ବଲାଙ୍ଗୀର,୧୨/୦୬: ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଜୁରାବନ୍ଦ ପଞ୍ଚାୟତରେ ଉନ୍ନୟନ କାମରେ ଦୁର୍ନୀତ । ଏନେଇ ଗ୍ରାମବାସୀ ବ୍ଲକ ଘେରାଉ କରିବା ସହ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ସୂଚନା ମୁତାବକ, ଜିଲ୍ଲାପ୍ରଶାସନ ଗତ ମାର୍ଚ୍ଚ ମାସ ୨୯ ତାରିଖରେ ଚିଠି ସଂଖ୍ୟା ୧୨ ୩୭ରେ ସଇଁତଳା ବିଡ଼ିଓଙ୍କୁ ୩ ଦିନ ମଧ୍ୟରେ ତଦନ୍ତ କରି ଜିଲ୍ଲା ପ୍ରଶାସନକୁ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲା । ହେଲେ ବ୍ଲକ ପ୍ରଶାସନର ଅବହେଳା ଯୋଗୁଁ ୨ ମାସ ବିତିଯାଇଥିଲେ ସୁଧା ବ୍ଲକ ପ୍ରଶାସନ ତଦନ୍ତ ଆରମ୍ଭ ନକରିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଆଜି ସଇଁତଳା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କୁ ୭ ଦିନ ମଧ୍ୟରେ ତଦନ୍ତ ନହେଲେ ବ୍ଲକ ଘେରାଉ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି।
ସୂଚନା ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୨, ୨୦୨୩, ୨୦୨୪ରେ ଜୁରାବନ୍ଦ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାମ ପାଇଁ ସରକାରୀ ଅନୁଦାନ ଆସିଥିଲା । ହେଲେ କୌଣସି କାର୍ଯ୍ୟ ନକରି କେବଳ ଫାଇଲ ତିଆରି କରି ନକଲି ଜିଏସଟି ବିଲ୍ ମାଧ୍ୟମରେ ସରପଞ୍ଚଙ୍କ ବାପା ନରେନ୍ଦ୍ର ନନ୍ଦଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅର୍ଥକୁ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି । ନରେନ୍ଦ୍ର ନନ୍ଦଙ୍କୁ ଭେଣ୍ଡର ଦର୍ଶାଇ ବିଭିନ୍ନ କାର୍ଯ୍ୟ ପାଇଁ କେବଳ ଇଟା, ବାଲି, ଗେଟି ପକାଇ ୪୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ତାଙ୍କୁ ଆକାଉଣ୍ଟକୁ ଯାଇଥିବା ସୂଚନା ଅଧିକାର ଆଇନ ତଥ୍ୟ ଆଧାରରେ ଜଣାପଡ଼ିଛି । ଅନ୍ୟପଟେ ଭେଣ୍ଡର ଲାଇସେନ୍ସ କିମ୍ବା ଫାଇଲରେ ଦିଆଯାଇଥିବା ବିଲ୍ ନକଲି ବୋଲି କଟାବାଞ୍ଜି ଜିଏସଟି ସର୍କଲ କାର୍ଯାଳୟରୁ ଜଣାପଡିଛି । ଜୁରାବନ୍ଦ ଗ୍ରାମବାସୀ ସଇଁତଳା ବ୍ଲକକୁ ଘେରାଉ କରି ବିଡିଓଙ୍କୁ 7 ଦିନ ଭିତରରେ ତଦନ୍ତ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି ।