କୋଲକାତା,୨୯/୦୪: ଆଇପିଏଲ୍ର ୪୭ତମ ଲିଗ୍ ମ୍ୟାଚ୍ରେ ଘରୋଇ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାସାମ୍ନି ହେବେ । କେକେଆର୍ ଘରୋଇ ଗ୍ରାଉଣ୍ଡ୍ ଇଡେନ ଗାର୍ଡେନ୍ସରେ ଏହି ମ୍ୟାଚ୍ ଖେଳିବ । ଗତ ୨୬ ତାରିଖରେ ଦଳ ଘରୋଇ ଗ୍ରାଉଣ୍ଡ୍ରେ ପଞ୍ଜାବ କିଙ୍ଗ୍ସକୁ ଭେଟିଥିଲା । ମ୍ୟାଚ୍ରେ ମୋଟ ୫୨୩ରନ୍ ସଂଗୃହୀତ ହୋଇଥିଲା ଏବଂ ପଞ୍ଜାବ କିଙ୍ଗ୍ସ ଲକ୍ଷ୍ୟର ପିଛା କରି ସର୍ବବୃହତ୍ ବିଜୟ ରେକର୍ଡ଼ ସ୍ଥାପନ କରିଥିଲା ।
କେକେଆର୍ ବିଜୟକୁ ଫେରିବା ପାଇଁ ବ୍ୟାକୁଳ ରହିଛି । ଅନ୍ୟ ପଟରେ କ୍ୟାପିଟାଲ୍ସ କ୍ରମାନ୍ୱୟରେ ୨ଟି ମ୍ୟାଚ୍ ଜିତି ଦୃଢ଼ ମନୋବଳରେ ରହିଛି । ଇଡେନ ପିଚ୍ ବ୍ୟାଟରଙ୍କୁ ସୁହାଉ ଥିବାରୁ ସୋମବାର ବଡ଼ ସ୍କୋର ହେବା ନିଶ୍ଚିତ । କେକେଆର୍ ଓ କ୍ୟାପିଟାଲ୍ସ ଗତ ଏପ୍ରିଲ ୩ତାରିଖରେ ପ୍ରଥମ ଥର ପରସ୍ପରକୁ ଭେଟିଥିଲେ । କେକେଆର ୧୦୬ରନ୍ରେ ଏହି ମ୍ୟାଚ୍ ଜିତିଥିଲା । ସୋମବାର କ୍ୟାପିଟାଲ୍ସ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରହିଛି । ଉଭୟ ଦଳରେ ଏକାଧିକ ବଡ଼ ହିଟର ରହିଛନ୍ତି । ଫଳରେ ଇଡେନ୍ରେ ଛକା ଓ ଚୌକା ବର୍ଷା ଦେଖିବାକୁ ମିଳିବ । କେକେଆର୍ ୮ଟି ମ୍ୟାଚ୍ ଖେଳି ୫ବିଜୟ ସହ ମୋଟ ୧୦ପଏଣ୍ଟ ପାଇଛି ।
ସୋମବାର କ୍ୟାପିଟାଲ୍ସକୁ ହରାଇ ଦଳ ପ୍ଲେ-ଅଫ୍ ଆଶା ଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି । ଷ୍ଟାର୍ ବ୍ୟାଟର ସୁନୀଲ ନାରାଏନ୍, ଫିଲ୍ଟ ସଲ୍ଟ, ଆନ୍ଦ୍ରେ ରସେଲ ଫର୍ମରେ ରହିଛନ୍ତି । ନାରାଏନ୍ ୩୫୭ରନ୍ ସଂଗ୍ରହ କରି ସାରିଛନ୍ତି । ବୋଲିଂ ବିଭାଗର ପ୍ରଦର୍ଶନ ମଧ୍ୟ ଉନ୍ନତ ରହିଛି ।
କ୍ୟାପିଟାଲ୍ସ ୧୦ଟି ମ୍ୟାଚ୍ରୁ ୫ବିଜୟ ସହ ମୋଟ ୧୦ପଏଣ୍ଟ ପାଇଛି । ଦଳର ଯୁବ ବ୍ୟାଟର ଜାକ୍ ଫ୍ରେଜର-ମ୍ୟାକ୍ଗର୍କଙ୍କ ବ୍ୟାଟିଂ ସମ୍ପ୍ରତ୍ତି ଚର୍ଚ୍ଚାର ବିଷୟ ପାଲଟିଛି । ଗତ ମୁମ୍ବାଇ ବିପକ୍ଷ ମ୍ୟାଚ୍ରେ ସେ ୨୭ଟି ବଲ୍ରୁ ୮୪ ରନ୍ ସଂଗ୍ରହ କରିଥିଲେ ।ସେହିପରି ରିଷଭ ପନ୍ତ, ଟ୍ରିଷ୍ଟନ ଷ୍ଟବ୍ସ ଜବରଦସ୍ତ ଫର୍ମରେ ଅଛନ୍ତି । ପେସ୍ ବୋଲର ମୁକେଶ କୁମାରଙ୍କ ଉପସ୍ଥିତି ବୋଲିଂ ବିଭାଗକୁ ସୁଦୃଢ଼ କରିଛି ।
ଇଡେନ ଗାର୍ଡେନ୍ସ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ଏଠାରେ ୫ଟି ମ୍ୟାଚ୍ ଖେଳାଯାଇଛି । ସବୁ ମ୍ୟାଚ୍ରେ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି । ସୋମବାର ଆଉଏକ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିବ ।
ସମ୍ଭାବ୍ୟ ଏକାଦଶ
କେକେଆର୍: ଫିଲ୍ ସଲ୍ଟ, ସୁନୀଲ ନାରାଏନ୍, ଅଙ୍ଗକ୍ରିଶ ରଘୁବଂଶୀ, ଶ୍ରେୟାସ ଆୟର, ଭେଙ୍କଟେଶ ଆୟର, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ, ଦୁଷ୍ମନ୍ତ ଚାମୀରା/ମିଚେଲ ଷ୍ଟାର୍କ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା । (ଇମ୍ପାକ୍ଟ ପ୍ଲେୟାର- ଅନୁକୂଳ ରୟ/ସୂୟାଶ ଶର୍ମା)
କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଜାକ୍ ଫ୍ରେଜରମ୍ୟାକ୍ଗର୍କ, ସାଇ ହୋପ, ରିଷଭ ପନ୍ତ (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ଅଭିଷେକ ପୋରେଲ/କୁମାର କୁଶାଗ୍ର, ଅକ୍ଷର ପଟେଲ, କୁଲଦୀପ ଯାଦବ, ଲିଜାର୍ଡ ୱିଲିୟମ୍ସ, ମୁକେଶ କୁମାର, ଖଲିଲ ଅହମ୍ମଦ । (ଇମ୍ପାକ୍ଟ ପ୍ଲେୟାର- ରସିଖ ସଲାମ)