ଭୁବନେଶ୍ୱର,୨୬/୧୨: ଆଉ ମାତ୍ର ୫ ଦିନର ଅପେକ୍ଷା । ୨୦୨୪ ସରିବ । ନୂଆବର୍ଷର ଆଗମନ ହେବ । ଜିରୋ ନାଇଟ୍ ସେଲିବ୍ରେସନରେ ରାଜଧାନୀ ଉତ୍ସବମୁଖର ହୋଇଉଠିବ । ଅଭିନବ ଢଙ୍ଗରେ ସେଲିବ୍ରେସନ ପାଇଁ ରାଜଧାନୀବାସୀ ଯୋଜନା କରିଛନ୍ତି । ସେଲିବ୍ରେସନ ଆଳରେ ଉତ୍ପାତ କରିବାକୁ ଅମାନିଆମାନେ ଗୋଡ଼ ଟେକି ବସିଛନ୍ତି । ସେପଟେ ଅଧିକରୁ ଅଧିକ ଗ୍ରାହକ ବାନ୍ଧିବାକୁ ତାରକା ହୋଟେଲ ସମେତ ବାର୍, ପବ୍ ସମେତ ଇଭେଣ୍ଟ ଅର୍ଗାନାଇଜର ପୂରା ପ୍ରସ୍ତୁତ । ବିଳମ୍ବିତ ରାତି ଯାଏଁ ସେଲିବ୍ରେସନ ପାଇଁ ଯୋଜନା କରିଛନ୍ତି । କମିଶନରେଟ୍ ପୁଲିସ୍ ଜିରୋ ନାଇଟ ସେଲିବ୍ରେସନ ପାଇଁ ଜିରୋ ଟଲୋରାନ୍ସ ନୀତି ଆପଣାଇଛି । ପୁଲିସ କମିଶନର ଦେବଦତ୍ତ ସିଂ ଆଗୁଆ ଅମାନିଆମାନଙ୍କୁ ଚେତାଇଛନ୍ତି ।
କହିଛନ୍ତି, ମଦୁଆ ଓ ରୋଡ୍ ରୋମିଓଙ୍କ ଉପରେ କଡ଼ା ନଜର ରଖାଯିବ । ସେଲିବ୍ରେସନ ବେଳେ ଯେମିତି ସାଧାରଣ ଲୋକଟିଏ କୌଣସି ଅସୁବିଧାର ସାମ୍ନା ନ କରିବ, ସେଥିପ୍ରତି ଟିକିନିଖି ନଜର ରଖିବ ପୁଲିସ । ଲୋକଙ୍କୁ କୌଣସି ଅସୁବିଧାରେ ପକାଇଲେ ଉତ୍ପାତକାରୀକୁ ତୁରନ୍ତ ବାନ୍ଧିବ ପୁଲିସ । ସୁରକ୍ଷିତ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ସହରରେ ବ୍ଲକିଂ ଚେକିଂ ବଢ଼ିଛି । ବିଭିନ୍ନ ହୋଟେଲରେ ଯାଞ୍ଚ ଚାଲିଛି। ସହରକୁ ଜଗିବ ସିସିଟିଭି । କୌଣସି ଖୋଲା ପଡି଼ଆ କିମ୍ବା ବାହାରେ ଜିରୋ ନାଇଟ୍ ପାଳନ କରିବା ପାଇଁ ପୁଲିସଠୁ ଅନୁମତି ନେବାକୁ ପଡ଼ିବ । ହୋଟେଲ କିମ୍ବା କ୍ଲବ, ପବ୍ରେ ରାତି ୧୨ଟା ଯାଏଁ ସେଲିବ୍ରେସନ କରିପାରିବେ । ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ଚେକିଂ ବ୍ଲକିଂ ଚାଲିବ । ସମସ୍ତ ପିକ୍ନିକ୍ ଓ ପର୍ଯ୍ୟଟନ ସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯିବ । ସାଦା ପୋଷାକରେ ପୁଲିସ ଜଗିବେ ।