ନୂଆଦିଲ୍ଲୀ,୨୯/୦୪: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ଇଡିଙ୍କୁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୬ରେ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟଙ୍କ ଦ୍ବାରା ଇଡି ଗିରଫ ବିରୋଧରେ ଆବେଦନ ଉପରେ ରାୟ ଦେବାରେ ବିଳମ୍ବ ସମ୍ପର୍କରେ ହେମନ୍ତ ସୋରେନଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି।
୩୧ ଜାନୁଆରୀ ରାତିରେ ଇଡି ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ରାଞ୍ଚିର ବଡ଼ଗଇ ଅଞ୍ଚଳର ୮.୮୬ ଏକର ଜମି ଦୁର୍ନୀତିରେ ସେ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି। ହେମନ୍ତ ସୋରେନ ଗିରଫ ହେବାର ୭୫ ଦିନ ପରେ ଅର୍ଥାତ ୧୬ ଏପ୍ରିଲରେ ଜାମିନ ଆବେଦନ କରିଥିଲେ। ବର୍ତ୍ତମାନ ସେ ରାଞ୍ଚିର ହୋଟୱାର ଜେଲରେ ଅଛନ୍ତି। ଗିରଫର ୫୫ ଦିନ ବିତିବା ପରେ ହାଇକୋର୍ଟ ରାୟ ନଦେବାରୁ, ସେ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ। ତେବେ ସୁପ୍ରିମକୋର୍ଟ ଏବେ ଏହି ଶୁଣାଣିକୁ ମେ' ୬ ତାରିଖକୁ ଘୁଞ୍ଚାଇଛନ୍ତି।
ତେବେ ଯଦି ସୋରେନଙ୍କୁ ଜାମିନ ମଞ୍ଜୁର ନହୁଏ ତେବେ ପୂର୍ବତନ ସିଏମ୍ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଦେଇ ପାରିବେ ନାହିଁ କାରଣ ଲୋକ ପ୍ରତିନିଧୀ ଅଧିନିୟମ,୧୯୫୧ ର ଧାରା ୬୨ (୫) ଅନୁଯାୟୀ, କୌଣସି ବନ୍ଦୀ କିମ୍ବା ପ୍ରତିଷେଧକ ବନ୍ଦୋବସ୍ତ ଆଇନ ଅନୁଯାୟୀ କୌଣସି ବ୍ୟକ୍ତିଙ୍କର ଭୋଟ୍ ଦେବାର ଅଧିକାର ନାହିଁ। କହିରଖୁଛୁ ଯେ, ପ୍ରତିଷେଧକ କାର୍ଯ୍ୟାନୁଷ୍ଠାନରେ ଗିରଫ ହୋଇଥିବା କଏଦୀମାନେ ଜେଲ ପ୍ରଶାସନ ମାଧ୍ୟମରେ ଆବେଦନ କରି ଭୋଟ୍ ଦେବାର ସୁବିଧା ପାଇପାରିବେ, ଅର୍ଥାତ୍ ଜେଲରୁ ନିର୍ବାଚନ ଲଢ଼ିବାକୁ ସେମାନଙ୍କର ଅଧିକାର ଅଛି, କିନ୍ତୁ ଭୋଟ୍ ଦେବେ ନାହିଁ।