ଭୁବନେଶ୍ୱର,୦୯/୦୩: ଗର୍ଭ ଯନ୍ତ୍ରଣାରେ ଛଟପଟ  ହୋଇ ହୃଦ୍‌ଘାତରେ ମାଆ ଜୀବନ ଚାଲିଗଲା । କିନ୍ତୁ  ମରିଲାନି ମାତୃତ୍ୱ । କମାଲ କଲା ଚିକିତ୍ସା ବିଜ୍ଞାନ ଏବଂ  ଡାକ୍ତରଙ୍କ ନିଷ୍ଠା । ମୃତ ମାଆ ପେଟରୁ ଜୀବିତ ଛୁଆ ପଦାକୁ  ଆସିଲା ।

ଭୁବନେଶ୍ୱର ଜଣେ ମହିଳା ୯ ମାସର ଗର୍ଭବତୀ  ଥିଲେ । ଗର୍ଭ ଯନ୍ତ୍ରଣା ହେବାରୁ  ଫେବ୍ରୁଆରୀ ୧୪ ତାରିଖ ରାତି  ୧୧ଟା ୨ ମିନିଟ୍‌ରେ କ୍ୟାପିଟାଲ ହସ୍ପିଟାଲ୍‌ରେ ପହଞ୍ଚିଥିଲେ । ହେଲେ କାଜୁଆଲିଟିରେ ମହିଳାଙ୍କ ଇସିଜି ପରେ ୧୧ଟା ୫ ମିନିଟ୍‌ରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସେତେବେଳେ ସ୍ତ୍ରୀ ଓ  ପ୍ରସୂତି ବିଭାଗ ଡାକ୍ତର ସମ୍ବେଦନା ପାଣିଗ୍ରାହୀ ଡ୍ୟୁଟିରେ ଥିଲେ । ସେ ଓ ତାଙ୍କ ଟିମ୍‌ ମୃତ ମହିଳାଙ୍କ ଅଲ୍‌ଟ୍ରାସାଉଣ୍ଡ କରି ଜାଣିବାକୁ  ପାଇଥିଲେ ଗର୍ଭସ୍ଥ ଶିଶୁ ଜୀବିତ ରହିଛି । ଏହି ଖବର ମୃତକଙ୍କ ସ୍ୱାମୀଙ୍କୁ ଜଣାଇଥିଲେ । ସ୍ୱାମୀଙ୍କ ଅନୁମତି ପରେ ତୁରନ୍ତ ମହିଳାଙ୍କ  ଅସ୍ତ୍ରୋପଚାର କରାଯାଇ ଜୀବିତ ଶିଶୁ ଉଦ୍ଧାର କରାଯାଇଥିଲା ।  ହେଲେ ଶିଶୁ ଅବସ୍ଥା ସଙ୍କଟାପନ୍ନ ଥିଲା । ତୁରନ୍ତ ଶିଶୁକୁ  ହସ୍ପିଟାଲ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଥିଲା । 

କ୍ୟାପିଟାଲ ହସ୍ପିଟାଲ-ପିଜିଆଇଏମ୍‌ଆରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତ ମାଆ ପେଟରୁ ଜୀବନ ଅବସ୍ଥାରେ  ଶିଶୁ ଉଦ୍ଧାର କରିବା କେବଳ ଡାକ୍ତରୀ ପାଠ୍ୟକ୍ରମରେ  ପଢ଼ାଯାଇଥିଲା । ମୃତ ମାଆ ପେଟରେ ଶିଶୁ ପ୍ରାୟ ୨୨  ମିନିଟ୍‌ ବଞ୍ଚିପାରେ । ହେଲେ ଡାକ୍ତରମାନେ ୧୦ ମିନିଟ୍‌  ଭିତରେ ମୃତକଙ୍କ ପେଟରୁ ଶିଶୁକୁ ବାହାର କରି ଚିକିତ୍ସା  ଆରମ୍ଭ କରିଥିଲେ । ହସ୍ପିଟାଲ୍‌ରେ  ଏସ୍‌ଏନ୍‌ଏସିୟୁରେ ରହିବା ପରେ ପରିବାର ଲୋକ ଶିଶୁକୁ ଏକ  ଘରୋଇ ହସ୍ପିଟାଲ୍‌କୁ ନେଇଥିଲେ । 

ଡାକ୍ତର ସମ୍ବେଦନା ପାଣିଗ୍ରାହୀ  କହିଛନ୍ତି, ମହିଳାଙ୍କ ମୃତ୍ୟୁ ହେବାର  ୧୦ ମିନିଟ୍‌ ଭିତରେ ମୃତକ ପେଟରୁ  ଜୀବନ ଅବସ୍ଥାରେ ଛୁଆ ବାହାର କରାଗଲା । ସମୟ ନଷ୍ଟ ନକରି  ମହିଳାଙ୍କୁ ୪ଜଣ କର୍ମଚାରୀ  କାନ୍ଧରେ ନେଇ ଓଟିକୁ ପ୍ରବେଶ  କରିଥିଲେ । ସେଠାରେ ତୁରନ୍ତ ଅଲଟ୍ରାସାଉଣ୍ଡଠାରୁ ଆରମ୍ଭ କରି  ଛୁଆ ବାହାର କରିବା ପ୍ରକ୍ରିୟା  ଆରମ୍ଭ କରାଯାଇଥିଲା । ଛୁଆ  ବାହାରିବା ପରେ ମଧ୍ୟ ଏଚ୍‌ଆଇଭି  ଭଳି ଟେଷ୍ଟ ମଧ୍ୟ କରାଯାଇଥିଲା । ସେଥିପାଇଁ ହସ୍ପିଟାଲ୍‌ର  ସମସ୍ତ ଟିମ୍‌ଙ୍କ ସହଯୋଗ ରହିଥିଲା । ବିଶେଷ କରି  ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସୁଜାତା ମିଶ୍ର, ଏଚ୍‌ଓଡି  ସସ୍ମିତା ବେହୁରିଆଙ୍କ ସହଯୋଗ ଥିଲା ।