ନବରଙ୍ଗପୁର,୧୯/୪ : ବର୍ତ୍ତିଲେନି ଭଗବାନ । ଚୋରଙ୍କୁ ନାହିଁ ମହାଦେବଙ୍କ ଡର । ନବରଙ୍ଗପୁର ସହରସ୍ଥିତ ପୁରୁଣା ନୀଳକଣ୍ଠେଶ୍ଵର ମନ୍ଦିର ତାଲା ଭାଙ୍ଗି ହୁଣ୍ଡିରୁ ଟଙ୍କା ସହ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର ଚୋରି ଅଭିଯୋଗ । ଧରାପଡ଼ିବା ଭୟରେ ସିସିଟିଭିର ରିସିଭରକୁ ହାର୍ଡ଼ ଡିସ୍କ ଭାବି ନେଇଗଲେ ଚୋର। ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ କଲା ନବରଙ୍ଗପୁର ଟାଉନ ପୋଲିସ ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସାଢ଼େ ୮ଟା ସମୟରେ ମନ୍ଦିର ପୂଜକ ଠାକୁରଙ୍କ ଶୟନ ସମୟର ସମସ୍ତ ନିତ୍ୟକର୍ମ ସାରି ଦ୍ୱାର ପାହାଡ଼ ପକାଇବା ସହିତ ମୁଖ୍ୟ ଫାଟକରେ ତାଲା ପକାଇ ଘରକୁ ଯାଇଥିଲେ । ପ୍ରତିଦିନ ଭଳି ସକାଳେ ଠାକୁରଙ୍କ ପୂଜା ନିମନ୍ତେ ଦୁଆର ଫିଟାଇବା ସମୟରେ ଗର୍ଭଗୃହ ଫାଟକ ତାଲା ଭାଙ୍ଗି ପଡ଼ିଥିବାବେଳେ ଦାନ ହୁଣ୍ଡିର ଭାଙ୍ଗି ସମସ୍ତ ଟଙ୍କା ସହ ମନ୍ଦିରର ରୁପା ଅଳଙ୍କାର ସବୁ ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ଏହାସହ ଗର୍ଭଗୃହରେ ଠାକୁରଙ୍କ ମସ୍ତକ ଉପରେ ଥିବା ରୁପା ଛତ୍ର ସହ ଠାକୁରଙ୍କ ପୂଜା ବ୍ୟବହାରରେ ଆସୁଥିବା ଅନ୍ୟ ରୁପା, ପିତ୍ତଳ ସାମଗ୍ରୀ ଚୋରି ହୋଇଥିବା ପୂଜକ ଦେଖିବାକୁ ପାଇଥିଲେ ଏବଂ ଏ ନେଇ ମନ୍ଦିର କମିଟିକୁ ଜଣାଇବା ସହ ତାଙ୍କ ପରାମର୍ଶ ଅନୁସାରେ ଟାଉନ ପୋଲିସଙ୍କୁ ଜଣାଇଥିଲେ ।

ତେବେ ପୋଲିସ ଯାଞ୍ଚ ସମୟରେ ଚୋରମାନେ ସିସିଟିଭିର ରିସିଭରକୁ ହାର୍ଡ ଡିସ୍କ ଭାବି ନେଇଯାଇଥିବା ଜାଣିବାକୁ ପାଇଥିଲେ । ଏହାସହ ସିସିଟିଭି ଫୁଟେଜରେ ୩ଜଣ ଚୋର ଚୋରି କରୁଥିବା ଜଣାପଡିଛି । ଯାହାକି ଚୋରି କରିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ନବରଙ୍ଗପୁର ଟାଉନ ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ।