କାନପୁର,୨।୧: ରେଲଓ୍ବେ ଟ୍ରାକରୁ ପୁଣି ମିଳିଲା ଗ୍ୟାସ୍ ସିଲିଣ୍ଡର। ଖେଳିଗଲା ଆତଙ୍କ। କୌଣସି ବଡ଼ ଧରଣର  ଷଡଯନ୍ତ୍ରର   ଆଶଙ୍କା ବଢିଛି। ଉତ୍ତର ପ୍ରଦେଶର ଶିବରାଜପୁର ଅଞ୍ଚଳରେ ଥିବା ଷ୍ଟେସନ୍‌ରୁ ମିଳିଛି ଏହି ଏଲପିଜି ଗ୍ୟାସ୍। ତାକୁ ଏକ ବ୍ୟାଗରେ ରଖାଯାଇଥିଲା। ପାଞ୍ଚ କିଲୋଗ୍ରାମ ବିଶିଷ୍ଟ ଏହି ଖାଲି ସିଲିଣ୍ଡର ମଙ୍ଗଳବାର ରାତିରେ ମିଳିଲା। ସୂଚନା ମିଳିବା ପରେ ବୁଧବାର ଜିଆରପି ଏବଂ ରେଲୱେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରାଯାଇଛି।

ରେଳ କର୍ମଚାରୀ ରମେଶ ଚନ୍ଦ୍ରଙ୍କ ଅଭିଯୋଗ ଆଧାରରେ ଫାରୁଖାବାଦ GRP ପୁଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି। ଚାରି ମାସ ପୂର୍ବେ ବି ଉକ୍ତ ଅଞ୍ଚଳରେ ଟ୍ରାକରେ ବଡ଼ ଏଲପିଜି ଗ୍ୟାସ ସିଲିଣ୍ଡର ଓ ପେଟ୍ରୋଲ ବମ୍ ରଖି କାଲନ୍ଦି ଏକ୍ସପ୍ରେସ ଟ୍ରେନକୁ ଓଲଟାଇବାକୁ ଚେଷ୍ଟା କରାଯାଇଥିଲା।  ପୁରୁଣା ମାମଲାରେ ପୁଲିସ ଏବଂ ଏଟିଏସ୍ ମିଳିତ ତଦନ୍ତ କରୁଛନ୍ତି। ତଥାପି ଏପର୍ଯ୍ୟନ୍ତ କୌଣସି ଖୁଲାସା ହୋଇପାରିନି। ଏବେ ଏହି ଘଟଣା ସହ ପୁରୁଣା ଘଟଣାକୁ ନେଇ ତଦନ୍ତ ଆରମ୍ଭ  ହୋଇଛି। ଆଖପାଖର ସିସିଟିଭି ଫୁଟେଜ୍ ଯାଞ୍ଚ ଚାଲିଛି। ଏପରିକି  ଅନେକ ଲୋକଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଛି।