାରୀ ଜେନେରାଲ ମାର୍କ ରୁଟ୍ ତାଙ୍କୁ ବ୍ୟକ୍ତିଗତ ଭାବରେ ଫୋନ୍ କରି ବୈଠକରେ ଯୋଗ ଦେବାକୁ କହିଛନ୍ତି। ଅନ୍ୟପଟେ ଆମେରିକୀୟ ଗଣମାଧ୍ୟମରେ ରିପୋର୍ଟ ଅନୁସାରେ, ୟୁକ୍ରେନ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ମିଳିବାକୁ ନେଇ ଆମେରିକା ବିଚଳିତ ହୋଇପଡ଼ିଛି । ନାଟୋ ବୈଠକରେ ୟୁକ୍ରେନ୍ ସାମିଲ ହେଲେ ପରିସ୍ଥିତି ବିଗିଡ଼ିପାରେ ବୋଲି ବିଶ୍ବାସ କରୁଛି ଆମେରିକା ।
ୟୁକ୍ରେନ୍ରେ ନାଟୋରେ ସାମିଲ ହେବାକୁ ଦାବି କରିଆସିଛି । ଏହାକୁ ନେଇ ରୁଷ ଉତକ୍ଷିପ୍ତ ହୋଇଉଠିଛି ଏବଂ ଏକ ବଡ଼ ଯୁଦ୍ଧର ସୂତ୍ରପାତ ଘଟିଛି । ରୁଷ ଅନେକ ଥର କହିଛି ଯେ, ୟୁକ୍ରେନକୁ ନାଟୋରେ ସାମିଲ କରିବା ପ୍ରୟାସ ଏହି ଯୁଦ୍ଧର ସବୁଠାରୁ ବଡ଼ କାରଣ ମଧ୍ୟରୁ ଗୋଟିଏ। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେଲେନସ୍କିଙ୍କୁ ନେଇ ଉତ୍ସାହିତ ନାହାଁନ୍ତି। ଏଭଳି ପରିସ୍ଥିତିରେ ଶିଖର ସମ୍ମିଳନୀରେ ଜେଲେନସ୍କିଙ୍କ ଉପସ୍ଥିତି ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶକୁ ପ୍ରଭାବିତ କରିପାରେ।
ଫେବୃଆରୀ ୨୦୨୫ରେ, ଆମେରିକା ଗସ୍ତ ସମୟରେ ଟ୍ରମ୍ପ ଏବଂ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଜେଲେନସ୍କିଙ୍କ ବିତର୍କ ହୋଇଥିଲା। ଶିଖର ସମ୍ମିଳନୀର ପ୍ରକୃତ ବିଷୟବସ୍ତୁ ଅଲଗା ରହିଛି । ଆମେରିକା ସମସ୍ତ ସଦସ୍ୟ ଦେଶଙ୍କୁ ସେମାନଙ୍କର ପ୍ରତିରକ୍ଷା ବଜେଟ ବୃଦ୍ଧି କରିବାକୁ ଦାବି କରୁଛି। ଏହି ଏଜେଣ୍ଡା ଯୋଗୁଁ, NATO ଏଥର କାର୍ଯ୍ୟକ୍ରମକୁ ବହୁତ ଛୋଟ ଏବଂ ସରଳ ରଖିଛି । ଏହା ଦ୍ଵାରା କୌଣସି ବିବାଦକୁ ଏଡ଼ାଇବା ସହଜ ହେବ । ଏବେ ଦେଖିବାକୁ ବାକି ରହିଲା ଯେ, ଏହି ବୈଠକ ଶାନ୍ତି ପାଇଁ ପଥ ପ୍ରଶସ୍ତ କରିବ ନା ବିବାଦକୁ ଆହୁରି ବଢ଼ାଇବ ।