ମୁମ୍ବାଇ,୩/୬ : ଅମିର ଖାନଙ୍କ ସବୁଠାରୁ ସୁନ୍ଦର ଫିଲ୍ମରୁ ଗୋଟିଏ କୁହାଯାଉଥିବା ‘ଲଗାନ’ ପୁଣି ଥରେ ଫିଲ୍ମ ହଲରେ ରିଲିଜ୍ ହେବାକୁ ଯାଉଛି । ୧୫ଜୁନ୍ ୨୦୨୬ରେ ‘ଲଗାନ’ ନିଜର ୨୫ବର୍ଷ ପୂରା କରିବାକୁ ଯାଉଛି । ଫିଲ୍ମର ୨୫ବର୍ଷର ଉତ୍ସବ ମନାଇବା ଲାଗି ମେକର୍ସ ଏହାକୁ ପୁଣି ଥରେ ଥିଏଟରରେ ଆଣୁଛନ୍ତି । ୧୨,୧୩ ଏବଂ ୧୪ଜୁନରେ ‘ଲଗାନ’ ଫିଲ୍ମ ହଲରେ ଦେଖାଯିବ । ଏହାର ନିର୍ଦ୍ଦେଶନା ଆଶୁତୋଷ ଗୋଓ୍ବାରିକର ଦେଇଛନ୍ତି । ରିଲିଜ୍ ପୂର୍ବରୁ ମେକର୍ସ ଫିଲ୍ମର ଏକ ଟ୍ରେଲର ରିଲିଜ୍ କରିଛନ୍ତି ।
ଅମିରଖାନ ପ୍ରଡ଼କ୍ସନ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଲ୍ମର ଟ୍ରେଲର ରିଲିଜ୍ କରାଯାଇଛି । ଏହାସହ ପୋଷ୍ଟର କ୍ୟାପଶନରେ ଲେଖିଛନ୍ତି କି, ଏକ କାଳଜୟୀ କାହାଣୀ, ଯାହା ପ୍ରତ୍ୟେକ ହୃଦୟକୁ ଛୁଇଁଥିଲା । ‘ଲଗାନ’ର ୨୫ବର୍ଷ ପୂର୍ତ୍ତି ଅବସରରେ ଫିଲ୍ମ ପୁଣି ଥରେ ବଡ଼ ସ୍କ୍ରିନକୁ ଫେରୁଛି । ଜୁନ୍ ୧୨, ୧୩ ଏବଂ ୧୪ ରେ ଥିଏଟରରେ ସେହି ଯାଦୁକୁ ପୁନଃ ଅନୁଭବ କରନ୍ତୁ।”
ଇନଷ୍ଟାଗ୍ରାମ ବ୍ୟତୀତ ୟୁଟ୍ୟୁବରେ ବି ଅମୀର ଖାନ ପ୍ରଡ଼କ୍ସନ ‘ଲଗାନ’ର ଟ୍ରେଲରକୁ ସେୟାର କରିଛନ୍ତି । ଫିଲ୍ମର ଟ୍ରେଲର ୨ମିନିଟ ୪୯ସେକେଣ୍ଡର ଅଟେ କିନ୍ତୁ ଏହାକୁ ବହୁ ଭଲ ଭାବେ ପ୍ରସ୍ତୁତ କରାଯାଇଛି । ଟ୍ରେଲରର ଆରମ୍ଭ କ୍ରିକେଟ ମ୍ୟାଚର ଶେଷ ବଲ୍ ପୂର୍ବରୁ ଅମୀରଙ୍କ ମନରେ ଚାଲୁଥିବା ଏକ ଜଟିଳ ସଂଳାପରୁ ଆରମ୍ଭ ହେଉଛି । ଶେଷ ବଲରେ ୫ରନ୍ ଆବଶ୍ୟକ ଏବଂ ଅମୀରଙ୍କ ହାତରେ ବ୍ୟାଟ୍ ରହିଛି । ଯଦିଓ ଅନେକ ଲୋକ ଜାଣନ୍ତି ଯେ ଆମିର ପରବର୍ତ୍ତୀ ବଲରେ ଛକା ମାରି ମ୍ୟାଚ୍ ଜିତିବେ, ତଥାପି ଟ୍ରେଲରରେ ପ୍ରଚୁର ସସପେନ୍ସ ଅଛି । ୧୫ଜୁନ୍ ୨୦୦୧ରେ ଫିଲ୍ମ ହଲରେ ମୁକ୍ତିଲାଭ କରିଥିବା ‘ଲଗାନ‘ରେ ଆମୀର ଖାନ ଜନୈକ ଗାଁର ଯୁବକ ଭୁବନଙ୍କ ଚରିତ୍ର ନିଭାଇଥିଲେ ।