ଶ୍ରୀନଗର,୮।୧୨: ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାରେ ଅଘଟଣ। ରବିବାର ସକାଳୁ ଭ୍ୟାନ୍ ଭିତରୁ ମିଳିଛି ଦୁଇ ପୋଲିସ କର୍ମୀଙ୍କ ମୃତଦେହ । ଏହାକୁ ନେଇ ସମଗ୍ର ଅଞ୍ଚଳରେ ଖେଳିଯାଇଛି ଆତଙ୍କ। ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଉଧମପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ କାଲି ମାତା ମନ୍ଦିର ବାହାରେ ପୁଲିସ ଭ୍ୟାନ୍‌ ଭିତରୁ ଦୁଇଜଣ ପୁଲିସ କର୍ମଚାରୀଙ୍କ ମୃତଦେହ ମିଳିଛି। ସେମାନଙ୍କ ଦେହରେ ଗୁଳିମାଡ଼ ଚିହ୍ନ ରହିଛି। ଅଧିକାରୀମାନେ ସନ୍ଦେହ ପ୍ରକାଶ କରିଛନ୍ତି ଯେ, ବୋଧହୁଏ ଦୁଇ ପୁଲିସକର୍ମୀ ପରସ୍ପର ଉପରକୁ ଗୁଳି ମାଡ଼ କରିବା ପରେ ସେମାନଙ୍କ ମୃତ୍ୟୁ ହୋଇଛି। ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୋଲିସର ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢେ ୬ଟା ସମୟରେ ରହମବଲ ପୋଲିସ ଷ୍ଟେସନ୍‌କୁ ସୂଚନା ମିଳିଥିଲା। ଯେଉଁ ପୁଲିସ ଭ୍ୟାନ୍‌ରୁ ଦୁଇ ଜଣ ପୁଲିସ କର୍ମୀଙ୍କ ମୃତଦେହ ମିଳିଛି ତାହା ସପୋର୍‌ର ତଲଓ୍ୱାଡ ଯାଉଥିଲା। ଭ୍ୟାନ୍‌ରେ ଥିବା ପୁଲିସକର୍ମୀ ଟ୍ରେନିଂ ସେଣ୍ଟରକୁ ଯାଉଥିଲେ। ତେବେ ରାସ୍ତାରେ କୌଣସି ବିବାଦ ଯୋଗୁ ଝଗଡ଼ା ଲାଗିଥିଲେ। ଏହାପରେ ପରସ୍ପର ଉପରକୁ ଗୁଳିମାଡ଼ରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ତେବେ ମାମଲାର ତଦନ୍ତ ଶେଷ ହେବା ପରେ ହିଁ କିଏ ପ୍ରଥମେ ଗୁଳିମାଡ଼ କରିଥିଲା ଓ କାହିଁକି ତାହା ଜଣାପଡିବ ବୋଲି ଏସ୍‌ଏସ୍‌ପି କହିଛନ୍ତି । 

ଘଟଣାରେ AK-47 ବନ୍ଧୁକର ବ୍ୟବହାର କରାଯାଇଛି। ସେହିପରି ଆଉ ଜଣେ ପୁଲିସ କର୍ମୀ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ଉଧମପୁର ଏସଏସପି ଆମୋଦ ନାଗପୁରେ କହିଛନ୍ତି।