ନୂଆଦିଲ୍ଲୀ: ଶିରୋମଣୀ ଅକାଳୀ ଦଳର କାଉନସିଲରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ରବିବାର ଅମୃତସରରେ ସ୍ପଷ୍ଟ ଦିବାଲୋକରେ ହରଜିନ୍ଦର ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପୋଲିସର ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ କାଉନସିଲରଙ୍କ ଉପରକୁ ପାଞ୍ଚ-ଛଅ ରାଉଣ୍ଡ ଗୁଳି ଚଳାଇଥିଲେ। ଏହାପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ଏଡିସିପି ହରପାଲ ସିଂହ ରନ୍ଧୱା ପିଟିଆଇକୁ ସୂଚନା ଦେଇ କହିଛନ୍ତି ଯେ, ହରଜିନ୍ଦର ସିଂହ କୌଣସି କାମରେ ଯାଉଥିବା ବେଳେ ୩ରୁ ୪ ଜଣ ବ୍ୟକ୍ତି ଏକ ମୋଟର ସାଇକେଲ୍ରେ ଆସି ତାଙ୍କୁ ଗୁଳି କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ହରଜିନ୍ଦରଙ୍କ ଭାଇ ଏବଂ ଭିଣୋଇଙ୍କ ସୂଚନା ଅନୁଯାୟୀ, ଯେଉଁମାନେ ପୂର୍ବରୁ ତାଙ୍କ ବାସଭବନରେ ଗୁଳି ଚଳାଇଥିଲେ ଏବଂ ତାଙ୍କୁ ଧମକ ଦେଇଥିଲେ ସେମାନେ ହିଁ ଏହି କାଣ୍ଡ ଘଟାଇଛନ୍ତି ।
ଏହା ପୂର୍ବରୁ ମେ ୧୨ ଏବଂ ୧୩ ମଧ୍ୟରାତିରେ, କିଛି ଅଜଣା ଲୋକ ହରଜିନ୍ଦର ସିଂହଙ୍କ ଘର ଉପରକୁ ଗୁଳି ମାଡ଼ କରିଥିଲେ । ଏ ନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ ହରଜିନ୍ଦର । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମୁହଁ ଘୋଡ଼ାଇ ଦୁର୍ବୃତ୍ତମାନେ ଏକ ମୋଟର ସାଇକେଲରେ ଆସି ହରଜିନ୍ଦରଙ୍କ ନିକଟରେ ଅଟକିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମୋଟର ସାଇକେଲରୁ ଓହ୍ଲାଇ କାଉନସିଲରଙ୍କ ଉପରେ ଗୁଳି ଚଳାଇଥିଲେ। ଦେହରେ ଗୁଳିର ଆଘାତ ଲାଗିବାରୁ ହରଜିନ୍ଦର ତଳେ ପଡ଼ିଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।