ନୂଆଦିଲ୍ଲୀ,୧୭/୦୨: ନିର୍ବାଚନ ସରିଲା ଫଳାଫଳ ବି ବାହାରିଲା । ହେଲେ କିଏ ହେବ ରାଜଧାନୀ ଦିଲ୍ଲୀର ନୂଆ ମୁଖିଆ ତାହା ସ୍ପଷ୍ଟ ହୋଇନାହିଁ । ଏହାରି ଭିତରେ ସିଏମଙ୍କ ଶପଥ ଗ୍ରହଣକୁ ନେଇ ନୂଆ ତାରିଖ ସାମ୍ନାକୁ ଆସିଛି । ୧୯ ନୁହେଁ ୨୦ ତାରିଖରେ ଶପଥ ନେବେ ମୁଖ୍ୟମନ୍ତ୍ରୀ । ସେପଟେ ସିଏମ ନାମ ଘୋଷଣାକୁ ନେଇ ବିଳମ୍ବ ହେଉଥିବାରୁ ବିଜେପିକୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତ୍ରୀ ଆତିଶୀ ।

ଦିନ ପରେ ଦିନ ଗୁଡୁଛି ହେଲେ ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ସସପେନ୍ସ ଜାରି ରହିଛି । ନିର୍ବାଚନ ଫଳାଫଳର ୧୦ ଦିନ ପରେ ବି କିଏ ଦେବ ଦିଲ୍ଲୀ ନୂଆ ମୁଖ୍ୟମନ୍ତ୍ରୀ ଅଙ୍କ ଛିଡୁନାହିଁ । ଏହାରି ଭିତରେ ଶପଥ ଗ୍ରହଣର ନୂଆ ତାରିଖ ସାମ୍ନାକୁ ଆସିଛି । ୧୯ ନୁହେଁ ୨୦ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ବିଶେଷ ସୁତ୍ରରୁ ଜଣାପଡିଛି । ସେପଟେ ଏହାକୁ ନେଇ ବିଜେପି ସରକାରକୁ ସମାଲୋଚନା କରିଛନ୍ତି ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ । ସେ କହିଛନ୍ତି,'' ମୁଁ ଭାରତୀୟ ଜନତା ପାର୍ଟିକୁ ଏହା ପଚାରିବାକୁ ଚାହୁଁଛି କି ସେ ପ୍ରଥମେ ସ୍ଥିର କରନ୍ତୁ ସରକାର ଚଲାଉଛନ୍ତି ନା ନାହିଁ ? ୮ ତାରିଖ ପରଠୁ ସେ ସରକାର ଚଳାଉଛନ୍ତି ନା ନାହିଁ ?  ଦିଲ୍ଲୀ ନିର୍ବାଚନ ଫଳାଫଳକୁ  ୧୦ ଦିନ ହୋଇଗଲା । ୮ରେ  ରେଜଲ୍ଟ ଆସିଥିଲା ୯ରେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବ ବୋଲି ଦିଲ୍ଲୀବାସୀ ଭାବିଥିଲେ ହେଲେ ସେମାନେ ଅପେକ୍ଷାରେ ରହିଯାଇଛନ୍ତି । ୧୦ ଦିନ ବିତି ଯାଇଛି ହେଲେ ବିଜେପି ମୁଖ୍ୟମନ୍ତ୍ରୀ କିଏ ହେବେ ନିର୍ଣ୍ଣୟ ନେଇପାରୁନାହାନ୍ତି । ଏହା ଦିଲ୍ଲୀବାସୀଙ୍କ ପାଖରେ ସ୍ପଷ୍ଟ ହୋଇଯାଇଛି ଯେ ବିଜେପି ପାଖରେ କୌଣସି ସିଏମ ଚେହେରା ନାହାନ୍ତି ।'' 

ବିଜେପିକୁ ଟାର୍ଗେଟ୍ କରି ଆତିଶୀ ଆହୁରି କହିଛନ୍ତି, ଦିଲ୍ଲୀ ସରକାର ଚଳେଇବାକୁ ତାଙ୍କ ପାଖରେ ଜଣେ ବି ବ୍ୟକ୍ତି ନାହାନ୍ତି ଯାହାଙ୍କୁ ସେ ଚୟନ କରି ମୁଖ୍ୟମନ୍ତ୍ରୀ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ୪୮ ବିଧାୟକଙ୍କ ଉପରେ ଭରସା ପାଉନାହିଁ ବୋଲି ସ୍ପଷ୍ଟ ହୋଇଛି । ସେ ଜାଣିଛନ୍ତି ୪୮ ଜଣଙ୍କ ମଧ୍ୟରୁ କାହା ପାଖରେ ସରକାର ଚଳାଇବାର କ୍ଷମତା ନାହିଁ । ତାଙ୍କର କେବଳ ଗୋଟିଏ କାମ ଦିଲ୍ଲୀ ଜନତାଙ୍କୁ ଲୁଟିବା । ତେଣୁ ପିଏମ ମୋଦିଙ୍କର କାହା ଉପରେ ଭରସା ପାଉନାହିଁ ।  ୧୦ ଦିନ ପରେ ବି ଜଣଙ୍କର ନାମ ଘୋଷଣା କରିପାରୁନାହିଁ ବିଜେପି ।

ଅଧିକ ପଢନ୍ତୁ...ଦିଲ୍ଲୀରେ ଫେବୃଆରୀ ୧୮ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ, ସୋମବାର ଘୋଷଣା ହେବ ନୂଆ ସିଏମ୍‌ଙ୍କ ନାଁ

ନିର୍ବାଚନ ଫଳାଫଳ ଆସିବା ପରଠାରୁ, ଦିଲ୍ଲୀର ରାଜନୈତିକ ମହଲରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାରଙ୍କ ନାଁ ସାମ୍ନାକୁ ଆସିଛି । ୪୮ ଜଣ ବିଜେପି ବିଧାୟକଙ୍କ ମଧ୍ୟରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ। ବିଜେପି ବିଧାୟକ ଦଳ ବୈଠକ ସିଏମ ନାମରେ ମୋହର ବାଜିବ । ଆସନ୍ତା ୨୦ ତାରିଖ ଅପରାହ୍ନ ୪ଟା ୩୦ରେ ରାମଲୀଳା ମୈଦାନରେ ଶପଥ ଗ୍ରହଣ ସମାରୋହ ହେବ ବୋଲି ସୁତ୍ରରୁ ସୂଚନା ମିଳିଛି ।