ବାଙ୍କୀ,୧୬।୬ : କଟକ ଜିଲ୍ଲା ବାଙ୍କୀ ବ୍ଲକ କନ୍ତପହଁରା ପଞ୍ଚାୟତର ଘୋଳପୂର ଗ୍ରାମରେ ଗତ ତିନି ଦିନ ଧରି ଡାଇରିଆ ଆତଙ୍କ ସୃଷ୍ଟି କରିଛି। ପ୍ରଥମ ଦିନରେ ୨୬, ଦ୍ୱିତୀୟ ଦିନରେ ୧୪ ଓ ସୋମବାର ୫ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି। ସୁବର୍ଣ୍ଣପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀମାନେ ଘୋଳପୁର ଗ୍ରାମରେ ପହଞ୍ଚି ସମସ୍ତ ସ୍ଥିତି ଅନୁଧ୍ୟାନ କରିବା ସହ ଡାଇରିଆ ବ୍ୟାପିବାର କାରଣ ଜାଣିବା ପାଇଁ ବିଭିନ୍ନ ସ୍ୱାବ ସଂଗ୍ରହ କରିଥିଲେ। ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ନଳକୂପ ଓ ଜଳାଶ୍ରୟର ପାଣି ପରୀକ୍ଷା କରାଯାଇଥିଲା। ଗ୍ରାମରେ ଅଧିକା ଆକ୍ରାନ୍ତ ନ ହେବା ନେଇ ମେଡିକାଲ ଟିମ୍ ଦୁଇଦିନ ହେବ ଘର ଘର ବୁଲି ସ୍ଥିତି ପରୀକ୍ଷା କରୁଛନ୍ତି।
ଏହାକୁ ନେଇ ବୁଧବାର ବାଙ୍କୀ ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରା ଓ କଟକ ସିଡିଏମଓ ପ୍ରସନ୍ନ କୁମାର ହୋତା ଘୋଳପୁର ଗ୍ରାମରେ ତାଙ୍କ ପାନୀୟ ଜଳ ବିଭାଗ ଅଧିକାରୀଙ୍କ ସହ ପହଞ୍ଚିଥିଲେ। ଗ୍ରାମବାସୀଙ୍କ ସହ ସ୍ଥିତି ବିଷୟରେ ଆଲୋଚନା କରିଥିଲେ। ପ ଦୂଷିତ ପାନୀୟ ଜଳ ପିଇବା ଦ୍ଵାରା ଡାଇରିଆ ବ୍ୟାପିଛି ବୋଲି ସ୍ପଷ୍ଟ ହୋଇଛି। ଏନେଇ ଲୋକଙ୍କୁ ସଚେତନ କରିବା ସହ ଯେ ପର୍ଯ୍ୟନ୍ତ ଗ୍ରାମରୁ ଡାଇରିଆ ଆକ୍ରାନ୍ତ ସଂଖ୍ୟା ବନ୍ଦ ନ ହୋଇଛି ସେ ପର୍ଯ୍ୟନ୍ତ ମେଡ଼ିକାଲ ଟିମ୍ ଏଠାରେ ରହିବ ବୋଲି ସିଡିଏମ୍ଓ କହିଛନ୍ତି। ସେହିପରି ଏବେ ଟ୍ୟାଙ୍କର ରେ ପାନୀୟ ଜଳ ଦିଆଯାଉଛି। ପରବର୍ତ୍ତୀ ସମୟରେ ପାଇପ୍ ଦ୍ଵାରା ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।