ନୂଆଦିଲ୍ଲୀ,୨୯/୦୧: ଏଣିକି ଆମେରିକା ସେନାରେ ତୃତୀୟଲିଙ୍ଗୀ ବ୍ୟକ୍ତିଙ୍କ ଭର୍ତ୍ତି ଉପରେ ଲାଗିପାରେ କଟକଣା।  ଏକ କାର୍ଯ୍ୟକାରୀ ଆଦେଶରେ ସ୍ୱାକ୍ଷର କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ । ଆଉ ଏହାର ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ପିଟ୍‌ ହେଗ୍‌ସେଥ୍‌ ପେଣ୍ଟାଗନ୍‌  । ଏହାପରେ ଟ୍ରାନ୍ସଜେଣ୍ଡର ବା ତୃତୀୟଲିଙ୍ଗୀ ସୈନିକଙ୍କୁ ଆମେରିକା ସେନାରେ ସାମିଲ କରାଯିବା ଉପରେ କଟକଣା ଲଗାଇବା ଲାଗି ନିଷ୍ପତ୍ତି ନେଇପାରନ୍ତି । ଏଥିସହ କରୋନା ମହାମାରୀ ବେଳେ ଟିକା ନେବାକୁ ମନା କରି ଚାକିରିରୁ ବରଖାସ୍ତ କରାଯାଇଥିବା ସୈନିକଙ୍କୁ ପୁନଃ ନିଯୁକ୍ତି ଦିଆଯାଇପାରେ । 

ତେବେ ୨୦୨୧ରେ କୋଭିଡ୍‌ ଟିକା ନେବାକୁ ମନାକରିବାରୁ ପ୍ରାୟ ୮,୨୦୦ ସୈନ୍ୟଙ୍କୁ ବିଦା କରିଦିଆଯାଇଥିଲା । ଟ୍ରମ୍ପ୍‌ ନିଜ ଆଦେଶରେ କହିଛନ୍ତି, ତୃତୀୟଲିଙ୍ଗୀ ଭାବେ ପରିଚିତ ହେଉଥିବା ସୈନ୍ୟଙ୍କ ସେବା ଜଣେ ସୈନିକଙ୍କ ସମ୍ମାନଜନକ, ସତ୍ୟନିଷ୍ଠ ଏବଂ ଅନୁଶାସନପୂର୍ଣ୍ଣ ଜୀବନଶୈଳୀ ପ୍ରତି ପ୍ରତିବଦ୍ଧତା ସହ ଦ୍ୱନ୍ଦ୍ୱ ସୃଷ୍ଟି କରେ । ଏଥିସହ ବ୍ୟକ୍ତିଗତ ଜୀବନ ଏବଂ ଅନ୍ୟ ସୈନ୍ୟଙ୍କ ପ୍ରସ୍ତୁତି ଦୃଷ୍ଟିରୁ ବି ହାନିକାରକ ହୋଇଥାଏ । ତେଣୁ ଏ ସମ୍ବନ୍ଧରେ ନୀତି ପ୍ରସ୍ତୁତ କରାଯିବା ଜରୁରି । ଏହା ବାଦ୍‌ ଟ୍ରମ୍ପ୍‌ ରାଷ୍ଟ୍ରପତି ଭାବେ ନିଜ ପ୍ରଥମ କାର୍ଯ୍ୟକାଳରେ ଆମେରିକା ସ୍ପେସ୍‌ କମାଣ୍ଡ ଏବଂ ୟୁଏସ୍‌ ସ୍ପେସ୍‌ ଫୋର୍ସ ସ୍ଥାପନ କରିଥିଲେ । ଏବେ ଟ୍ରମ୍ପ୍‌ ମହାକାଶରେ ମିସାଇଲ ଡିଫେନ୍ସ ସିଷ୍ଟମ ସ୍ଥାପନ କରିବା ଦିଗରେ କାମ କରିବା ଲାଗି ପେଣ୍ଟାଗନ୍‌କୁ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକା ଅଭିଯୋଗ କରୁଛି ଯେ ଚୀନ୍‌, ରୁଷ୍‌ ଏବଂ ଅନ୍ୟ ଦେଶ ମହାକାଶରେ ହତିଆରକରଣକୁ ପ୍ରୋତ୍ସାହିତ କରୁଛନ୍ତି । ତେଣୁ ଆମେରିକା ଏ ଦିଗରେ କାମ କରି ମହାକାଶରେ ଏକ ମିସାଇଲ ଡିଫେନ୍ସ ସିଷ୍ଟମ ବିକଶିତ କରିବ ।