ମୁମ୍ବାଇ,୩।୬:  ରଣବୀର ସିଂହଙ୍କ ଫିଲ୍ମ ‘ଡନ୍-୩’କୁ ନେଇ ଜାରି ରହିଛି ବିବାଦ। ଫରହାନ ଅଖତରଙ୍କ ଫିଲ୍ମରୁି ବାହାର ହେବାପରେ ପୁଣିଥରେ ଅଡୁଆରେ ପଡିଛନ୍ତି। ନିକଟରେ ଫେଡରେସନ୍ ଅଫ୍ ଓ୍ବେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପଲଏଜ୍ (FWICE) ତାଙ୍କ ଉପରେ ବ୍ୟାନ୍ ଲଗାଇଥିଲା। ଏହାପରେ ଖବର ଆସିଥିଲା ଅଭିନେତା FWICE  କୁ ଲିଗାଲ୍ ନୋଟିସ୍ ପଠାଇଛି। ଏବେ FWICE ରଣବୀର ସିଂହଙ୍କ ବିରୋଧରେ ଜାରି ନିଜର ନନ୍-କୋଅପରେସନ୍ ନିର୍ଦେଶକୁ ଫେରାଇ ନେଇଛି। ମିଳିଥିବା ସୂଚନା ଅନୁସାରେ, ସଂଗଠନ କହିଛି ଯେ, ଆମେ ଲିଗାଲ ନୋଟିସ୍ କିମ୍ବା ଆଇନଗତ ଭାବରେ ଜବାବ ଦେବୁ। ଆମେ ଏବେ ବି ରଣବୀର ସିଂହଙ୍କୁ ଅପିଲ କରୁଛୁ ସେ ଆମ ସହିତ ବସି ଏହି ପ୍ରସଙ୍ଗକୁ ସୌହାର୍ଦ୍ଧପୂର୍ଣ୍ଣ ଭାବରେ ସମାଧାନ କରନ୍ତୁ ଓ ଇଣ୍ଡଷ୍ଟ୍ରୀୟ ହିତକୁ ରକ୍ଷା କରନ୍ତୁ। ’

ଏହି ସମ୍ପୂର୍ଣ୍ଣ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ରଣବୀର ‘ଡନ୍-୩’ ଫିଲ୍ମ ଛାଡି ଦେଇଥିଲେ। ରିପୋର୍ଟ ଅନୁସାରେ, ଅଭିନେତା ସୁଟିଂ ଆରମ୍ଭ ହେବାର ୧୦ ଦିନ ପୂର୍ବରୁ ଫିଲ୍ମ ଛାଡି ଦେଇଥିଲେ। କୁହାଯାଉଛି ଯେ ‘ଡନ୍‌-୩’ କୁ ରଣବୀର ଛାଡିବା ଯୋଗୁଁ ଫରହାନ ଅଖତର କୋଟି କୋଟି ଟଙ୍କା ହରାଇଛନ୍ତି। ଫରହାନ ଅଖତର ରଣବୀରଙ୍କଠାରୁ ୪୦ କୋଟି କ୍ଷତିପୂରଣ ଦାବି କରିଥିଲେ, ଯାହାକୁ ଅଭିନେତା ଦେଇ ନଥିଲେ। ଏହା ପରେ, ଫରହାନ ଅଖତର ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜରେ  ଅଭିଯୋଗ ଦାଖଲ କଲେ। ଫଳସ୍ୱରୂପ, FWICE ରଣବୀର ସିଂହଙ୍କ ବିରୁଦ୍ଧରେ ଏକ ଅସହଯୋଗ ନିର୍ଦ୍ଦେଶନାମା ଜାରି କଲା। ସମଗ୍ର ଶିଳ୍ପକୁ ଘୋଷଣା କରାଯାଇଥିଲା ଯେ ରଣବୀର ସିଂହ ଆଉ ସେମାନଙ୍କ ସହିତ କାମ କରିବେ ନାହିଁ। ଏହି ନିଷ୍ପତ୍ତିର ପ୍ରତିବାଦରେ, ରଣବୀର ସିଂହ FWICE କୁ ଏକ ଆଇନଗତ ନୋଟିସ୍ ପଠାଇଲେ। ଜବାବରେ, FWICE ତାଙ୍କ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଲା ଏବଂ ଅଭିନେତାଙ୍କୁ ଆଲୋଚନା ପାଇଁ ଅପିଲ୍ କଲା।

‘ଡନ୍-୩’ ର ଗତ କିଛି ବର୍ଷ ହେବ ଅଲଗା ଅଲଗା କାରଣରୁ ସୁଟିଂ ଘୁଞ୍ଚି ଆସୁଛି। ରଣବୀରଙ୍କ ପୂର୍ବରୁ କିଆରା ଆଡଭାନୀ ଗର୍ଭବତୀ ଥିବା କାରଣରୁ ଏହାକୁ ଛାଡି ଦେଇଥିଲେ। ଏହାପରେ ଖବର ଆସିଥିବା ଭିକ୍ରାନ୍ତ ମେସି ବି ଫରହାନଙ୍କ ଫିଲ୍ମକୁ ଛାଡି ଦେଇଥିଲେ। ସେ ଏଥିରେ ଭିଲେନ୍ ଭୂମିକାରେ ଆସିଥାନ୍ତେ । ଫରହାନ ଗତ କିଛି ବର୍ଷରେ ଫିଲ୍ମର ସ୍କ୍ରିପ୍ଟ ପୁରା ନକରିପାରିବା କଥା ମଧ୍ୟ କହିଛନ୍ତି। ତେବେ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ରଣବୀର ଏହାକୁ ଛାଡି ଦେଇଥିଲେ।